କନକ ବ୍ୟୁରୋ : ବଲାଙ୍ଗୀର ରାସ୍ତାରେ ଏକ ପୋଷ୍ଟରକୁ ଦେଖି ଅଟକି ଯାଉଛନ୍ତି ଲୋକେ । କାରଣ ପୋଷ୍ଟରରେ ଏମିତି ଦୁଇ ଚେହେରା ଅଛନ୍ତି ଯାହାଙ୍କୁ ଏକାଠି ଦେଖିଲେ ମନରେ ପ୍ରଶ୍ନ ଉଠିବ । ସେମାନେ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଏହି ପୋଷ୍ଟର କିଏ ଲଗାଇଛି ତାହା ଜଣାପଡୁ ନାହିଁ, କିନ୍ତୁ ନରସିଂହ କହିଛନ୍ତି ମେଡିକାଲ କଲେଜ ପାଇଁ ସେ ଉଦ୍ୟମ କରିଥିଲେ, ମୁଖ୍ୟମନ୍ତ୍ରୀ ମଧ୍ୟ ସହାୟତା କରିଛନ୍ତି । ସେ ପ୍ରଶ୍ନ କରିଛନ୍ତି ଏଥିରେ ଅସୁବିଧା କଣ ହେଲା ।

Advertisment

ବଲାଙ୍ଗୀର ସହରରେ ଲାଗିଛି ଏକାଧିକ ବିଶାଳ ହୋର୍ଡିଂ । ଯେଉଁଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଏକାଠି ନଜର ଆସିଛନ୍ତି ବଲାଙ୍ଗୀର ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଭୀମ ଭୋଇ ମେଡିକାଲ କଲେଜର ଫଟୋ ଥାଇ ଏହି ହୋର୍ଡିଂ ବଲାଙ୍ଗୀରର ବିଭିନ୍ନ ସ୍ଥାନରେ ଲାଗିବା ପରେ, ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଦଳର ନେତାଙ୍କ ଫଟୋକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା ଆଲୋଚନା ।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ହୋର୍ଡିଂ କିଏ, କଣ ପାଇଁ ଲଗାଇଛି ତାହା ଜଣା ପଡିନି । କେବଳ ଭୀମ ଭୋଇ ମେଡିକାଲ କଲେଜ ଲେଖା ହୋଇଥିବା ବେଳେ, କୈାଣସି ବ୍ୟକ୍ତି କିମ୍ବା ଅନୁଷ୍ଠାନର ନାମ ଏଥିରେ ଦେଖିବାକୁ ମିଳିନି । ୨୦୧୮ରେ ବଲାଙ୍ଗୀର ମେଡିକାଲ କଲେଜକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ତତ୍କାଳୀନ କେନ୍ଦ୍ର ସ୍ୱାସ୍ଥ୍ର୍ୟମନ୍ତ୍ରୀ ଜେ.ପି. ନଡ୍ଡା ଉଦଘାଟନ କରିଥିଲେ । ତେବେ ପଶ୍ଚିମ ଓଡିଶାର ଏହି ସ୍ୱାସ୍ଥ୍ୟ ହବ୍ ପଛରେ କାହାର ଅବଦାନ ଅଧିକ ତାକୁ ନେଇ ବିଭିନ୍ନ ସମୟରେ ପ୍ରତିଯୋଗିତା ଦେଖିବାକୁ ମିଳିଛି । ନିଜ ଉଦ୍ୟମ ଓ ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ଯୋଗୁ ବଲାଙ୍ଗୀରରେ ମେଡିକାଲ କଲେଜ ପ୍ରତିଷ୍ଠା ସମ୍ଭବ ହୋଇଥିବା ଦାବି କରିଛନ୍ତି କଂଗ୍ରେସ ନେତା ନରସିଂହ ମିଶ୍ର । ତେବେ ଏହି ହୋର୍ଡିଂ କିଏ ଲଗାଇଛି ତାହା ଜାଣିନଥିବା କହିଛନ୍ତି ନରସିଂହ ।

ସେପଟେ ଏମିତି ହୋର୍ଡିଂକୁ ନେଇ ଉଭୟ କଂଗ୍ରେସ ଓ ନରସିଂହଙ୍କୁ ଟାର୍ଗେଟ କରିଛି ବିଜେପି । ବିଜେଡି ଓ କଂଗ୍ରେସର ସମ୍ପର୍କକୁ ନେଇ ପ୍ରଶ୍ନ ଉଠାଇଥିବା ବେଳେ, ପରିବାର ସଦସ୍ୟଙ୍କୁ ଥଇଥାନ ପାଇଁ ସ୍ଥାନୀୟ ବିଧାୟକ ଉଦ୍ୟମ କରୁଥିବା ଅଭିଯୋଗ କରିଛି ଦଳ । ବିଜେଡି ସରକାରରେ ଏବେ ବଲାଙ୍ଗୀର ଜିଲ୍ଲାକୁ ସ୍ୱତନ୍ତ୍ର ଫୋକସ ଦିଆଯାଇଛି । ଟୁକୁନି ସାହୁଙ୍କୁ କ୍ୟାବିନେଟ ମନ୍ତ୍ରୀପଦ, ସରୋଜ ମେହେରଙ୍କୁ ଉପ-ମୁଖ୍ୟସଚେତକ ପଦ ମିଳିଥିବା ବେଳେ ଆଦିବାସୀ ନେତା ନିରଞ୍ଜନ ବିଶିଙ୍କୁ ରାଜ୍ୟସଭାକୁ ପଠାଇଛନ୍ତି ସୁପ୍ରିମୋ ନବୀନ । ସେପଟେ ବିଜେଡିରେ ଏକଦା ଦବଦବା ଜାହିର କରିଥିବା ବଲାଙ୍ଗୀର ରାଜପରିବାର ରାଜନୀତିରେ ଗୋଟିଏ ପ୍ରକାର ନିଷ୍କ୍ରିୟ ଥିବା ଦେଖିବାକୁ ମିଳୁଛି । ତେଣୁ ଏହି ପୋଷ୍ଟର କିଏ କେଉଁ ଉଦ୍ଦେଶ୍ୟରେ ଲଗାଇଛି ତାକୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି ।