କନକ ବ୍ୟୁରୋ : ରେକର୍ଡ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନବୀନ ପଟ୍ଟନାୟକ । ପ୍ରଥମ ଥର ରାଜଭବନ ବାହାରେ ଆୟୋଜିତ ହୋଇଥିଲା ଶପଥ ସମାରୋହ । ଭୁବନେଶ୍ୱର ଇଡକୋ ପ୍ରଦର୍ଶନୀ ପଡିଆରେ ଅତିଥି , ନେତା, କର୍ମୀ ଏବଂ ହଜାର ହଜାର ସମର୍ଥକଙ୍କ ଗହଣରେ ଲଗାତର ପଞ୍ଚମ ଥର ପାଇଁ ଓଡିଶାର ଶାସନ ଭାର ହାତକୁ ନେଇଛନ୍ତି ବିଜେଡି ସୁପ୍ରିମୋ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଆଜି ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବା ସହ ପବନ ଚାମଲିଙ୍ଗ ଓ ଜ୍ୟୋତି ବସୁଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି ନବୀନ ।

Advertisment

publive-imageପଞ୍ଚମଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ନବୀନଙ୍କ ଶପଥପାଠ ସହ ଓଡିଶା ରାଜନୀତି ଇତିହାସରେ ଲେଖି ହୋଇଯାଇଛି ନୂଆ ଅଧ୍ୟାୟ । ପ୍ରଥମଥର ରାଜଭବନ ବାହାରେ ଆୟୋଜିତ ଶପଥ ସମାରୋହରେ ଓଡିଶାର ଶାସନ ଭାର ହାତକୁ ନେଇଛନ୍ତି ନବୀନ । ଦେଶ ବିଦେଶର ଅତିଥି , ବିଶିଷ୍ଟ ଶିଳ୍ପପତି, ବିଭିନ୍ନ ରାଜନୈତିକ ଦଳର ନେତା, କର୍ମୀ ଏବଂ ହଜାର ହଜାର ସମର୍ଥକଙ୍କ ଗହଣରେ ନବୀନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ପ୍ରଚଣ୍ଡ ଜନମତ ସହ ସଂଖ୍ୟାଗରିଷ୍ଠ ଦଳ ଭାବେ ଓଡିଶାରେ ସରକାର ଗଢିଛି ବିଜୁ ଜନତା ଦଳ । ଆଉ ଦଳର ନେତା ଭାବେ ନବୀନ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ।

ନବୀନଙ୍କ ରେକର୍ଡ ପଂଚମ ପାଳି । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ସିକ୍କିମର ପବନ ଚାମଲିଙ୍ଗ ଓ ପଶ୍ଚିମବଂଗର ଜ୍ୟୋତି ବସୁଙ୍କ ସହ ସମକକ୍ଷ ହୋଇଛନ୍ତି ନବୀନ । ଏଭଳି ଐତିହାସିକ ସମୟର ସାକ୍ଷୀ ବନିଛନ୍ତି ବଡ ଭଉଣୀ ଗୀତା ମେହଟ୍ଟା ଏବଂ ଭାଇ ପ୍ରେମ୍ ପଟ୍ଟନାୟକ । ଶପଥ ସମାରୋହ ପାଇଁ ଇଡକୋ ପ୍ରଦର୍ଶନୀ ପଡିଆରେ ଅତିଥିଙ୍କ ଖଚାଖଚ ଭିଡ ରହିଥିଲା । ଆଉ ଏହି ଭିଡ ଭିତରେ ଆଗଧାଡିରେ ବସିଥିଲେ ଲେଖିକା ଭଉଣୀ ଗୀତା ମେହଟ୍ଟା । ପାଖରେ ବସିଥିଲେ ଶିଳ୍ପପତି ଭାଇ ପ୍ରେମ୍ ପଟନାୟକ । ମଂଚ ଉପରେ ନବୀନ ଶପଥ ନେଉଥିଲେ ଆଉ ତଳେ ବସି ବେଶ୍ ଉତ୍ସାହର ସହ ତାଳି ମାରୁଥିଲେ ଭଉଣୀ ଗୀତା । ୨୦୧୪ ରେ ମଧ୍ୟ ନବୀନଙ୍କ ଶପଥ ସମାରୋହରେ ନଜର ଆସିଥିଲେ ଗୀତା । ହେଲେ ଏଥର ଭାଇ ପ୍ରେମ ପଟ୍ଟନାୟକଙ୍କୁ ମଧ୍ୟ ଦେଖିବାକୁ ମିଳିଛି ।

publive-imageନବୀନଙ୍କ ପରେ ପରେ ଶପଥ ନେଇଥିଲେ ମନ୍ତିମଣ୍ଡଳର ଅନ୍ୟ ସଦସ୍ୟ । ୧୧ କ୍ୟାବିନେଟ୍ ମନ୍ତ୍ରୀ ଓ ୯ ରାଷ୍ଟ୍ରମନ୍ତ୍ରୀ ଶପଥ ନେବା ପରେ ସିଧା ସଚିବାଳୟ ଅଭିମୁଖେ ବାହାରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯେଉଁଠି ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ସଚିବାଳୟରେ ସୃଷ୍ଟି ହୋଇଥିଲା ଉତ୍ସବର ମାହୋଲ । ବିରାଟ ଫୁଲ ତୋଡା ସହ ନବୀନଙ୍କୁ କର୍ମସ୍ଥଳୀକୁ ପାଛୋଟି ନେଇଥିଲେ ସଚିବାଳୟ କର୍ମଚାରୀ । ଏହି ସମୟରେ ଭଉଣୀ ଗୀତା ମେହଟା ଓ ଭାଇ ପ୍ରେମ ପଟ୍ଟନାୟକଙ୍କୁ ମଧ୍ୟ ସଚିବାଳୟରେ ଦେଖିବାକୁ ମିଳିଥିଲା । କୁହାଯାଏ, ନବୀନଙ୍କୁ ସବୁ କଥାରେ ଓ ସବୁ ସମୟରେ ଉଚିତ ପରାମର୍ଶ ଦେଇଥାନ୍ତି ଗୀତା । ଏଥିପାଇଁ ଅନେକ ସମୟରେ ନବୀନ ନିବାସରେ ଗୀତାଙ୍କୁ ଦେଖିବାକୁ ମିଳିଥାଏ । ହେଲେ ପ୍ରଥମଥର ଉଭୟ ଗୀତା ମେହଟା ଓ ପ୍ରେମ ପଟ୍ଟନାୟକ ସମାରୋହସ୍ଥଳରୁ ସଚିବାଳୟ ଯାଇଥିଲେ ।