କନକ ବ୍ୟୁରୋ: ଗୋଟିଏ ପଟେ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡର ଗୁମର ଖୋଲୁନଥିବାବେଳେ, ଅନ୍ୟପଟେ ରାଜନୈତିକ ବୟାନବାଜି ଜୋରଦାର ହୋଇଛି । ହତ୍ୟାକାଣ୍ଡ ପଛରେ ଶାସକ ଦଳର ବଡ ନେତାଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରିଛନ୍ତି ବିଜେପି ନେତା । ପ୍ରଦୀପ ପୁରୋହିତ ସାଂଘାତିକ ଅଭିଯୋଗ କରି କହିଛନ୍ତି, ମୁଖ୍ୟମନ୍ତ୍ରୀ ପଦ ଆଶା ହିଁ ନବଙ୍କ ପାଇଁ କାଳ ହେଲା । ନବୀନ ବାବୁଙ୍କ ପରେ କିଏ ହେବ ମୁଖ୍ୟମନ୍ତ୍ରୀ । ସେହି ବିବାଦ ହିଁ ନବ ଦାସଙ୍କ ହତ୍ୟାର କାରଣ । ତେଣୁ ମାମଲାର ସିବିଆଇ ତଦନ୍ତ ହେଉ ।
ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ମଧ୍ୟ ପୁଣି ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଆଉ ଅଭିଯୋଗ କରି କହିଛନ୍ତି, ନବ ଦାସଙ୍କ ହତ୍ୟାକାଣ୍ଡର ଗୋପାଳ କେବଳ ସୁଟର କିନ୍ତୁ ହ୍ୟାଣ୍ଡଲର କିଏ? ଏହା ପଛରେ ବହୁତ ବଡ ବଡ ମୁଣ୍ଡ ରହିଛି । ଓଡି଼ଶା ପୋଲିସ ତଦନ୍ତ ନାଁରେ ଡ୍ରାମା କରୁଥିବା ଅଭିଯୋଗ କରିଛନ୍ତି । ଲିପାପୋତି କରି ଘଟଣାକୁ ଚାପି ଦେବାକୁ ରାଜ୍ୟ ସରକାର ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି । ବିଜେପି ନେତାଙ୍କ ଅଭିଯୋଗ ପରେ ଜବାବ ରଖିଛନ୍ତି ବିଜେଡି ବିଧାୟକ ଶଶୀଭୂଷଣ ବେହେରା । କହଛନ୍ତି, କ୍ରାଇମବ୍ରାଞ୍ଚ ତଦନ୍ତ ଚାଲିଛି, ଅପେକ୍ଷା କରନ୍ତୁ ।
ବିଜେପି ନେତାଙ୍କ ଅଭିଯୋଗର କେତେ ସତ୍ୟତା ରହିଛି ତାହା କାହାକୁ ଜଣାନାହିଁ । କିନ୍ତୁ ନବ ଦାସଙ୍କୁ ହତ୍ୟା କରାଯାଇଥିବା ଷଡଯନ୍ତ୍ର ଚର୍ଚ୍ଚାକୁ ଖୋରାକ ଯୋଗାଇଛି । ଯାହାକୁ ନେଇ ପ୍ରଶ୍ନ ଉଠୁଛି ।
- ବିଜେପି ନେତାଙ୍କ ଅଭିଯୋଗର ଆଧାର କ’ଣ?
- ଅଭିଯୋଗ ପଛରେ କିଛି ସତ୍ୟତା ରହିଛି, ନା ରାଜନୈତିକ ବୟାନବାଜି?
- ସତରେ କଣ ନବ ଦାସ ମୁଖ୍ୟମନ୍ତ୍ରୀ ହେବାକୁ ଆଶା ରଖିଥିଲେ?
- ନବୀନଙ୍କ ପରେ କିଏ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛନ୍ତି?
Follow Us