ଠକର ସୌଦାଗର ନଟବରଲାଲ । ଯିଏ ବିଦେଶୀ ଲୋକଙ୍କୁ ଭୂଆଁ ବୁଲାଇ ବିକ୍ରି କରିଦେଇଥିଲା ତାଜମହଲ, ଲାଲକିଲ୍ଲା ଏବଂ ସଂସଦ ।

1,221

କନକ ବ୍ୟୁରୋ: ଠକାମିର ବାଦଶାହ,ଠକର ସୌଦାଗର ନଟବରଲାଲ । ଇଏ ସେଇ ନଟବରଲାଲ ଯିଏ ବିଦେଶୀ ହାତରେ ବିକ୍ରି କରିଦେଇଥିଲା ତାଜମହଲ ଆଉ ଲାଲକିଲ୍ଲା । ଥରେ କି ଦୁଇ ଥର ନୁହେଁ ବିଦେଶୀ ଲୋକଙ୍କୁ ଭୂଆଁ ବୁଲେଇ ତିନି ତିନି ଥର ଏହି ଠକ ତାଜମହଲ ଆଉ ଲାଲକିଲ୍ଲାକୁ ବିକ୍ରି କରିଦେଇଥିଲା । ଖାଲି ସେତିକି ନୁହେଁ ୟା ଠକାମିର ସୀମା ଏତେ ଲମ୍ବିଥିଲା ଯେ, ଭାରତର ସଂସଦ ଆଉ ରାଷ୍ଟ୍ରପତି ଭବନକୁ ବି ସେ ଛାଡି ନଥିଲା ।

ଭାରତରେ ଏମିତି ଜଣେ ଠକ କେବେ ବସବାସ କରୁଥିଲା ଯେ କି ଭାରତର ସଂସଦକୁ ବି ବିକ୍ରି କରିବାର ସାହାସ ରଖୁଥିଲା ତା ବୋଧହୁଏ ବହୁତ କମ ଲୋକ ଜାଣିଥିବେ । ହେଲେ କଥାଟି କିନ୍ତୁ ପୂରାପୁରି ସତ । ମିଥିଳେଶ କୁମାର ଶ୍ରୀବାସ୍ତବ ଔରଫ ନଟବରଲାଲ । ଭାରତର ଠକାମି ଦୁନିଆଁର ଏ ଏମିତି ଏକ ନାଁ ଯାହାକୁ କେହି ବି ଭୁଲି ପାରିବେନି ।  ନିଜ କଥାର ଛଳରେ ବିଦେଶୀ ଲୋକଙ୍କୁ ଚୂନ ଲଗାଇ ଏହି ଠକ ବିଶ୍ୱ ପ୍ରସିଦ୍ଧ ତାଜମହଲ ସହ ରାଷ୍ଟ୍ରପତି ଭବନ, ଲାଲକିଲ୍ଲା ଆଉ ସଂସଦକୁ ବି ବିକ୍ରି କରିଦେଇଥିଲା । ଏମିତିକି ଭାରତର ରାଷ୍ଟ୍ରପତି ଭବନକୁ ବିକିବାକୁ ସେ ଜାଲରେ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦଙ୍କ ସିଗନେଚର ବି କରିଦେଇଥିଲା । ଯାହା ଶୁଣିବା ପରେ ଆଜି ବି ଅନେକ ଲୋକ ତାଜୁବ ହୁଅନ୍ତି ।

ତେବେ ଠକ ନଟବରଲାଲର ଠକାମିର ସୀମା ଖାଲି ଏତିକି ନଥିଲା । ବିଭିନ୍ନ ସମୟରେ ଅନେକ ଲୋକଙ୍କୁ ଚୂନ ଲଗାଇ ସେ ଲକ୍ଷ ଲକ୍ଷ ଟଙ୍କାର ଠକେଇ କରିଥିଲା । କୁହାଯାଏ ଭାରତର ଅନେକ ଶିଳ୍ପପତିଙ୍କ ପାଖରେ ବି ସେ ନିଜର ଠକ ବୁଦ୍ଧିକୁ ପ୍ରୟୋଗ କରି ଅନେକଙ୍କୁ କଳାକନା ବୁଲାଇ ଦେଇଥିଲା । ଯେଉଥିପାଇଁ ତା ନାଁରେ ଆଠଟି ରାଜ୍ୟରେ ଶହେରୁ ଅଧିକ ମାମଲା ପଡିରହିଥିଲା ।

ସବୁଠାରୁ ରୋଚକ କଥା ହେଉଛି, ପୋଲିସ ନଟବରଲାଲକୁ ଧରି ହାଜତରେ ଭର୍ତ୍ତି କରୁଥିଲେ ବି ସେ ସବୁଥର କିଛି ନା କିଛି ଫନ୍ଦି ଫିକର କରି ଜେଲରୁ ବାହାରି ଯାଉଥିଲା । ଅନେକ ଥର ସେ ନିଜର ବେଶ ବଦଳାଇ ଜେଲରଙ୍କୁ ଚକମା ଦେଉଥିଲା । କୁହାଯାଏ ନଟବରଲାଲର ପ୍ରକୃତ ନା କଣ ଥିଲା ସେତେବେଳେ କାହାକୁ ବି ଜଣାନଥିଲା । ସେ ପ୍ରାୟ ପଚଶରୁ ଅଧିକ ନାଁରେ ପରିଚିତ ଥିଲା ଏବଂ ବେଶ ଭୂଷା ବଦଳାବାରେ ମାହିର ଥିଲା । ତେଣୁ ପୋଲିସ ତା ପାଖରେ ଏତେ ସହଜରେ ପହଞ୍ଚିପାରୁନଥିଲା।

୧୯୯୬ ମସିହାରେ ଶେଷ ଥର ପାଇଁ ନଟବରଲାଲ ପୋଲିସ ହାତରେ ଧରାପଡିଥିଲା । ସେତେବେଳେ ତାକୁ ୮୪ ବର୍ଷ ହୋଇଥାଏ । ଦେହ ଖରାପ ଥିବାରୁ ଅଦାଲତ ତାକୁ କାନପୁର ଜେଲରୁ ଦିଲ୍ଲୀ ଏମସକୁ ପଠାଇଥିଲେ । ଆଉ ଟ୍ରେନରେ ଦିଲ୍ଲୀ ଯିବା ସମୟରେ ପୁରୁଣା ଦିଲ୍ଲୀ ଷ୍ଟେସନରେ ସେ ପୋଲିସଙ୍କୁ ଚକମା ଦେଇ ଫେରାର ହୋଇଯାଇଥିଲା। ସେବେଠାରୁ ତାକୁ କେବେ ବି କେଉଁଠି ଦେଖିବାକୁ ମିଳିନି । ସେ କେବେ ମୃତ୍ୟୁବରଣ କଲା ତା’ର ସଠିକ ତଥ୍ୟ ବି କାହା ପାଖରେ ନାହିଁ । କୁହାଯାଏ ତା ସବୁ ମାମଲାର ଦଣ୍ଡକୁ ମିଶାଇଲେ ତାକୁ ୧୧୩ ବର୍ଷ ପାଇଁ ଜେଲ ଦଣ୍ଡ ଶୁଣାଯାଇଥିଲା ।