ନିର୍ବାଚନ ଇସ୍ତାହାର କମିଟି ଘୋଷଣା କଲା ବିଜେଡି । ୩୮ ଜଣିଆ କମିଟିରେ ମୋହର ମାରିଲେ ନବୀନ ।

3,041

କନକ ବ୍ୟୁରୋ : ୨୦୨୪ ନିର୍ବାଚନ ପାଇଁ ଇସ୍ତାହାର କମିଟି ଗଠନ କଲା ବିଜେଡି । ୩୮ ଜଣିଆ କମିଟି ଗଠନ କରିଛି ବିଜେଡି । ଯେଉଁ କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇବେ ବରିଷ୍ଠ ବିଜେଡି ନେତା ତଥା ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ । ସେହିଭଳି ୬ ଜଣ ବରିଷ୍ଠ ନେତାଙ୍କୁ Co-chairman ଦାୟିତ୍ୱ ଦେଇଛି ବିଜେଡି । ଯେଉଁମାନଙ୍କ ମଧ୍ୟରେ ରହିଛନ୍ତି ଦେବୀ ପ୍ରସାଦ ମିଶ୍ର, ପ୍ରତାପ ଦେବ, ସୁଦାମ ମାରାଣ୍ଡି, ମଙ୍ଗଳା କିଶାନ, ପଦ୍ମନାଭ ବେହେରା, କସ୍ତୁରୀ ମହାପାତ୍ର । ସେହିଭଳି ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକଙ୍କୁ ଆବାହକ ଓ ସସ୍ମିତ ପାତ୍ରଙ୍କୁ ସହ-ଆବାହକ ଦାୟିତ୍ୱ ଦେଇଛି ଦଳ ।

୩ ପ୍ରବାସୀ ଓଡ଼ିଆ ସୁକାନ୍ତ ମହାପାତ୍ର, ସୋଫେନ୍ଦୁ ମହାନ୍ତି ଓ ଅମୀୟ ମିଶ୍ରଙ୍କୁ ବିଜେଡି ଇସ୍ତାହାର କମିଟିରେ ରଖିଥିବା ବେଳେ ୨୬ ଜଣଙ୍କୁ ସଦସ୍ୟ ଭାବେ ଦାୟିତ୍ୱ ଦେଇଛି ଦଳ । ସମାଜର ବିଭିନ୍ନ ବର୍ଗର ଲୋକଙ୍କ ମତାମତ ଆଧାରରେ ବିଜେଡି ନିଜର ନିର୍ବାଚନ ଇସ୍ତାହାର ଆଣିବ । ପୂର୍ବରୁ ଚନ୍ଦ୍ରଶେଖର ସାହୁଙ୍କୁ ବିଜେଡି କମିଟିର ଅଧ୍ୟକ୍ଷ ଭାବେ ଘୋଷଣା କରିଥିବା ବେଳେ ଆଜି ୩୮ ଜଣଙ୍କ ନାଁ ଘୋଷଣା କରିଛି ବିଜେଡି । ନବୀନ ଓଡ଼ିଶା ସଶକ୍ତ ଓଡ଼ିଶା ଗଠନ ପାଇଁ ବିଜେଡି ଏହି ନିର୍ବାଚନୀ ଇସ୍ତାହାର ଆଣିବ ।