କନକ ବ୍ୟୁରୋ : ଦିଲ୍ଲୀରେ ଗର୍ଜିଲେ ଦେଶର ଚାଷୀ । ପ୍ରାଇସ,ପ୍ରେଷ୍ଟିଜ,ପେନସନ୍ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି କୃଷକମାନେ । ଦିଲ୍ଲୀରେ ନବନିର୍ମାଣ କୃଷକ ସଂଗଠନର ଜାତୀୟ ସମ୍ମିଳନୀ ବୁଧବାର ନୂଆଦିଲ୍ଲୀରେ ଆରମ୍ଭ ହୋଇଛି। ଏହି ସମ୍ମିଳନୀରେ ଓଙ୍ଗିଶାରୁ ୫ ହଜାରରୁ ଅଧିକ ଚାଷୀଙ୍କ ସମେତ ୨୨ଟି ରାଜ୍ୟର ୧୦ ହଜାର ଚାଷୀ ସାମିଲ ହୋଇଛନ୍ତି। ସମ୍ମିଳନୀକୁ ବିଶିଷ୍ଟ ଗାନ୍ଧୀବାଦୀ ନେତା ଆନ୍ନା ହଜାରେ ଉଦଘାଟନ କରଛନ୍ତି। ଆନ୍ନା କହିଛନ୍ତି ଯେ କୃଷକମାନେ ଏକତ୍ରିତ ହୋଇ ସ୍ୱର ଉତ୍ତୋଳନ କଲେ ସରକାରଙ୍କୁ ମୁଣ୍ଡ ନୁଆଁଇବାକୁ ପଡ଼ିବ। ହକ୍ ପାଇଁ ଲଢ଼େଇ ଜୋରଦାର କରିବାକୁ ହେବ ବୋଲି ଆନ୍ନା କୃଷକଙ୍କୁ ଆହ୍ଵାନ ଦେଇଛନ୍ତି।
ନୂଆଦିଲ୍ଲୀର ସଂସଦମାର୍ଗରେ ଅନୁଷ୍ଠିତ ଏହି ସମ୍ମିଳନୀରେ ନବନିର୍ମାଣ କୃଷକ ସଙ୍ଗଠନର ଉପଦେଷ୍ଟା ସୌମ୍ୟରଞ୍ଜନ ପଟ୍ଟନାୟକ, ରାଜେନ୍ଦ୍ର ସିଂହ, ସନ୍ଦୀପ ପାଣ୍ଡେଙ୍କ ସହିତ ନବନିର୍ମାଣ କୃଷକ ସଙ୍ଗଠନର ଆବାହକ ଅକ୍ଷୟ କୁମାର ପ୍ରମୁଖ ଉଦ୍ବୋଧନ ଦେଇ କୃଷକମାନଙ୍କ ହକ୍ ଓ ସେମାନଙ୍କୁ ସମ୍ମାନ ନ ଦେଇ କୌଣସି ଦେଶର ପ୍ରଗତି ସମ୍ଭବ ନୁହେଁ ବୋଲି କହିଛନ୍ତି। ଦିଲ୍ଲୀ ଦରବାରରେ ଚାଷୀଙ୍କ ଦ୍ୱାରା ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ ଦାବି ଉପସ୍ଥାପନ କରାଯିବ। ବିଭିନ୍ନ ରାଜ୍ୟରୁ ଟ୍ରେନ୍ ଯୋଗ ଚାଷୀମାନେ ଦିଲ୍ଲୀ ଆସି ପହଞ୍ଚିଛନ୍ତି। ମଧ୍ୟପ୍ରଦେଶରୁ ଈଶ୍ୱର ଚନ୍ଦ୍ର ତ୍ରିପାଠୀ, ହରିୟାଣାରୁ ପ୍ରତାପ ଚୌଧୁରୀ, ଗୁରୁନାମ ସିଂହ ଚାନ୍ଦେରୀ, ଉତ୍ତର ପ୍ରଦେଶରୁ ହିମାଂଶୁ ତିଓ୍ଵାରୀ, ହରପାଳ ସିଂହ, ରାଜସ୍ଥାନରୁ ରାମପାଲ ଜାଟ୍, କୁଅଁର ରାଜେନ୍ଦ୍ର ନରେଲା, ଉତ୍ତରାଖଣ୍ଡରୁ ପି.ସି. ତିଓ୍ଵାରୀ, ଛତିଶଗଡ଼ରୁ ରବି ବର୍ମା, ବିହାରରୁ ସାଗର କୁମାର, ପଶ୍ଚମବଙ୍ଗରୁ ଶ୍ରୀମତୀ ପମ୍ପା ଓ ଡାକ୍ତର ଗୌତମ ପାଲଙ୍କ ନେତୃତ୍ୱରେ ଚାଷୀମାନେ ଦିଲ୍ଲୀରେ ଆସି ପହଞ୍ଚିଛନ୍ତି।
ନବ ନିର୍ମାଣ କୃଷକ ସଂଗଠନର ପ୍ରଥମ ଜାତୀୟ ସମ୍ମିଳନୀରେ କେନ୍ଦ୍ର ସରକାରଙ୍କୁ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ଦାବି କରାଯିବ ଏବଂ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇ ୬ ମାସ ଭିତରେ ସମାଧାନ କରିବା ପାଇଁ ଆହ୍ଵାନ କରାଯିବ। ନଚେତ ଆଗକୁ ଆନ୍ଦୋଳନ ଜୋରଦାର କରିବା ପାଇଁ ଚେତାବନୀ ଦିଆଯିବ।
ଚାଷୀ ଦେଶର ମେରୁଦଣ୍ଡ । ସେମାନଙ୍କର ବିକାଶ ବିନା ଦେଶର ବିକାଶ ସମ୍ଭବ ନୁହେଁ । ଯେଉଁ ଦେଶର ଚାଷୀ ସୁରକ୍ଷିତ ସେ ଦେଶର ପ୍ରଗତିର ଧାରା ସେତେ ଅଧିକ । କିନ୍ତୁ ସମସ୍ତଙ୍କୁ ଆହାର ଯୋଗାଉଥିବା ଚାଷୀ ଉପଯୁକ୍ତ ମୂଲ୍ୟ ଓ ଋଣଭାର ଯୋଗୁ ଆତ୍ମହତ୍ୟା କରୁଛି । କୌଣସି ସରକାର ଚାଷୀ ଓ ତା ପରିବାର ପ୍ରତି ସଂବେଦନଶୀଳ ନୁହେଁ । ସେମାନେ କିପରି ସମ୍ମାନର ସହ ବଂଚିବେ, ବିକାଶର ଧାରାରେ ସାମିଲ ହେବେ ସେଥିପ୍ରତି କାହାରି ଦୃଷ୍ଟି ନାହିଁ । ବିକାଶର ଡିଣ୍ଡିମ ପିଟୁଥିବା ସରକାରମାନେ ଚାଷୀ ପରିବାରକୁ ହେୟ ମନେ କରୁଛି । ଫଳରେ ନିରାଶ ହୋଇ ଚାଷୀ ଆତ୍ମହତ୍ୟା କରୁଛି । ତାର ଦାବି ଶୁଣିବାକୁ ଯେମିତି କେହି ତତ୍ପର ନୁହେଁ । ସେଥିପାଇଁ ଆଜି ଗ୍ରାମାଂଚଳରୁ ଚାଷୀର ସ୍ୱର ଜାତୀୟସ୍ତରରେ ପହଂଚିଛି । ନିଜର ଦାବିକୁ ଶାଣିତ କରିବା ପାଇଁ ନୂଆଦିଲ୍ଲୀରେ ଜୋରଦାର ଆନ୍ଦୋଳନକରିଛି କୃଷକ ସଂଗଠନ ।
ଆମର ହକ,ଦାବି ପୂରଣ କର । ନଚେତ ଆଗକୁ ଆନ୍ଦୋଳନ ଜୋରଦାର ହେବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି । ବିଭିନ୍ନ ରାଜ୍ୟର କୃଷକମାନେ ନିଜର ହକ ପାଇଁ ଦିଲ୍ଲୀରେ ଏକାଠି ହୋଇ ସ୍ୱର ଉତୋଳନକରିବା ସରକାରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି । ବିଶିଷ୍ଟ ଗାନ୍ଧୀବାଦି ନେତା ଆନ୍ନା ହଜାରେଙ୍କ ସମର୍ଥନ ଚାଷୀଙ୍କ ମନୋବଳ ବୃଦ୍ଧିପାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/10/sir.jpg)