ହିମାଚଳପ୍ରଦେଶକୁ ପ୍ରକୃତିର ପ୍ରହାର। ଭୂସ୍ଖଳନ ଯୋଗୁଁ ମାଟିରେ ମିଶିଲା ସିମଲାର ଶିବ ମନ୍ଦିର

217

କନକ ବ୍ୟୁରୋ: ପାହାଡ଼ରେ ପ୍ରଳୟ । ହିମାଚଳପ୍ରଦେଶରେ ପ୍ରକୃତିର କରାଳରୂପ । ଶ୍ରାବଣମାସ ଶେଷ ସୋମବାର ଥିଲା । ହିମାଚଳପ୍ରଦେଶ ରାଜଧାନୀ ସିମଲାର ସମରହିଲରେ ଥିବା ଶିବମନ୍ଦିରରେ ଲାଗିଥିଲା ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ । ସକାଳୁ ସକାଳୁ ମହାଦେବଙ୍କୁ ପୂଜାର୍ଚ୍ଚନା କରି କିଏ ଦୀର୍ଘାୟୁ କାମନା କରୁଥିଲା ତ ପୁଣି କିଏ ଘର ପରିବାର ପାଇଁ ଶୁଭ ମନାସୁଥିଲା । କିନ୍ତୁ ଶ୍ରଦ୍ଧାଳୁ ଜାଣିନଥିଲେ ହଠାତ ସେମାନଙ୍କ ଉପରକୁ ମୃତ୍ୟୁର କଳାଛାଇ ମାଡି ଆସିବ ଓ କ୍ଷଣିକରେ ଚାଲିଯିବ ଜୀବନ । ହଠାତ ଘଟିଲା ଭୂସ୍ଖଳନ । ପାହାଡ ପାଦ ଦେଶରେ ଥିବା ଶିବ ମନ୍ଦିର ଉପରକୁ ଖସିଥିଲା ବଡ ବଡ ପଥରଖଣ୍ଡ । କେହି କିଛି ବୁଝିବା ଆଗରୁ ଦବି ଯାଇଥିଲା ମନ୍ଦିର । ଏଠାରେ ଥିବା ୫୦ରୁ ଅଧିକ ଭକ୍ତ ମଧ୍ୟ ପଥରଖଣ୍ଡ ତଳେ ମଧ୍ୟ ଚାପି ହୋଇ ଯାଇଥିଲା । ଘଟଣାସ୍ଥଳରେ ପହଞ୍ଚି ଏନଡିଆରଏଏଫ ଟିମ ପହଞ୍ଚି ଉଦ୍ଧାର କରୁଛି । ଏବେ ସୁଦ୍ଧା ୨୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ତେବେ ପଥରଖଣ୍ଡ କିଛି ଲୋକ ଚାପି ରହିଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ଆଶଙ୍କା ରହିଛି ।

ହିମାଚଳର ଅନ୍ୟ ଜିଲ୍ଲା ଗୁଡିକ ଉପରେ ନଜର ପକାଇଲେ ବେଶ ସହଜରେ ଅନୁମାନ କରି ହେବ ପ୍ରକୃତିର ପ୍ରକୋପ କେତେ ଯେ ଭୟଙ୍କର ହୋଇପାରେ । କିଭଳି ପ୍ରକୃତିର ତାଣ୍ଡବରେ ଅଣନିଶ୍ୱାସୀ ହୋଇପଡିଛି ପାହାଡ଼ରାଣୀ ହିମାଚଳ । କେଉଁଠି ଭସ୍ଖଳନ ତ ପୁଣି କେଉଁଠି ବାଦଲଫଟା ବର୍ଷା । ଜନଜୀବନକୁ କ୍ଷୟକ୍ଷତି କରୁଛି । ରାଜ୍ୟ ସରକାରଙ୍କ ସୂଚନା ଅନୁସାରେ ଚଳିତବର୍ଷ ବର୍ଷା, ବନ୍ୟା ଓ ଭୁସ୍ଖଳନରେ ହିମାଚଳ ଭାରି କ୍ଷତି ସହିଛି ୭ଶହ କୋଟି ଟଙ୍କାର କ୍ଷତି ହୋଇଛି ।