ଭଦ୍ରକବାସୀଙ୍କ ପାଇଁ ନବୀନଙ୍କ ବଡ ଘୋଷଣା । ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହେବ ୭ ମହଲା ବିଶିଷ୍ଟ ଡିଏଚଏଚ କମ୍ପେ୍ଲକ୍ସ, ରୋଗୀ କଲ୍ୟାଣ ସମିତିକୁ ମିଳିବ ୧୫ ଲକ୍ଷ ଟଙ୍କାର ସହାୟତା ।

767

କନକ ବ୍ୟୁରୋ : ଭଦ୍ରକ ପାଇଁ ଭଣ୍ଡାର ଖୋଲିଲେ ନବୀନ । ‘ମୋ ସରକାର’ ଟିମ୍ ଭଦ୍ରକ ପରିଦର୍ଶନ କରିବା ପରେ ଜିଲ୍ଲାର ସ୍ୱାସ୍ଥ୍ୟ ସେବାର ଉନ୍ନତି ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଉନ୍ନତି ପାଇଁ ୭ ମହଲା ବିଶିଷ୍ଟ ଏକ ନୂତନ ଡିଏଚଏଚ କମ୍ପେକ୍ସର ନିର୍ମାଣ କରାଯିବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିରେ ୩୦୦ଟି ଶର୍ଯ୍ୟା ରହିବ ବୋଲି ନବୀନ ନିଷ୍ପତି ନେଇଛନ୍ତି । ରୋଗୀଙ୍କ ମତାମତ ଓ ଡାକ୍ତର ମାନଙ୍କ ସହ ଆଲୋଚନାକୁ ଭିତ୍ତିକ ରି ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି ।

ଏବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୯୧ଟି ଶଯ୍ୟା ରହିଛି । ତେଣୁ ରୋଗୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବେଡ ସଂଖ୍ୟା ୧୯୧ରୁ ୩୦୦କୁ ବୃଦ୍ଧି କରାଯିବ ବୋଲି କୁହାଯାଇଛି । ଏହାସହ ରୋଗୀ ମାନଙ୍କ ଆଟେଣ୍ଡାଣ୍ଟ ମାନଙ୍କ ପାଇଁ ୨୦ ଲକ୍ଷ ଟଙ୍କାର ଏକ ବିଶ୍ରାମଗାର ନିର୍ମାଣ କରାଯିବ । ସେହିଭଳି ଓପିଡି ପଞ୍ଜୀକରଣ ପାଇଁ ଅଧିକ କାଉଣ୍ଟର ଖୋଲାଯିବାକୁ ନିଷ୍ପତି ନିଆଯାଇଛି । ରୋଗୀ ଓ ଆଟେଣ୍ଡାଣ୍ଟ ମାନଙ୍କ ସୁବିଧା ପାଇଁ ମୁଖ୍ୟ ଚିକିତ୍ସାଳୟ ପରିସରରେ ପାର୍କିଂ ଏରିଆର ବିକାଶ କରାଯିବ ।

ଏହାଛଡା ଭଦ୍ରକ ଜିଲ୍ଲାର ସଦର ମହକୁମା ଚିକିତ୍ସାଳୟ ରୋଗୀ କଲ୍ୟାଣ ନିମନ୍ତେ ବିଭିନ୍ନ ସମିତିକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫାଣ୍ଠିରୁ ୧୫ ଲକ୍ଷ ଟଙ୍କାର ସହାୟତା ଦିଆଯିବ ବୋଲି ନିଷ୍ପତି ନିଆଯାଇଛି । ଏହାପୂର୍ବରୁ ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ତେବେ ଘଣ୍ଟାଏ ମଧ୍ୟରେ ଏହି ବିଜ୍ଞପ୍ତିକୁ ବଦଳାଇ ଦିଆଯାଇଥିଲା । ମେଡିକାଲ କଲେଜ ନୁହେଁ ବରଂ ଚାଇଲ୍ଡ ହସ୍ପିଟାଲର ସମ୍ପ୍ରସାରଣ ପାଇଁ ରାଜ୍ୟ ସରକାର ଯୋଜନା କରିଛନ୍ତି ବୋଲି ଖୋଦ୍ ସ୍ୱାସ୍ଥ୍ୟମନ୍ତ୍ରୀ ଆସି କହିଥିଲେ ।