କନକ ବ୍ୟୁରୋ : ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ୧୪ ଦିନରେ ପହଞ୍ଚିଛି । କେତେବେଳେ ୟୁକ୍ରେନ ଆଲୋଚନା ପାଇଁ ରାଜି ହେଉଛି ତ ପୁଣି କେତେବେଳେ ୟୁକ୍ରେନ୍ ରାଷ୍ଟ୍ରପତି ଆତ୍ମସର୍ମପଣ କରିବୁ ନାହିଁ ବୋଲି କହିବା ସହ ଋଷ ସେନାକୁ ୟୁକ୍ରେନ ମାଟିରୁ ଫେରିଯିବାକୁ ଚେତାବନୀ ଦେଉଛନ୍ତି । ପ୍ରତି ଘଣ୍ଟାରେ ଜେଲେନସ୍କିଙ୍କ ମନ ବଦଳୁଥିବା ବେଳେ ଏବେ ଆଗକୁ ସ୍ଥିତି କଣ ହେବ ତାହା ଉପରେ ପୂରା ବିଶ୍ୱର ନଜର ରହିଛି । କାରଣ ୟୁକ୍ରେନ୍ ଆତ୍ମସର୍ମପଣ ନକରିବା ଯାଏଁ ଯୁଦ୍ଧକୁ ଜାରି ରଖିବାକୁ ପ୍ରଥମରୁ ହିଁ ସ୍ପଷ୍ଟ କରି ସାରିଛି ଋଷ । ୟୁକ୍ରେନ୍ ସହ ଯୁଦ୍ଧ ଭିତରେ ଋଷ ବୋମା ବିସ୍ଫୋରଣ କରି ଯୁଦ୍ଧକୁ ଆହୁରି ଶାଣିତ କରୁଛି । ୟୁକ୍ରେନର ସୁମି ଓ ଚର୍ନିିହିବ୍ ସହରରେ ୨ଟି ୫ ଶହ କିଲୋର ବୋମା ପକାଇଛି ଋଷ । ସୁମିରେ ପଡ଼ିଥିବା ଏହି ବୋମାର ପ୍ରଚଣ୍ଡ ବିସ୍ଫୋରଣରେ ୨ ପିଲାଙ୍କ ସମେତ ୨୧ ଜଣ ପ୍ରାଣ ହରାଇଛନ୍ତି ।

Advertisment

ଆଉ ଏଭଳି ଭୟଙ୍କର ଆକ୍ରମଣ ଭିତରେ ଏବେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ନାଟୋ ଦେଶ ସମୁହକୁ ଅପିଲ କରି କହିଛନ୍ତି ୟୁକ୍ରେନକୁ ନୋ ଫ୍ଲାଇଙ୍ଗ ଜୋନ ଘୋଷଣା କରାଯାଉ । ଭୟଙ୍କର ମହାସଙ୍କଟକୁ ରୋକିବାକୁ ଏହା ହିଁ ଶେଷ ରାସ୍ତା ବୋଲି ୟୁକ୍ରେନ ପକ୍ଷରୁ କୁହାଯାଇଛି । ତେଣୁ ବିଶ୍ୱ ସମୁଦାୟ ଯଦି ଶୀଘ୍ର କୌଣସି ନିଷ୍ପତ୍ତି ନ ନିଅନ୍ତି ତେବେ ଯାହା ବି ପରିଣାମ ହେବ ସେଥିପାଇଁ ପୂରା ବିଶ୍ୱ ଦାୟୀ ରହିବ ବୋଲି ଜେଲେନସ୍କି କହିଛନ୍ତି ।

ଅନ୍ୟପଟେ ଋଷ ମଧ୍ୟ ନାଟୋ ଦେଶ ସମୁହକୁ ଚେତାବନୀ ଦେବା ସହ କହିଛନ୍ତି, ଋଷ ବିରୋଧରେ ନାଟୋ ଦେଶ ନିଜର ସେନାକୁ ଏକାଠି ନ କରନ୍ତୁ । ଯଦି ଏପରି ହୁଏ ତେବେ ଋଷ ମଧ୍ୟ ମୁହଁତୋଡ ଜବାବ ଦେବାକୁ ପ୍ରସ୍ତୁତ । ଆଉ ଋଷର ଏଭଳି ବୟାନ ପରମାଣୁ ଆକ୍ରମଣ ଆଡକୁ ଇଙ୍ଗିତ କରୁଛି । ଯାହା ବିଶ୍ୱ ସମୁଦାୟ ପାଇଁ ଭୟଙ୍କର ହୋଇପାରେ । କାରଣ ପୂର୍ବରୁ ହିଁ ଋଷ ସ୍ପଷ୍ଟ କରି ସାରିଛି, ୟୁକ୍ରେନ-ଋଷ ଭିତରେ ଅନ୍ୟ କେଉଁ ଦେଶ ମୁ୍ଣ୍ଡ ଖେଳାଇଲେ ପରିଣାମ ସାଂଘାତିକ ହେବ । ଯାହା କେବେ ଇତିହାସରେ ବିଶ୍ୱବାସୀ ଦେଖିନଥିବେ ।

ଅନ୍ୟପଟେ ଜେଲେନସ୍କି କହିଛନ୍ତି, ଏବେ ଋଷ ସୈନିକଙ୍କୁ ଆତ୍ମସର୍ମପଣ କରିବାକୁ ପଡିବ । କାରଣ ୟୁକ୍ରେନର ସେନା ଏବେ ନିଜ ଦେଶର ସୁରକ୍ଷା ପାଇଁ ଶେଷ ପର୍ଯ୍ୟନ୍ତ ଲଢେଇ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆଉ ଜେଲେନସ୍କିଙ୍କ ଏହି ବୟାନ ଏବେ ଯୁଦ୍ଧ ନିଆଁରେ ଘିଅ ଢାଳିବା ସଦୃଶ ପାଲଟିଛି । ତେବେ ୟୁକ୍ରେନ୍ ରାଷ୍ଟ୍ରପତି ଏହାପୂର୍ବରୁ ଆଲୋଚନା ମାଧ୍ୟମରେ ଯୁଦ୍ଧର ପରିସମାପ୍ତି ପାଇର୍ ସହମତି ପ୍ରକାଶ କରିଥିଲେ । କିନ୍ତୁ କିଛି ଘଣ୍ଟା ମଧ୍ୟରେ ଜେଲେନସ୍କିଙ୍କ ମନ ବଦିଳିବା ଏବେ ଆହୁରି ସାଂଘାତିକ ସ୍ଥିତି ସୃଷ୍ଟି କରିପାରେ । ଋଷ ନିଜର ଆକ୍ରମଣକୁ ଆହୁରି ଶାଣିତ କରିପାରେ ।