ବିଦେଶ ଫେରନ୍ତା ନାଗରିକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ୍: ଓଡିଶାରେ ପହଞ୍ଚିବାର ୨୪ ଘଂଟା ଭିତରେ କରନ୍ତୁ ଯୋଗାଯୋଗ; ଆପଣଙ୍କ ସହଯୋଗ ହିଁ ନିଜ ପରିବାର ସହ ଓଡିଶାକୁ ରଖିପାରିବ ସୁରକ୍ଷିତ

435

କନକ ବ୍ୟୁରୋ: ବିଦେଶ ଫେରନ୍ତାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅପିଲ । ବିଦେଶରୁ ଫେରିଥିଲେ ପହଁଚିବାର ୨୪ ଘଂଟା ମଧ୍ୟରେ ବାଧ୍ୟତାମୂଳକ ଭାବେ ଟ୍ରୋଲ ଫ୍ରି ନମ୍ବର ୧୦୪ କିମ୍ବା ଅନଲାଇନ ମାଧ୍ୟମରେ ପଞ୍ଜିକରଣ କରିବାକୁ ଅପିଲ କରିଛନ୍ତି ନବୀନ । ଆପଣଙ୍କ ସହଯୋଗ ହିଁ ନିଜ ପରିବାର ଓ ଓଡିଶାକୁ ସୁରକ୍ଷିତ ରଖିବ ।

କରୋନା ମୁକାବିଲା ନେଇ ରାଜ୍ୟରେ ଜନସାଧାରଣଙ୍କୁ ସତର୍କତା ଏବଂ ସଚେତନତା କରିବା ପାଇଁ ଅନବରତ ପ୍ରୟାସ ଜାରି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ପରିପ୍ରେକ୍ଷୀରେ ଆଜି ପୁଣି ଥରେ ଟୁଇଟ୍ କରି ମୁଖ୍ୟମନ୍ତ୍ର୍ୀ ଏହି ମାରାତ୍ମକ ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବାକୁ ହେଲେ ସମସ୍ତଙ୍କ ସହାୟତା ଆବଶ୍ୟକ ବୋଲି ନିବେଦନ କରିଛନ୍ତି । ଏନେଇ ଏକ ଦେଢ ମିନିଟର ଭିଡିଓରେ କରୋନାର ମୁକାବିଲା ପାଇଁ ଲୋକଙ୍କୁ ସଚେତନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ତେବେ ଜାରି ହୋଇଥିବା ଏହି ଭିଡିଓରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିବେଦନ କରି କହିଛନ୍ତି ଯେ, କରୋନା ଆଜି ସାରା ବିଶ୍ୱରେ ଏକ ବଡ ସ୍ୱାସ୍ଥ୍ୟ ସମସ୍ୟା ଭାବେ ଦେଖାଦେଇଛି । କେବଳ ସଚେତନତା ହିଁ ଏହାକୁ ରୋକିପାରିବ । ଏଥିପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ତେଣୁ ବିଦେଶରୁ ଫେରୁଥିବା ଭାଇ-ଭଉଣୀଙ୍କୁ ମୋର ନିବେଦନ କି ଆପଣମାନେ ଓଡିଶାରେ ପହଂଚିବାର ୨୪ ଘଂଟା ମଧ୍ୟରେ ୧୦୪ ଟୋଲ ଫ୍ରି ନମ୍ବର ଏବଂ ଅନଲାଇନ ମାଧ୍ୟମରେ ନିଜର ପଞ୍ଜିକରଣ କରନ୍ତୁ । ଆପଣଙ୍କ ପକ୍ଷରୁ ଆପଣଙ୍କ ପରିବାର ଲୋକେ ମଧ୍ୟ ପଂଜିକରଣ କରିପାରିବେ । ଆପଣଙ୍କୁ ମୋର ଅନୁରୋଧ ବିଦେଶରୁ ଫେରିବା ପରେ ନିଜ ଘରେ ୧୪ ଦିନ ଅଲଗା ରୁହନ୍ତୁ । ତେବେ ଆପଣଙ୍କ ସହଯୋଗ ହିଁ ଆପଣ ଏବଂ ଆପଣଙ୍କ ପରିବାରକୁ ଏବଂ ଓଡିଶାକୁ ସୁରକ୍ଷିତ ରଖିପାରିବ ବୋଲି ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Comments are closed.