କନକ ବ୍ୟୁରୋ : ୟୁକ୍ରେନ-ଋଷ ସଙ୍କଟକୁ ନେଇ ‘ନାଟୋ’ର ପ୍ରେସମିଟ୍ । ନାଟୋ କହିଛି ଅନ୍ତରାଷ୍ଟ୍ରୀୟ ଆଇନ୍ ଉଲ୍ଲଂଘନ ନକରୁ ଋଷ । ଋଷର କାର୍ଯ୍ୟକଳାପ ବିଶ୍ୱ ସମୁଦାୟ ଦେଖୁଛି, ଆକ୍ରମଣ ପାଇଁ ଋଷକୁ ପରିଣାମ ଭୋଗିବାକୁ ପଡିବ । ସୈନ୍ୟଙ୍କୁ ଆଗକୁ ବଢ଼ାଇବାରୁ ନିବୃର୍ତ୍ତ ରହୁ ଋଷ ।
ତେବେ ୟୁକ୍ରେନ ଉପରେ ରୁଷର ଆକ୍ରମଣ ଜାରି ରହିଛି । ୟୁକ୍ରେନର ୧୩ଟି ସହର ଉପରେ ରୁଷ ଆକ୍ରମଣ କରିଛି । ରୁଷିଆ ମିଜାଇଲ ଓ ବୋମା ମାଡ କରିବା ପରେ ୟୁକ୍ରେନ ଏବେ ସଙ୍କଟରେ । ରୁଷର ଆକ୍ରମଣରେ ୧୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ସୂଚନା ରହିଛି । ଜାତୀୟ ଓ ଅନ୍ତର୍ଜାତୀୟ ମିଡିଆରୁ ଏହି ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ୟୁକ୍ରେନର ୪୦ ସେନା ରହିଥିବା ସୂଚନା ରହିଛି । ଦୁଇ ଦେଶ ପରସ୍ପର ଭିତରେ ଆରପାର ଲଢେଇ ଚାଲିଛି । ଏହାରି ଭିତରେ ରୁଷିଆ ସହିତ ଥିବା ସମସ୍ତ ସମ୍ପର୍କକୁ ଛିନ୍ନ କରିଛି ୟୁକ୍ରେନ । ରୁଷିଆର ଆକ୍ରମଣ ଯୋଗୁଁ ୟୁକ୍ରେନର ରାଜଧାନୀ କିଭର ରାଜରାସ୍ତାରେ କାର, ଟ୍ରକ ଆଦି ଲମ୍ବା ଧାଡିରେ ଛିଡା ହୋଇଛି । ଲୋକମାନଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ତେବେ ରୁଷର ଏପରି ପ୍ରକ୍ରିୟାକୁ ନିନ୍ଦା କରିଛି ନାଟୋ । ଆଉ ରୁଷ ବିରୋଧରେ ଆକ୍ରମଣ ପାଇଁ ପ୍ରସ୍ତୁତି ହୋଇଛି । ନାଟୋରେ ୩୦ଟି ଦେଶ ରହିଛି । ଯେଉଁଥିରେ ଆମେରିକା, ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ ପ୍ରମୁଖ ୟୁରୋପିଆନ୍ ଦେଶ ରହିଛନ୍ତି । ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିଶ ଜନଶନ ରୁଷର ଆକ୍ରମଣକୁ ନିନ୍ଦା କରିଛନ୍ତି । ୟୁରୋପିଆନ୍ ଦେଶ ରୁଷକୁ କଡା ଜବାବ ଦେବ ବୋଲି ସେ କହିଛନ୍ତି ।
ଏହାବାଦ ଜର୍ମାନୀର ରାଜଧାନୀ ବର୍ଲିନର ବ୍ରଣ୍ଡେନବୁର୍ଗ ଗେଟ ଆଗରେ ୟୁକ୍ରେନ ପତାକା ଧରି ଲୋକେ ଏକାଠି ହୋଇଥିବା ଦେଖିବାକୁ ମିଳିଛି । ଏହାରି ଭିତରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ କଥା ହୋଇଛନ୍ତି । ଏହାବାଦ ଫ୍ରାନ୍ସ ଏବଂ ତୁର୍କୀ ରାଷ୍ଟ୍ରପତିଙ୍କ ସହ କଥା ହୋଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି । ଏହାପୂର୍ବରୁ ଗୁରୁବାର ଆମେରିକା, ବ୍ରିଟେନ ସମେତ ଅନେକ ଦେଶ ରୁଷିଆ ଉପରେ ଆର୍ଥିକ କଟକଣା ଲଗାଇଛନ୍ତି ।