ନବଦିଗନ୍ତ ଚିଟଫଣ୍ଡ ଠକେଇ ମାମଲା ! ପୂର୍ବତନ ବିଜେପି ବିଧାୟକ ହିତେଶ ବଗର୍ତ୍ତିଙ୍କୁ ହାଇକୋର୍ଟଙ୍କ ସର୍ତ୍ତମୂଳଳ ଜାମିନ

30

କନକ ବ୍ୟୁରୋ : ଚିଟଫଣ୍ଡ ମାମଲାରେ ଜେଲରେ ଥିବା ପୂର୍ବତନ ବିଧାୟକ ହିତେଶ ବଗର୍ତ୍ତିଙ୍କୁ ହାଇକୋର୍ଟ ଆଜି ସର୍ତ୍ତମୂଳଳ ଜାମିନଦେଇଛନ୍ତି । ୨ ଲକ୍ଷ ଟଙ୍କା ବ୍ୟାଙ୍କ ଜମା ବଦଳରେ ହାଇକୋର୍ଟ ଏହି ଜାମିନ ଦେଇଛନ୍ତି । ୨୫ ତାରିଖରେ ହିତେଶଙ୍କ ଜାମିନ ଆବେଦନର ଶୁଣାଣି ହାଇକୋର୍ଟରେ ଶେଷ ହୋଇଥିଲା । ଜାମିନ ଆବେଦନକୁ ସିବିଆଇ ବିରୋଧ କରିଥିଲା । ନବଦିଗନ୍ତ ଚିଟଫଣ୍ଡ ମାମଲାରେ ୨୦୧୪ ନଭେମ୍ବରରେ ହିତେଶଙ୍କୁ ସିବିଆଇ ଗିରଫ କରିଥିଲା । ସେ ସମୟରେ ସାଂସଦ ରାମଚନ୍ଦ୍ର ହାଂସଦା ଓ ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକ ବି ଗିରଫ ହୋଇଥିଲେ ।

ଅଗଷ୍ଟ ୯ରେ ନବଦିଗନ୍ତ ଚିଟଫଣ୍ଡ ଦୁର୍ନୀତି ମାମଲାରେ ଛନ୍ଦି ହୋଇ ସିବିଆଇ ଦ୍ୱାରା ଗିରଫ ହୋଇ ଜେଲରେ ଥିବା ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ । ହାଇକୋର୍ଟ ବିଚାରପତି ଜଷ୍ଟିସ ଜେ.ପି ଦାସ ଶ୍ରୀ ନାୟକଙ୍କୁ ୨ ଲକ୍ଷ ଟଙ୍କାର ଜମାକରିବା ସହିତ ଦୁଇ ଜଣ ଜାମିନଦାରଙ୍କ ବଦଳରେ ସୁବର୍ଣ୍ଣ ନାୟକଙ୍କୁ ଜାମିନ ପ୍ରଦାନ କରିଥିଲେ । ଏତଦବ୍ୟତୀତ କୋର୍ଟଙ୍କ ବିନା ଅନୁମତିରେ ଶ୍ରୀ ନାୟକ ରାଜ୍ୟ ବାହାରକୁ ଯିବା ଉପରେ ମଧ୍ୟ ହାଇକୋର୍ଟ ରୋକ ଲଗାଇଥିଲେ । ସେହିପରି ତଦନ୍ତରେ ସହଯୋଗ କରିବା ସର୍ତ୍ତରେ ଶ୍ରୀ ନାୟକଙ୍କୁ ଏହି ଜାମିନ ପ୍ରଦାନ କରିଥିଲେ ହାଇକୋର୍ଟ । ବିଜେଡି ସାଂସଦ ରାମଚନ୍ଦ୍ର ହାଂସଦା ଏବେ ବି ଜେଲରେ ଅଛନ୍ତି ।