ବିଜେଡି ସୁପ୍ରିମୋଙ୍କ ନିର୍ବାଚନ ସତ୍ୟପାଠ ! ନବୀନଙ୍କ ହାତରେ ଅଛି ନଗଦ ୨୫ ହଜାର ଟଙ୍କା, ଭଉଣୀଙ୍କ ଠାରୁ ୧୫ ଲକ୍ଷ ଟଙ୍କା ନେଇଛନ୍ତି ଋଣ । ଜାଣନ୍ତୁ କେତେ ଟଙ୍କାର ମାଲିକ ରାଜ୍ୟର ମୁଖ୍ୟମନ୍ତ୍ରୀ ?

1,924

କନକ ବ୍ୟୁରୋ : ହିଞ୍ଜିଳି ଆସନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଜେଡି ସୁପ୍ରିମୋ । ଆଉ ଏହାସହ ନିର୍ବାଚନ ଅଧିକାରୀଙ୍କ ନିକଟରେ ନିର୍ବାଚନ ସତ୍ୟପାଠ ଦାଖଲ କରିଛନ୍ତି ନବୀନ  ।ଯେଉଁଥିରେ ନିଜ ବିଷୟରେ ସମସ୍ତ ତଥ୍ୟ ଉଲ୍ଲେଖ କରିଛନ୍ତି ନବୀନ ପଟ୍ଟନାୟକ । ୭୨ ବର୍ଷୀୟ ନବୀନ ସତ୍ୟପାଠରେ ନିଜର ସ୍ଥାବର ଓ ଅସ୍ଥାବର ସମ୍ପତି, ବ୍ୟାଙ୍କ ଋଣ ଓ ଅନ୍ୟାନ୍ୟ ତଥ୍ୟ ଉଲ୍ଳେଖ କରିଛନ୍ତି । ନଜର ପକାନ୍ତୁ ନବୀନଙ୍କ ସତ୍ୟପାଠ ଉପରେ :

ଅସ୍ଥାବର ସମ୍ପତି :

ଗତ ୧୯ ବର୍ଷ ଧରି ଓଡିଶାର ମୁଖ୍ୟମନ୍ତ୍ରୀ ଥିବା ନବୀନଙ୍କ ମୋଟ ୨୩ ଲକ୍ଷ ୨୬ ହଜାର ୫୫୪ ଟଙ୍କାର ଅସ୍ଥାବର ସମ୍ପତି ରହିଛି । ନିର୍ବାଚନ ପୂର୍ବରୁ ନବୀନଙ୍କ ହାତରେ ନଗଦ ୨୫ ହଜାର ଟଙ୍କା ରହିଛି ।ସେହିଭଳି ତାଙ୍କ ନାଁରେ ୫ଟି ବ୍ୟାଙ୍କ ଆକାଉଣ୍ଟ ରହିଛି । ୪ଟି ଆକାଉଣ୍ଟ ଏସବିଆଇର ହୋଇଥିବା ବେଳେ ଗୋଟିଏ ଆକାଉଣ୍ଟ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ରହିଛି । ଭୁବନେଶ୍ୱର ବାପୁଜୀ ନଗରରେ ଥିବା ଷ୍ଟେଟବ୍ୟାଙ୍କରେ ନବୀନଙ୍କର ସର୍ବାଧିକ ୧୪ ଲକ୍ଷ ୨୦ ହଜାର ୫୫୩ ଟଙ୍କା ରହିଛି । ୨୦୧୯ ନିର୍ବାଚନ ପାଇଁ ହିଞ୍ଜିଳିକାଟୁରେ ଷ୍ଟେଟ ବ୍ୟାଙ୍କ କଲେଜ କ୍ୟାମ୍ପସ ବ୍ରାଞ୍ଚରେ ଆକାଉଣ୍ଟ ଖୋଲିଛନ୍ତି ନବୀନ ।   ସେହିଭଳି ନବୀନଙ୍କ ନାଁରେ ଏକ ଆମ୍ବାସଡର କାର ରହିଛି ଯାହାର ମୂଲ୍ୟ ୮୯୦୫ ଟଙ୍କା । ସେହିଭଳି ୨ ଲକ୍ଷ ୧୨ ହଜାର ୨୫୨ ଟଙ୍କାର ଗହଣା ବିଜେଡି ସୁପ୍ରିମୋଙ୍କ ନିକଟରେ ରହିଛି ।

ସ୍ଥାବର ସମ୍ପତି :

ସତ୍ୟପାଠ ଅନୁଯାୟୀ, ନବୀନଙ୍କ ମୋଟ ୬୩ କୋଟି ୬୪ ଲକ୍ଷ ୧୫ ହଜାର ୨୬୧ ଟଙ୍କାର ସ୍ଥାବର ସମ୍ପତି ରହିଛି । ଯେଉଁଥିରେ ନବୀନଙ୍କ ନାଁରେ ଥିବା ବାସଗୃହ, ଚାଷଜମି ରହିଛି । ନୂଆଦିଲ୍ଲୀରେ ନବୀନଙ୍କ ୧୦ କୋଟି ୭୫ ଲକ୍ଷ ୫୧ ହଜାର ୦୭୧ ଟଙ୍କାର  ଚାଷ ଜମି ରହିଛି । ଏହାଛଡା ଭୁବନେଶ୍ୱରରେ ଯେଉଁ ମୁଖ୍ୟମନ୍ତ୍ରୀଙ୍କ ବାସଗୃହ ନବୀନ ନିବାସ ରହିଛି ଏଥିରେ ନବୀନଙ୍କ ଦୁଇ ତୃତୀୟାଂଶ ସେୟାର ରହିଛି । ଯାହାର ମୂଲ୍ୟ ୯ କୋଟି ୫୨ ଲକ୍ଷ ୪୬ ହଜାର ୧୯୦ ଟଙ୍କା  । ଏହାଛଡା ଦିଲ୍ଲୀର ଅବଦୁଲ କଲାମ ରୋଡରେ ଯେଉଁ ବାସଗୃହ ରହିଛି ସେଥିରେ ନବୀନଙ୍କ ୫୦ ପ୍ରତିଶତ ସେୟାର ରହିଛି । ଯାହାର ମୂଲ୍ୟ ୪୩ କୋଟି ୩୬ ଲକ୍ଷ ୧୮ ହଜାର ଟଙ୍କା ।

ଏହାଛଡା ନିଜ ଭଉଣୀ ଗୀତା ମେହେଟ୍ଟାଙ୍କ ଠାରୁ ୧୫ ଲକ୍ଷ ଟଙ୍କା ଋଣ ଆଣିଥିବା ସତ୍ୟପାଠରେ ଦର୍ଶାଇଛନ୍ତି ନବୀନ । ସେହିଭଳି ୨୦୧୭-୧୮ ଆର୍ଥିକ ବର୍ଷରେ ମୋଟ ୨୧ ଲକ୍ଷ ୧୭ ହଜାର ୨୨୩ ଟଙ୍କା ରୋଜଗାର କରିଥିବା ସତ୍ୟପାଠରେ ଉଲ୍ଲେଖ କରିଛନ୍ତି ନବୀନ । ଏହାଛଡା ନିଜର ଶିକ୍ଷାଗତ ଯୋଗ୍ୟତା ମଧ୍ୟ ଦର୍ଶାଇଛନ୍ତି ନବୀନ । ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ୧୯୬୭ ମସିହାରେ କଳାରେ ଗ୍ରାଜୁଏଟ ହୋଇଛନ୍ତି ବିଜେଡି ସୁପ୍ରିମୋ । ଏହାଛଡା ତାଙ୍କ ନାଁରେ କୌଣସି ଅପରାଧିକ ମାମଲା ରହିନଥିବା ବେଳେ  ନିଜ ସୋସିଆଲ ମିଡିଆ ଆକାଉଣ୍ଟ ବାବଦରେ ମଧ୍ୟ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି ନବୀନ ।