କନକ ବ୍ୟୁରୋ : ବଳଦ ସାହାଯ୍ୟରେ ବୁଲୁଛି ଘଣା । କାଠ ଘଣାରେ ପେଡ଼ା ହେଉଛି ତୈଳବୀଜ, ପାରମ୍ପରିକ ପ୍ରଣାଳୀରେ ପ୍ରସ୍ତୁତ ହେଉଛି ତେଲ

275

କନକ ବ୍ୟୁରୋ : ଯୁଗ ବଦଳିବା ସହ ବଦଳିଛି ଟେକ୍ନୋଲୋଜି ହେଲେ ପୂର୍ବ ପରମ୍ପରାକୁ ବଂଚାଇ ରଖିଛନ୍ତି ବୌଦ୍ଧ ବଡ଼ମାଳ ଗାଁର ତେଲି ସମ୍ପ୍ରଦାୟର ଲୋକେ । ସମ୍ପୂର୍ଣ୍ଣ ଦେଶୀ ଷ୍ଟାଇଲରେ ପାରମ୍ପରିକ ଉପାୟରେ ତେଲ ପେଡ଼ୁଛନ୍ତି ବଡ଼ମାଳ ଗାଁର ରାମ ସାହୁଙ୍କ ପରିବାର । ସୋରିଷ, ରାଶି, ଜଡ଼ା, ସୂର୍ଯ୍ୟମୁଖୀ, ଟୋଲ ଭଳି ତୈଳବୀଜ ପେଡ଼ି ତେଲ ବାହାର କରୁଛନ୍ତି । ଏହାକୁ ସ୍ଥାନୀୟ ବଜାର ସହ ଲୋକଙ୍କୁ ବିକ୍ରି କରି କିଛି ରୋଜଗାର କରୁଛନ୍ତି   । ଧୀରେ ଧୀରେ ଏହି କାମରୁ ଅନେକ ଲୋକ ନିବୃତ ହେଲେଣି । କିନ୍ତୁ ଗାଁର ରାମ ସାହୁଙ୍କ ପରିବାର ଏହାକୁ ନିଜର ବୃତି ଭାବେ ଆପଣାଇଛନ୍ତି । ପରିବାରର ସମସ୍ତ ସଦସ୍ୟ ଏହି କାମରେ ସହଯୋଗ କରନ୍ତି ।

୪୦ କିଲୋ ଓଜନର ଟୋଲ ପେଡିବା ପାଇଁ ପାଖାପାଖି ୩ ଘଂଟାରୁ ଅଧିକ ସମୟ ଲାଗୁଛି । ସେଥିରୁ ଗୋଟିଏ ଟିଣ ସୁଦ୍ଧ ତେଲ ବାହାରୁଛି । ଏହି ତେଲର ବଜାରରେ ମଧ୍ୟ ବେଶ ଚାହିଦା ରହିଛି । ଲିଟର ପିଛା ୧୦୦ ଟଙ୍କାରେ ବିକ୍ରି ହେଉଛି । ଏହି ତେଲ ସ୍ୱାସ୍ଥ୍ୟପାଇଁ ହିତକର ହୋଇଥିବା ବେଳେ ମହୁଲ ଗଛରୁ ଟୋଲ ସଂଗ୍ରହ କରି ସେଥିରୁ ତେଲ ବାହାର କରୁଛନ୍ତି । ତେବେ ଏଠାରେ ଶୁଦ୍ଧ ତେଲ ମିଳୁଥିବାରୁ ଉଭୟ ବ୍ୟବସାୟୀ ଓ ଗ୍ରାହକ ମଧ୍ୟ ଏହାକୁ ଖୁସିରେ କିଣି ନେଉଛନ୍ତି ।

କାରଖାନା କିମ୍ବା କୌଣସି ମେସିନ୍ ନୁହେଁ କାଠଘଣାରେ ବଳଦ ସାହାଯ୍ୟରେ ତେଲ ବାହାର କରି ଚର୍ଚ୍ଚାରେ ଏହି ପରିବାର । ତେଣୁ ସରକାର ଯଦି ସମବାୟ ସମିତି କିମ୍ବା କଂଚାମାଲ ଯୋଗାଇଦିଅନ୍ତେ ଏମାନେ ନିଜର କୌଳିକ ବୃତି ବଂଚାଇ ରଖିବା ସହ ଭଲ ରୋଜଗାର କରିପାରନ୍ତେ ।