ଟିକା ନେଲେ ମୋଦି ଓ ନବୀନ

103
କନକ ବ୍ୟୁରୋ : ରାଜ୍ୟର ୧୫୩ଟି ହସ୍ପିଟାଲରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଛି । ବଡ କଥା ହେଉଛି ପ୍ରଥମ ଥର ପାଇଁ ଘରୋଇ ହସ୍ପିଟାଲରେ ଟିକା ଦିଆଯାଇଛି । ଭୁବନେଶ୍ୱରର ୧୦ଟି ହସ୍ପିଟାଲ ସମେତ ସାରା ରାଜ୍ୟରେ ୨୧ଟି ବେସରକାରୀ ହସ୍ପିଟାଲରେ ଟିକାକରଣ କରାଯାଇଛି । କେତେକ ଘରୋଇ ହସ୍ପିଟାଲରେ ବିନା ପଞ୍ଜୀକରଣରେ, ସେହି ସ୍ଥାନରେ ପଞ୍ଜୀକରଣ କରି ଟିକା ଦିଆଯାଇଛି । ପ୍ରଧାନମନ୍ତ୍ରୀ ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଆହୁରି ଅନେକ ଉଚ୍ଚ ପଦପଦବୀର ବ୍ୟକ୍ତି ଟିକା ନେଇ ସାରା ଦେଶକୁ ବାର୍ତା ଦେଇଛନ୍ତି ।
କରୋନା ଟିକା ଜରୁରୀ ଓ ଏହା ସୁରକ୍ଷିତ ଏହାଠୁ ବଡ଼ ଆଉ ପ୍ରମାଣ କ’ଣ ହୋଇପାରେ, ଯେତେବେଳେ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଉପ-ରାଷ୍ଟ୍ରପତିଙ୍କ ଭଳି ବଡ଼ ବଡ଼ ବ୍ୟକ୍ତିତ୍ୱ ଟିକା ନେବା ପାଇଁ ଆଗେଇ ଆସୁଛନ୍ତି, କରୋନା ଟିକାକୁ ନେଇ ଦ୍ୱନ୍ଦରେ ଥିବା ଲୋକଙ୍କୁ ଏହି ଚିତ୍ର ହୁଏତ ଆଶ୍ୱସ୍ତ କରିବ ।
ବିଧାନସଭା ଡିସପେନସାରୀରେ କରୋନା ଟିକାର ପ୍ରଥମ ଡୋଜ୍ ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟିକା ନେବା ସମୟର ଏକ ଫଟୋକୁ ନିଜ ଟୁଇଟର ହ୍ୟାଣ୍ଡଲରେ ସେୟାର କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ, ଟିକା ପ୍ରସ୍ତୁତ କରିଥିବା ବୈଜ୍ଞାନିକ, ସ୍ୱାସ୍ଥ୍ୟକର୍ମୀଙ୍କୁ ଧନ୍ୟବାଦ ଦେବା ସହ କୋଭିଡ ମୁକ୍ତ ଓଡିଶା ପାଇଁ ଆହ୍ୱାନ ଦେଇଛନ୍ତି । ସେହିପରି ବିଧାନସଭା ଡିସପେନସାରୀରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ଉପବାଚସ୍ପତି ରଜନୀକାନ୍ତ ସିଂ, ବିିଧାୟକ ଭୁପିନ୍ଦର ସିଂ ଓ ଜିତୁ ମିତ୍ରଙ୍କ ଭଳି ନେତା ମଧ୍ୟ ଟିକା ନେଇଛନ୍ତି । ୨୦ ଜଣ ବିଧାୟକଙ୍କୁ ଟିକା ଦେବା ପାଇଁ ଏଠି ବନ୍ଦୋବସ୍ତ ହୋଇଥିଲା ।
ଏହି ପର୍ଯ୍ୟାୟରେ ବରିଷ୍ଠ ନାଗରିକ ଏବଂ ଗୁରୁତର ସ୍ୱାସ୍ଥ୍ୟଗତ ସମସ୍ୟା ଥିବା ୪୫ ବର୍ଷରୁ ଅଧିକ ବ୍ୟକ୍ତିଙ୍କ ଟିକାକରଣ ଆରମ୍ଭ ହୋଇଛି । ରାଜଧାନୀ ଭୁବନେଶ୍ୱରରେ ୧୨ଟି  ସରକାରୀ କେନ୍ଦ୍ରରେ ଟିକାକରଣର ବ୍ୟବସ୍ଥା ହୋଇଥିବା ବିଏମସି ପକ୍ଷରରୁ ସୂଚନା ଦିଆଯାଇଛି । ସେହିପରି ବିଭିନ୍ନ କେନ୍ଦ୍ରକୁ ବରିଷ୍ଠ ନାଗରିକମାନେ ସ୍ୱେଚ୍ଛାକୃତ ଭାବେ ଆସି ଟିକା ନେଉଥିବା ଦେଖିବାକୁ ମିଳିଛି ।

ରାଜଧାନୀ ଭୁବନେଶ୍ୱର ସମେତ ସାରା ରାଜ୍ୟର ଟିକାକରଣ ହୋଇଛି । କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍ ଅନୁସାରେ ଟିକାକରଣ କରାଯାଇଥିବା ବେଳେ ପ୍ରଥମ ଦିନ ଥିବାରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଟିକାକରଣ ପ୍ରକ୍ରିୟା ସମାନ୍ୟ ସମସ୍ୟା ହୋଇଥିଲା । କିନ୍ତୁ ପରବର୍ତୀ ସମୟରେ ସ୍ୱାଭାବିକ୍ ଭାବେ ଟିକାକରଣ ହୋଇଥିବା ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶକ । ପ୍ରଥମ ଦିନରେ ରାଜ୍ୟର ବିଭିନ୍ନ କେନ୍ଦ୍ରରେ କରୋନା କଟକଣା ଭିତରେ ଲୋକେ ଆସି ପଞ୍ଜୀକରଣ କରି ଟିକା ନେଇଛନ୍ତି । ଗ୍ରାମାଞ୍ଚଳରୁ ସହରାଞ୍ଚଳ ଯାଏଁ ସବୁଠି ଟିକାକରଣକୁ ନେଇ ଉତ୍ସାହ ଦେଖିବାକୁ ମିଳିଛି ।

ଆଉ ଏସବୁ ଭିତରେ ଟିକାକରଣକୁ ନେଇ ଏକ ବଡ଼ ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଟିକା ପାଇଁ ପଞ୍ଜିକରଣ ହେଉଥିବା ଆପ୍-କୋୱିନ୍, କେବଳ ପ୍ରଶାସକଙ୍କ ପାଇଁ ଉର୍ଦ୍ଧିଷ୍ଟ । ତେବେ କେ-ୱିନ୍ ପୋର୍ଟାଲକୁ ଯାଇ ଅନ୍ୟମାନେ ଟିକା ନେବା ପାଇଁ ପଂଜିକରଣ କରିପାରିିବେ ।