କୋଭିଡ କଟକଣା ମଧ୍ୟରେ ପାଳିତ ହେଉଛି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ : ସମଲେଶ୍ୱରୀଙ୍କ ପୀଠରେ ଲାଗିହେଲା ନବାନ୍ନ

Advertisment
କୋଭିଡ କଟକଣା ମଧ୍ୟରେ ପାଳିତ ହେଉଛି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ : ସମଲେଶ୍ୱରୀଙ୍କ ପୀଠରେ ଲାଗିହେଲା ନବାନ୍ନ

କନକ ବ୍ୟୁରୋ : କରୋନା କଟକଣା ମଧ୍ୟରେ ପଶ୍ଚିମଓଡିଶାରେ ପାଳନ ହେଉଛି ନୂଆଁଖାଇ । ଏହି ଅବସରରେ ପଶ୍ଚିମ ଓଡିଶାରେ ଘରେ ଘରେ ପିଠା ପଣାର ଆସର ଜମିଛି । ଲୋକେ ନୂଆ ଧାନରେ ତିଆରି ନବାନ୍ନ ଇଷ୍ଟ ଦେବୀଙ୍କ ଠାରେ ଲାଗି କରିଛନ୍ତି । ଆଜି ସମଲେଶ୍ୱରୀ ମନ୍ଦିରରେ ସକାଳେ ନିର୍ଧାରିତ ସମୟ ମଧ୍ୟରେ ନବାନ୍ନ ଲାଗି ହେବା ପରେ ପଶ୍ଚିମ ଓଡିଶାବାସୀ ଘରେ ଘରେ ନୂଆ ଖାଇଛନ୍ତି । ତେବେ ଏଥର ନୂଆଖାଇ ଅବସରରେ ସମଲେଶ୍ୱରୀ ମନ୍ଦିରକୁ ନଆସିବାକୁ ମନ୍ଦିର ଟ୍ରଷ୍ଟ ନିବେଦନ କରିଛି । ଏଥର ନୂଆଖାଇରେ ବନ୍ଦ ରହିଛି ସାଧାରଣ ଦର୍ଶନ । ମାଆଙ୍କର ପୁରା ରୀତିନୀତି ସାମାଜିକ ଗଣମାଧ୍ୟମ ଜରିଆରେ ଦେଖଛନ୍ତି ଶ୍ରଦ୍ଧାଳୁ । ଚଳିତ ବର୍ଷ ନୂଆଖାଇରେ ମନ୍ଦିରରୁ ବାହାରିବନି ନବାନ୍ନ । ତେଣୁ ଏଥର ନୂଆଖାଇ ଅବସରରେ ପଶ୍ଚିମ ଓଡିଶାବାସୀ ମାଆ ସମଲେଶ୍ୱରୀଙ୍କ ମନ୍ଦିରରୁ ନବାନ୍ନ ପାଇବାରୁ ବଂଚିତ ରହିଛନ୍ତି । ସେପଟେ ନବାନ୍ନ ଖାଇବା ପରେ ଘରେ ଘରେ ଜୁହାର ଭେଟ ହୋଇଛି । ନୂଆ ପୋଷାକ ପିନ୍ଧି କନିଷ୍ଠମାନେ ବରିଷ୍ଠଙ୍କ ଠାରୁ ଆଶୀର୍ବାଦ ନେଇଛନ୍ତି । ଚଳିତ ବର୍ଷ କରୋନା କାରଣରୁ ସାମୁହିକ ନୂଆଖାଇ ଉତ୍ସବ ପାଳନ ଉପରେ କଟକଣା ଲାଗିଛି ।publive-image

ଏହି ଅବସରରେ ଭାରତର ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ରାଜ୍ୟବାସୀଙ୍କୁ ନୂଆଁଖାଇ ଶୁଭେଚ୍ଛା ଜଣାଇଛନ୍ତି । ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସରରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ ଶୁଭେଚ୍ଛା ଜଣାଇ ଲେଖିଛନ୍ତି ‘ନୂଆଁଖାଇ ଜୁହାର’।

ରାଜ୍ୟବାସୀଙ୍କୁ ନୂଆଁଖାଇ ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତଙ୍କ ଉନ୍ନତି ଏବଂ ଉତ୍ତମ ସ୍ୱାସ୍ଥ୍ୟ କାମନା କରି ନିଜର ଟୁଟରରେ ଲେଖିଛନ୍ତି, ‘ ଆମର ଚାଷୀ ଭାଇ ମାନଙ୍କର କଠିନ ପରିଶ୍ରମର ଉତ୍ସବ ହେଉଛି ପବିତ୍ର ନୂଆଁଖାଇ । ସେମାନଙ୍କର ଝାଳବୁହା ପରିଶ୍ରମ କାରଣରୁ ଆମ ଦେଶକୁ ଅନ୍ନ ମିଳୁଛି । ଏହି ବିଶେଷ ଦିବସରେ ସମସ୍ତଙ୍କ ଉନ୍ନତି ଏବଂ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି । ନୂଆଁଖାଇ ଜୁହାର ।’

ରାଜ୍ୟବାସୀଙ୍କୁ ନୂଆଁଖାଇ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଟୁଟରରେ ଲେଖିଛନ୍ତି, ‘ ନୂଆଁ ଧାନ୍ ସାଙ୍ଗେ ନୂଆଁ ଆଶା ନେଇକରି ପାଲନ୍ କରୁନ୍ ଇ ଭାଇଚାରାର୍ ପରବ୍ ନୂଆଁଖାଇ। ସମସ୍ତଙ୍କର୍ ସୁଖ ଆର୍ ସମୃଦ୍ଧି କାମନା କରୁଛେଁ। ସଭିଙ୍କୁ ମୋର୍ ନୂଆଁଖାଇ ଜୁହାର୍।’ ନୂଆଁଖାଇ ପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ସେ ମା’ ସମଲେଇଙ୍କ ନିକଟରେ ସମସ୍ତଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଛନ୍ତି ।

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର ଟୁଟରରେ ଲେଖିଛନ୍ତି, ‘ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇର ଶୁଭକାମନା । ଏହି ଅବସରରେ ମା’ ସମଲେଇଙ୍କ ନିକଟରେ ସମସ୍ତଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe