କନକ ବ୍ୟୁରୋ: ବଣ ପାହାଡ଼ ଘେରା କୋରାପୁଟ ଜିଲ୍ଲାରେ ମହିଳାଙ୍କୁ ରୋଜଗାର ଦେଉଛି ଶାଳ ଓ ଶିଆଳି ପତ୍ର । ବୈପାରୀଗୁଡା ବ୍ଲକର ୭୦୦ରୁ ଉଦ୍ଧ୍ୱର୍ ମହିଳା ଘର ପାଖ ଜଙ୍ଗଲରୁ ଶାଳ ଓ ଶିଆଳି ପତ୍ର ସଂଗ୍ରହ କରି ସେଥିରୁ ଖଲି ପତ୍ର ପ୍ରସ୍ତୁତ କରୁଛନ୍ତି । ପ୍ରଥମେ ଜଙ୍ଗଲରୁ ପତ୍ର ସଂଗ୍ରହ କରି କାଠିରେ ପତ୍ର ଗୁଡ଼ିକୁ ସିଲେଇ କରନ୍ତି । ଏହା ପରେ ପାରମ୍ପରିକ ପଦ୍ଧତିରେ ଓ ଜନ ପଥରରେ ସେହି ପତ୍ର ଗୁଡ଼ିକୁ ଚାପି ରଖନ୍ତି । ଏହା ପରେ ଏକ ସ୍ୱେଚ୍ଛାସେବୀ ସଂଗଠନ ମହିଳା ମାନଙ୍କ ଠାରୁ ସେଇ ଖଲିପତ୍ର ସଂଗ୍ରହ କରି କୋରାପୁଟରେ ହୋଇଥିବା ଏକ ପ୍ରକ୍ରିୟାକରଣ କେନ୍ଦ୍ରରେ ପହଞ୍ଚାଇଥାଆନ୍ତି । ପତ୍ର ସଂଗ୍ରହ କରି ଶୁଖାଇବା ପାଇଁ ଦୁଇରୁ ୩ଦିନ ସମୟ ଲାଗିଥାଏ । ଏହା ପରେ କୋରାପୁଟର ପକ୍ରିୟାକରଣ କେନ୍ଦ୍ରରେ ଥିବା ମହିଳା ମାନେ ଖଲିପତ୍ରକୁ ସୁତାରେ ସିଲେଇ କରନ୍ତି । ପୂର୍ବରୁ ସିଲେଇ ହୋଇଥିବା କାଠିକୁ ବାହାରକରନ୍ତି ।

Kanak News is now on WhatsApp
Join and get latest news updates delivered to you via WhatsApp
ପ୍ରକ୍ରିୟାକରଣ ୟୁନିଟ୍ରେ ଖଲିପତ୍ରକୁ ଶକ୍ତ କାଗଜ ବୋର୍ଡ଼ରେ ଅଠାଦେଇ ଯୋଡ଼ିବା ପରେ ଆଧୁନିକ ଚାପା ମେସିନ୍ରେ ଉନ୍ନତ ମାନର ଖାଇବା ପ୍ଲେଟ୍ ଓ ଗିନା ତିଆରି ହୋଇଥାଏ । ପତ୍ର ସଂଗ୍ରହ କରୁଥିବା ମହିଳାମାନେ ସେମାନଙ୍କ ପାରିଶ୍ରମିକ ପାଉଥିବାବେଳେ ପ୍ରକ୍ରିୟାକରଣ କାମରେ ଲାଗିଥିବା ମହିଳାମାନେ ମଧ୍ୟ ସେମାନଙ୍କ ପାରିଶ୍ରମିକ ପାଉଛନ୍ତି । ଯାହାଦ୍ୱାରା ସେମାନଙ୍କ ଅର୍ଥିକ ସ୍ଥିତିରେ ସୁଧାର ଆସିପାରୁଛି ।
ଦିନକୁ ଦିନ ପ୍ଲାଷ୍ଟିକ୍ ପ୍ଲେଟ୍ ବ୍ୟବହାର ଯୋଗୁଁ ପରିବେଶ ପଦୁଷଣ ବଢ଼ୁଛି । ଏଭଳି ସ୍ଥିତିରେ ମହିଳାମାନଙ୍କ ଦ୍ୱାରା ପ୍ରାକୃତିକ ଉପାୟରେ ପ୍ରସ୍ତୁତ ହେଉଥିବା ଏହି ପ୍ଲେଟ୍ ଏବେ ବଜାରରେ ଆଦୃତି ଲାଭ କରୁଛି । ସ୍ଥାନୀୟ ବଜାର ସହ ସୁଦୁର ବେଙ୍ଗାଲୁରୁରୁ ମଧ୍ୟ ବ୍ୟବସାୟୀ ମାନେ ଖଲିପତ୍ର ପ୍ଲେଟ୍ ଅର୍ଡ଼ର ଦେଇ କିଣିନେଉଛନ୍ତି ।