ଦିନେ କ୍ରାଇମରେ ଥିଲା ୧ ନମ୍ବର, ଆଜି ଶ୍ରେଷ୍ଠ ଥାନା । ଦେଶର ଆଦର୍ଶ ଥାନା ଭାବେ ପୁରସ୍କୁତ ହେଲା ଗଞ୍ଜାମର ଗାଙ୍ଗପୁର ଥାନା ।

199

କନକ ବ୍ୟୁରୋ : ସର୍ବଭାରତୀୟ ସ୍ତରରେ ୪୯ଟି ମାନଦଣ୍ଡକୁ ଆଧାର କରି ହୋଇଥିବା ସର୍ଭେରେ ୨୦ ହଜାରରୁ ଅଧିକ ଥାନା ମଧ୍ୟରେ ଦ୍ୱିତୀୟ ସ୍ଥାନ ଅକ୍ତିଆର କରି ପୁରସ୍କୃତ ହୋଇଛି ଗଞ୍ଜାମ ଜିଲ୍ଲାର ଗାଙ୍ଗପୁରଥାନା । ଲକ୍ଷ୍ନୌ ଠାରେ ଆୟୋଜିତ ଡ଼ିଜିପି ସମ୍ମିଳନୀରେ ଗାଙ୍ଗପୁର ଥାନା ଅଧିକାରୀଙ୍କୁ ପୁରସ୍କାର ଓ ଟ୍ରଫି ପ୍ରଦାନ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ।

ଗଂଜାମ ଜିଲ୍ଲାର ଗାଙ୍ଗପୁର ଥାନା । ଦେଶର ଆଦର୍ଶ ଥାନା ତାଲିକାରେ ଦ୍ୱିତୀୟ । ଗଞ୍ଜାମ ଜିଲ୍ଲାର ଗାଙ୍ଗପୁର ଥାନାର ଏହି ସଫଳତା ପାଇଁ ଗାଙ୍ଗପୁର ଥାନା ଅଧିକାରୀଙ୍କୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ସାହା ଲକ୍ଷ୍ନୌ ଠାରେ ଅନୁଷ୍ଠିତ ଡ଼ିଜିପି ସମ୍ମିଳନୀରେ ପୁରସ୍କାର ଓ ଟ୍ରଫି ପ୍ରଦାନ କରିଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ସଂସ୍ଥା ଜରିଆରେ ହୋଇଥିବା ସର୍ଭେରେ ଆଦର୍ଶ ଥାନା ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି ଗଂଜାମ ଜିଲ୍ଲାର ଗାଙ୍ଗପୁର ଥାନା । ତେବେ ଦେଶର ଶ୍ରେଷ୍ଠ ଥାନା ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି ସଦର ବଜାର ଥାନା, ନର୍ଥ ଡ଼ିଷ୍ଟିକ୍ ଦିଲ୍ଲୀ ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ୨ଟି ପର୍ଯ୍ୟାୟରେ ଦେଶର ସବୁ ଥାନାକୁ ନେଇ ସର୍ଭେ କରାଯାଇଥିଲା । ସିସିଟିଏନଏସ୍ ପୋଟାର୍ଲରେ ପଞ୍ଜିକରଣ ହୋଇଥିବା ତଥ୍ୟ ଅନୁସାରେ ପ୍ରାଥମିକ ପର୍ଯ୍ୟାୟରେ ୭୨ଟି ଥାନାକୁ ଚୟନ କରାଯାଇଥିଲା । ଏହି ତାଲିକାରେ ଓଡିଶାର ୨ଟି ଥାନା ସୋରଡ଼ା ଓ ଗାଙ୍ଗପୁର ସ୍ଥାନ ପାଇଥିଲା । କେନ୍ଦ୍ରରୁ ଏକ ଟିମ୍ ଆସି ଏହି ଦୁଇଟି ଥାନା ବାବଦରେ ତଥ୍ୟ ସଂଗ୍ରହ କରିଥିଲେ । ସ୍ୱଚ୍ଛ ପରିବେଶ ଓ ପରିମଳ ବ୍ୟବସ୍ଥା ସାଙ୍ଗକୁ ଆଇନଶୃଙ୍ଖଳା ଏବଂ ସିସିଟିନଏସରେ ମାମଲା ପଞ୍ଜିକରଣ, ଅପରାଧ ନିୟନ୍ତ୍ରଣ, ଚୋରି ଡ଼କାୟତି ରୋକିବା ଦିଗକୁ ନେଇ ଏହି ସର୍ଭେ ହୋଇଥିଲା  ।

ସବୁଠାରୁ ଅଧିକ କେସ୍ କ୍ଳୋଜ କରିବା ରେକର୍ଡ଼ ଗାଙ୍ଗପୁର ଥାନାରେ ଅଛି । ୨୦୨୧ ଜାନୁଆରୀରୁ ବର୍ତମାନ ସୁଦ୍ଧା ୪୯୯ଟି ମାମଲାର ସମାଧାନ ହୋଇଛି । ସେହିଭଳି ବିଗତ ଦିନର ନିଖୋଜ ବ୍ୟକ୍ତିଙ୍କୁ ଖୋଜି ପାଇବା, ଅନ୍ଧବିଶ୍ୱାସକୁ ରୋକିବା, ବିଭିନ୍ନ ପ୍ରକାର ଜୋରିମାନା ଆଦାୟ ସାମାଜିକ ସଂସ୍କାର କାର୍ଯ୍ୟକ୍ରମ କରିବାରେ ଆଗରେ ରହିଛି ଗାଙ୍ଗପୁର ଥାନା ।