ବିରୋଧୀଙ୍କ ଅଭିଯୋଗର ଜବାବ ରଖିଲେ ମୁଖ୍ୟମନ୍ତ୍ରୀ । କହିଲେ, ଜିଲ୍ଲା ଗସ୍ତ କରି ସିଏମଓ କରୁଥିଲା ଜନଶୁଣାଣି । ନରସିଂହ କହିଲେ ରାଜ୍ୟରେ ଚାଲିଛି ଗୁମାସ୍ତା ଶାସନ
କନକ ବ୍ୟୁରୋ: ୫-ଟି ସଚିବ କାହା ନିର୍ଦ୍ଦେଶରେ ଜିଲ୍ଲା ଜିଲ୍ଲା ବୁଲୁଛନ୍ତି, ଏହାକୁ ନେଇ ରାଜ୍ୟ ରାଜନୀତି ହୁଲୁସ୍ତୁଲୁ ହେଉଥିବାବେଳେ ବିଧାନସଭାରେ ବିରୋଧୀ ହଙ୍ଗାମା କରିଛନ୍ତି । ଆଉ ବିରୋଧୀଙ୍କ ହଟ୍ଟଗୋଳ ଭିତରେ ବିଧାନସଭାରେ ଶୂନ୍ୟକାଳରେ ଏହି ପ୍ରସଙ୍ଗରେ ଉତ୍ତର ରଖିଛନ୍ତି ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Kanak News is now on WhatsApp
Join and get latest news updates delivered to you via WhatsApp
- ବିବାଦରୁ ପରଦା ହଟାଇଲେ ମୁଖ୍ୟମନ୍ତ୍ରୀ
- ସିଏମଓକୁ ଗସ୍ତ ପାଇଁ ଦେଇଥିଲେ ନିର୍ଦ୍ଦେଶ
- ବ୍ଲକ ଓ ଜିଲ୍ଲା ସ୍ତରରେ ସିଏମଓ କରିଛି ଶୁଣାଣି
ଗତ କିଛି ଦିନ ହେଲା ସଚିବଙ୍କ ଗସ୍ତକୁ ନେଇ ଲାଗି ରହିଥିବା ବିବାଦ ଉପରୁ ପରଦା ଉଠାଇବା ସହ ବିରୋଧୀଙ୍କ ମୁହଁ ବନ୍ଦ କରିବାକୁ ଉଦ୍ୟମ କରିଛନ୍ତି ମୁଖ୍ୟମନ୍ତ୍ରୀ । କୌଣସି ବିରୋଧୀ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ଦାବି କରିନଥିଲେ ବି ଶୂନ୍ୟକାଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ନିଜ ଆଡୁ ବିଧାନସଭାରେ ଉତ୍ତର ରଖିଛନ୍ତି । ବିରୋଧୀଙ୍କୁ ଟର୍ଗେଟ କରିବା ସହ କହିଛନ୍ତି, କୋଭିଡ୍ ପୂର୍ବରୁ ସିଏମଓ ଭୁବନେଶ୍ୱରରେ ଅଭିଯୋଗ ଶୁଣୁଥିଲେ । କୋଭିଡ୍ ଯୋଗୁଁ ପ୍ରାୟ ୨ବର୍ଷ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିଲା । କିନ୍ତୁ କୋଭିଡ୍ ପରେ ଯଥେଷ୍ଟ ଲୋକ ଅଭିଯୋଗ ପ୍ରକୋଷ୍ଠ ଆସୁନଥିବା ଦେଖାଯାଇଥିଲା । ସେଥିପାଇଁ ଲୋକଙ୍କ ନିକଟକୁ ଯାଇ ଅଭିଯୋଗ ଆଣିବାକୁ ଚିନ୍ତା କରିଥିଲି । ମୋ ନିର୍ଦ୍ଦେଶରେ ସିଏମଓ ଅଫିସରମାନେ ଜିଲ୍ଲାକୁ ଯାଇ ଅଭିଯୋଗ ଆଣିଛନ୍ତି । ଗତ ୬ମାସ ମଧ୍ୟରେ ୧୯୦ ଜାଗାରେ ଅଭିଯୋଗ ଶୁଣାଣି କରି ୫୭ ହଜାର ୪୪୨ ଅଭିଯୋଗ ଅଣାଯାଇଛି । ଆସିଥିବା ଅଭିଯୋଗରୁ ଏପର୍ଯ୍ୟନ୍ତ ୪୩ ହଜାର ୫୩୬ ଅଭିଯୋଗର ସମାଧାନ ହୋଇଛି ।
- ହେଲିକପ୍ଟର ଗସ୍ତ ନେଇ ନବୀନଙ୍କ ସ୍ପଷ୍ଟୀକରଣ
- ଖର୍ଚ୍ଚ ହୋଇଛି ୪୦ କୋଟି ଟଙ୍କା
ସଚିବ ହେଲିକପ୍ଟରରେ ଗସ୍ତ କରିବାକୁ ନେଇ ଯେଉଁ ବିବାଦ ଉପୁଜିଛି, ସେ ନେଇ ସ୍ପଷ୍ଟୀକରଣ ରଖିଛନ୍ତି ମୁଖ୍ୟମନ୍ତ୍ରୀ । କହିଛନ୍ତି, ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୩ଟା ଭିତରେ ଦିନକରେ ୩ରୁ ୫ଟି ମିଟିଂ କରିବା ଅସମ୍ଭବ । ଯଦି ସଡକ ପଥରେ ଯାଇ ଏତକ କରାଯାଇଥାନ୍ତା ତେବେ ଦେଢ଼ ବର୍ଷ ଲାଗିଥାନ୍ତି । ବିଗତ ସାଢ଼େ ୩ବର୍ଷରେ ହେଲିକପ୍ଟର ବାବଦରେ ୪୦ କୋଟି ଟଙ୍କା ବ୍ୟୟ ହୋଇଛି । ହିସାବ କଲେ ହେଲିକପ୍ଟର ବାବଦକୁ ମାସକୁ ୧ରୁ ଦେଢ଼ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।
ମୁଖ୍ୟମନ୍ତ୍ରୀଙ୍କ ବିବୃତି ପରେ ବିରୋଧୀ ବିଜେପି ଓ କଂଗ୍ରେସ ତୀବ୍ର ସମାଲୋଚନା କରିଛନ୍ତି । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି, ସିଏମଓ କାହାକୁ କହନ୍ତି? ଜଣେ ସଚିବଙ୍କୁ କଣ ସିଏମଓ କୁହାଯିବ କି? କଂଗ୍ରେସ ବିଧାୟକ ଦଳ ନେତା ନରସିଂହ କହିଛନ୍ତି, ଓଡ଼ିଶାରେ ଗୁମାସ୍ତା ଶାସନ ଚାଲିଛି । ଯଦି ଲୋକଙ୍କ ସମସ୍ୟା ସେ ଶୁଣୁଛନ୍ତି ତାହେଲେ କାହିଁକି ଆଜି ରାଜରାସ୍ତାରେ ସରକାରୀ କର୍ମଚାରୀ ଧାରଣା ଦେଉଛନ୍ତି । ଅନ୍ୟପଟେ ବିଜେଡି ବିଧାୟକ କହିଛନ୍ତି, ବିରୋଧୀ ସବୁବେଳେ ଅଭିଯୋଗ ଆଣୁଛନ୍ତି, ଏଥିରେ ନୂଆ କିଛି ନାହିଁ ।
ତେବେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତରରୁ କିନ୍ତୁ ଗୋଟିଏ କଥା ସାମନାକୁ ଆସିଛି, ଯେଉଁ ୫-ଟିକୁ ନେଇ ଗତ କିଛି ଦିନ ହେଲା ବିବାଦ ଲାଗି ରହିଥିଲା, ସେହି ଶବ୍ଦ ଆଜି ସମ୍ପୂର୍ଣ୍ଣ ଉଭେଇ ଯାଇଥିଲା । ୫-ଟି ବଦଳରେ ମୁଖ୍ୟମନ୍ତ୍ରୀ ସିଏମଓକୁ ପଠାଇଥିବା ବାରମ୍ବାର କହିଥିଲେ । ହେଲେ ୫-ଟି ନାଁ ଥରେ ହେଲେ ବି ନେଇନଥିଲେ ।