କନକ ବ୍ୟୁରୋ: ଶ୍ରୀମନ୍ଦିର ନାଟମଣ୍ଡପ ବିମର ମରାମତି ହେବ । ଆସନ୍ତାକାଲିଠୁ ନାଟମଣ୍ଡପର ମରାମତି କାମ ଆରମ୍ଭ କରିବ ଏଏସଆଇ । ସକାଳ ୬ଟାରୁ ରାତି ୧୦ ଯାଏଁ ମରାମତି କାମ ହେବ । କିନ୍ତୁ ଏବେ କାର୍ତିକ ମାସ ଚାଲିଥିବାରୁ ଭକ୍ତଙ୍କ ଦର୍ଶନ ଓ ମରାମତି କାମ ମଧ୍ୟରେ ସମନ୍ୱୟ ରଖିବା ଉପରେ ଗୁରୁତ୍ୱ ଦିଆଯାଇଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ମରାମତି କାମରେ ଏଏସଆଇ ସମସ୍ତ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛି ଶ୍ରୀମନ୍ଦିର ପ୍ରଶାସନ ।

Kanak News is now on WhatsApp
Join and get latest news updates delivered to you via WhatsApp
ଶ୍ରୀମନ୍ଦିର ନାଟମଣ୍ଡପର ମରାମତି ଶୁକ୍ରବାର ଠାରୁ ଆରମ୍ଭ ହେବ । ସକାଳ ୬ଟାରୁ ଆରମ୍ଭ ହୋଇ ରାତି ୧୦ଟା ଯାଏଁ ମରାମତି କାମ ହେବ । ତେବେ କାର୍ତିକ ମାସ ହୋଇଥିବାରୁ ଶ୍ରୀମନ୍ଦିରର ଭକ୍ତଙ୍କ ଭିଡକୁ ଆଖିରେ ରଖି, ଭକ୍ତଙ୍କ ଠାକୁର ଦର୍ଶନ ଓ ମରାମତି କାମ ମଧ୍ୟରେ ସମନ୍ୱୟ ରଖି ସବୁ କାର୍ଯ୍ୟ କରିବାକୁ ନିଷ୍ପତି ନେଇଛି ପ୍ରଶାସନ । ଅର୍ଥାତ୍ ମଝିରେ ମଝିରେ ଭକ୍ତଙ୍କୁ ଦର୍ଶନ ପାଇଁ ଛଡାଯିବ ଓ ଅନ୍ୟ ସମୟରେ ମରାମତି କାମ ଚାଲିବ । ହାଇକୋର୍ଟ ଗୁରୁବାର ଠାରୁ ନାଟମଣ୍ଡପର ମରାମତି ପାଇଁ କଡା ନିର୍ଦ୍ଦେଶ ଦେବା ପରେ ଶ୍ରୀମନ୍ଦିର ପ୍ରଶାସନର ବୈଠକରେ ଏହି ନିଷ୍ପତି ନିଆଯାଇଛି ।
ଶ୍ରୀମନ୍ଦିର ନାଟମଣ୍ଡପର ଫଟା ବିମର ମରାମତି ପାଇଁ ଗରୁଡ ସ୍ତମ୍ଭ ପାଖରୁ ଭିତର କାଠ ପର୍ଯ୍ୟନ୍ତ ମରାମତି ପାଇଁ ଲୁହାଭାର କରାଯିବ । ଶ୍ରୀମନ୍ଦିର ପ୍ରଶାସନର ଅନୁମତି ପରେ ଶୁକ୍ରବାରଠୁ ମରାମତି କାମ ଆରମ୍ଭ କରିବ ଏଏସଆଇ ବା ପ୍ରତ୍ନତାତ୍ୱିକ ସର୍ବେକ୍ଷଣ ସଂସ୍ଥା । ପ୍ରତି ୧୫ ଦିନରେ ମରାମତି କାମର ଅଗ୍ରଗତି ନେଇ ଆମିକସକ୍ୟୁରୀ ହାଇକୋର୍ଟରେ ରିପୋର୍ଟ ଦାଖଲ କରିବେ । ଦୈନିକ ୬ ଘଂଟା ଲେଖାଏଁ ମରାମତି କାମ କରି ୧୨୦ ଦିନରେ କାର୍ଯ୍ୟ ଶେଷ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆଉ ମରାମତି କାମରେ ଏଏସଆଇକୁ ସମସ୍ତ ପ୍ରକାର ସହାୟତା କରିବାକୁ ଶ୍ରୀମନ୍ଦିର ପ୍ରଶାସନ ପ୍ରତିଶ୍ରୁତି ଦେଇଛି ।
ସେହିପରି ଶ୍ରୀଜିଉଙ୍କ ରତ୍ନପଲଙ୍କର ମଧ୍ୟ ମରାମତି ମଧ୍ୟ ହେବ । ଆସନ୍ତା ପଣା ସଂକ୍ରାନ୍ତି ବା ଓଡିଆ ନବବର୍ଷରେ ଶ୍ରୀଜଗନ୍ନାଥଙ୍କ ରତ୍ନପଲଙ୍କ ମରାମତି କାମ ସଂପୂର୍ଣ୍ଣ ହୋଇ ପ୍ରସ୍ତୁତ ହୋଇ ରହିଥିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି ।