କନକ ବ୍ୟୁରୋ : ବରିଷ୍ଠ ନେତା ପ୍ରଫୁଲ୍ଲ ଘଡାଇଙ୍କୁ ମିଳିଲା ନୂଆ ଦାୟିତ୍ୱ । ବିଜେଡିର ରାଜ୍ୟ ଉପସଭାପତି ଭାବେ ପ୍ରଫୁଲ୍ଲଙ୍କ ନାଁରେ ମୋହର ମାରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜେଡିର ଏହି ପୁରୁଖା ନେତାଙ୍କୁ ପୁଣିଥରେ ଗୁରୁଦାୟିତ୍ୱ ଦେଇଛନ୍ତି ନବୀନ । ଆଜି ସକାଳେ ପ୍ରଫୁଲ୍ଲଙ୍କୁ ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଥିଲେ ନବୀନ । ରଣପୁର, ଖୋର୍ଦ୍ଧା ଓ ଚିଲିକା ଆସନ ପାଇଁ ପର୍ଯ୍ୟବେକ୍ଷକ ଭାବେ ପ୍ରଫୁଲ୍ଲଙ୍କୁ ନିଯୁକ୍ତି ଦେଇଥିଲେ ଦଳପତି ।
ଚଳିତ ନିର୍ବାଚନ ପୂର୍ବରୁ ପ୍ରଫୁଲ୍ଲଙ୍କ ଉପରୁ ବହିଷ୍କାର ଉଠାଇଥିଲେ ବିଜେଡି ସୁପ୍ରିମୋ । ଚଳିତ ନିର୍ବାଚନରେ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିବା ବିଜେଡି ନିର୍ବାଚନ ପୂର୍ବରୁ ଏହି ଅନୁଭବୀ ନେତାଙ୍କ ଉପରେ ବହିଷ୍କାର ଆଦେଶ ଉଠାଇବା ସହ ଦଳକୁ ଫେରାଇ ଆଣିଥିଲା । କାରଣ ପ୍ରଫୁଲ୍ଲଙ୍କ ଭଳି ଅଭିଜ୍ଞ ସର୍ମ୍ପନ୍ନ ନେତାଙ୍କ ଅଭିଜ୍ଞତାକୁ ପାଥେୟ କରି ଦଳ ପୁଣିଥରେ ୨୦୧୪ର ସଫଳତାକୁ ଦୋହରାଇ ପାରିବ ବୋଲି ବିଜେଡିର କ୍ରାଇସିସ ମ୍ୟାନେଜର ମାନେ ଅଙ୍କ କଷିଥିଲେ ।ଯେଉଁଥିପାଇଁ ପ୍ରଫୁଲ୍ଲଙ୍କୁ ପୁଣିଥରେ ଦଳକୁ ଫେରାଇ ଆଣିଥିଲେ ଖୋଦ ଦଳପତି ।