କନକ ବ୍ୟୁରୋ: ସୁଦର୍ଶନ ସ୍ୱାଇଁ । ପେଶାରେ ନାଉରିଆ । ଯିଏ ପ୍ରତିଦିନ ଲୋକଙ୍କୁ ଡଙ୍ଗାରେ ପାରିକରନ୍ତି, ସେ ଅନ୍ୟର ଜୀବନ ବଞ୍ଚାଇବାକୁ ଯାଇ ନିଜର ଜୀବନ ଦେଇଛନ୍ତି, ଆଉ ତାଙ୍କୁ ଝୁରି ଝୁରି ଲୋକଙ୍କ ଆଖିରୁ ଲୁହ ଝରିଯାଉଛି । ସେ ଏମିତି କିଛି ମହତ କାମ କରିଯାଇଛନ୍ତି, ଯେତେବେଳେ ତାଙ୍କ ନାମ ଆସିବ ଲୋକଙ୍କ ମନରେ କେବଳ ସମ୍ମାନ ଓ ତ୍ୟାଗର କଥା ଆସିବ । ଅନ୍ୟକୁ ବଞ୍ଚାଇବାକୁ ଯାଇ ନିଜ ଜୀବନ ଦେଇ ଅମର ହୋଇଯାଇଛନ୍ତି ସୁଦର୍ଶନ ।
୨୦ ଜଣ ଯାତ୍ରୀଙ୍କୁ ନେଇ ନଈ ପାଣିରେ ଡଙ୍ଗା ଆଗକୁ ବଢ଼ୁଥିଲା । ହେଲେ ହଠାତ୍ ନଈରେ ପାଣି ପଶିବା ଆରମ୍ଭ କଲା, ଆଉ ଡଙ୍ଗାଟି ଓଲଟି ପଡ଼ିଲା । କିଛି କ୍ଷଣ ମଧ୍ୟରେ ସବୁ କିଛି ଓଲଟପାଲଟ ହୋଇଗଲା । ଯାତ୍ରୀମାନେ ପାଣିରେ ପଡ଼ିଯାଇଥିଲେ । ସ୍ଥିତି ସଙ୍ଗୀନ ହୋଇ ଉଠିଥିଲା । ଆଉ ଏହା ଦେଖି ନିଜକୁ ରୋକି ପାରିନଥିଲେ ସୁଦର୍ଶନ । ପାଣି ଭିତରକୁ ଡେଇଁପଡ଼ି ଅନ୍ୟର ଜୀବନ ବଞ୍ଚାଇବାକୁ ଆରମ୍ଭ କରିଦେଇଥିଲେ । ପ୍ରଥମେ ପାଣିରେ ବୁଡ଼ି ଯାଇଥିବା ୨ ଜଣ ପିଲାଙ୍କ ଜୀବନ ବଞ୍ଚାଇଥିଲେ ସୁଦର୍ଶନ । ଏହା ପରେ ଗୋଟିଏ ପରିବାରର ୪ ଜଣଙ୍କ ମଧ୍ୟ ଜୀବନ ବଞ୍ଚାଇଥିଲେ । ହେଲେ ପ୍ରଖର ସ୍ରୋତରେ ଆଉ ଜଣେ ନାବାଳକ ଭାସି ଯାଉଥିବା ଦେଖି ତାଙ୍କୁ ବଞ୍ଚାଇବାକୁ ଡେଇଁ ପଡ଼ିଥିଲେ ସୁଦର୍ଶନ, ଆଉ ସେହି ନାବାଳକଙ୍କ ସହ ଭାସି ଯାଇ ନିଖୋଜ ହୋଇଯାଇଥିଲେ । ଗତକାଲି ନାବାଳକଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଶୁକ୍ରବାର ସୁଦର୍ଶନଙ୍କ ମୃତଦେହ ଉଦ୍ଧାର ହୋଇଛି ।
ସେପଟେ ସୁଦର୍ଶନଙ୍କ ମୃତଦେହ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଅନ୍ୟର ଜୀବନ ବଞ୍ଚାଇବାକୁ ଯାଇ ସୁଦର୍ଶନଙ୍କ ଜୀବନ ଚାଲିଯିବା ସମସ୍ତଙ୍କୁ ଦୁଃଖ ଦେଇଛି । କାହିଁକି ଏକମାଣିଆକୁ ଏଯାଏଁ ପୋଲ ଯୋଗେ ସଂଯୋଗ ହୋଇନାହିଁ, ତାକୁ ନେଇ ସ୍ଥାନୀୟ ଲୋକ ପ୍ରଶ୍ନ କରିବା ସହ ପ୍ରତିବାଦ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/04/26-25.jpg)