କନକ ବ୍ୟୁରୋ: ବିଜେଡି-ବିଜେପି ମେଣ୍ଟକୁ ନେଇ ଚର୍ଚ୍ଚା, ବିଜୁ ବାବୁଙ୍କୁ ଭାରତ ରତ୍ନ ମିଳିବା ନେଇ ଚର୍ଚ୍ଚା ଭିତରେ, ଗୋଟିଏ ମଞ୍ଚରେ ଏକାଠି ହେଇଛନ୍ତି ମୋଦୀ-ନବୀନ । ଚଣ୍ଡିଖୋଲରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମର ମଞ୍ଚରୁ ମୋଦୀଙ୍କୁ ନବୀନ ଭରପୂର ପ୍ରଶଂସା କରିଛନ୍ତି, ମୋଦୀ ମଧ୍ୟ ନବୀନଙ୍କୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ କହି ସମ୍ବୋଧନ କରିଛନ୍ତି । ଯାହା କେନ୍ଦ୍ରର ଏନଡିଏ ସରକାର ଓ ଓଡିଶାର ବିଜେଡି ସରକାର ମଧ୍ୟରେ, କେମିତି ସମ୍ପର୍କ ରହିଛି, ତାହାକୁ ଦର୍ଶାଉଛି ।

ମଞ୍ଚ ଉପରୁ ଦୁଇ ନେତା ସମ୍ବୋଧନରେ ବିଜେଡି-ବିଜେପି ମେଣ୍ଟକୁ ନେଇ କୌଣସି ସଙ୍କେତ ଦେଇ ନାହାନ୍ତି । ହେଲେ, ପରସ୍ପରକୁ ଯେଉଁଭଳି ପ୍ରଶଂସା କରିଛନ୍ତି, ତାହା ଚର୍ଚ୍ଚାକୁ ଖୋରାକ ଯୋଗାଉଛି । କାରଣ ପଶ୍ଚିମବଙ୍ଗ, ତେଲେଙ୍ଗାନା ଭଳି ରାଜ୍ୟ ଗସ୍ତରେ ଯାଇଥିବାବେଳେ ଶାସନରେ ଥିବା ଦଳକୁ ସିଧାସଳଖ ଟାର୍ଗେଟ କରୁଥିବାବେଳେ, ଓଡିଶା ସରକାରଙ୍କ ପ୍ରତି ସେଭଳି ଆଭିମୁଖ୍ୟ ଦେଖାଇ ନାହାନ୍ତି ମୋଦୀ । ଯାହାକି ପୁଣି ଥରେ ରାଜ୍ୟ ନେତୃତ୍ୱଙ୍କ ଦ୍ୱନ୍ଦ୍ୱ ବଢ଼ାଇ ଦେଇଛି ।

ତେବେ ବିଜୁ ଜୟନ୍ତୀ ଅବସରରେ ମୋଦୀ ଭାରତ ରତ୍ନ ଘୋଷଣା କରିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା, ସେମିତି କିଛି ଦେଖିବାକୁ ମିଳି ନାହିଁ । ଦେଶ ପାଇଁ ବିଜୁ ବାବୁଙ୍କ ଅବଦାନକୁ ସ୍ମରଣ କରି ପ୍ରଶଂସା କରିଥିଲେ, ମଞ୍ଚ ଉପରୁ ପ୍ରଣାମ ଜଣାଇଥିଲେ ମୋଦୀ ।