କନକ ବ୍ୟୁରୋ : ଆଜି ଉତ୍ତରାଖଣ୍ଡ ଚମେଲି ଯୋଶୀମଠ ଯିବ କେନ୍ଦ୍ର ଗୃହମନ୍ତ୍ରାଳୟର ଟିମ୍ । କେନ୍ଦ୍ରୀୟ ଟିମ୍ ଯାଇ ସ୍ଥିତି ଅନୁଧ୍ୟାନ କରିବ । ଗତକାଲି ଯୋଶୀମଠରେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରାଳୟ ଏକ ଟିମ୍ ସମେତ ୨ଟି କେନ୍ଦ୍ରୀୟ ଟିମ୍ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଯୋଶୀ ମଠର ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ଦାଖଲ କରିବା ପାଇଁ କେନ୍ଦ୍ର ସରକାର ୭ଟି ପୃଥକ ଅନୁଷ୍ଠାନର ବିଶେଷଜ୍ଞଙ୍କୁ ନେଇ ଏକ ଟିମ୍ ଗଠନ କରିଛନ୍ତି ।

Advertisment

ସେପଟେ ଯୋଶୀମଠରେ ୬ ଶହରୁ ଅଧିକ ଘରୁ ପ୍ରାୟ ୪ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ପ୍ରଭାବିତ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି । ମାଗଣାରେ ରାସନ ସହିତ ପରିବାର ପିଛା ୫ ହଜାର ଟଙ୍କା ଦିଆଯାଇଛି । ଭଡା ନେଇ ରହୁଥିବା ଲୋକଙ୍କୁ ମାସିକ ୪ ହଜାର ଟଙ୍କା ଲେଖାଏଁ ୬ ମାସ ପର୍ଯ୍ୟନ୍ତ ଦିଆଯିବ ।

ପ୍ରଭାବିତ ଲୋକଙ୍କ ପାଇଁ ୧୬ଟି ରିଲିଫ୍ ସେଣ୍ଟର ପ୍ରତିଷ୍ଠା କରାଯାଇଛି । ୧୯ଟି ହୋଟେଲ, ଗେଷ୍ଟ ହାଉସ୍ ଓ ସ୍କୁଲର ବ୍ୟବସ୍ଥା ହୋଇଛି । ସେନା ଓ ଆଇଟିବିପି ପ୍ରତିଷ୍ଠାନର ନିମ୍ନ ଅଂଶରେ ମଧ୍ୟ ଫାଟ ଦେଖିବାକୁ ମିଳିଛି । କେତେ ଘର ପ୍ରଭାବିତ ହୋଇଛି ସେନେଇ ଏନଡିଆରଏଫ୍ ଏବଂ ସ୍ଥାନୀୟ ପ୍ରଶାସନ ଦ୍ୱାରା ସର୍ଭେ କରାଯାଉଛି । ଯୋଶୀମଠର ୩୦ ପ୍ରତିଶତ ପ୍ରଭାବିତ ହୋଇଥିବା କୁହାଯାଉଛି ।