ନବୀନ ନିବାସରେ ନୂଆଦିଲ୍ଲୀ ରାଜନୀତି ଚର୍ଚ୍ଚା ! ପଖାଳ କଂସାର ପଲିଟିକ୍ସକୁ ନେଇ ଜାତୀୟ ଗଣମାଧ୍ୟମରେ ସମୀକ୍ଷା

71

କନକ ବ୍ୟୁରୋ : ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଏକ କାର୍ଯ୍ୟକ୍ରମରେ ଭେଟେରାନ୍ କଂଗ୍ରେସ ନେତା ତଥା ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଯୋଗ ଦେବାକୁ ସ୍ୱୀକୃତି ଦେବା ପରେ ଜାତୀୟ ରାଜନୀତିରେ ଆଲୋଡନ ସୃଷ୍ଟି ହୋଇଛି । କଂଗ୍ରେସ କହିଛି, ପ୍ରଣବ ଏହାକୁ ପୁନର୍ବିଚାର କରିବା ଉଚିତ । ଦିଲ୍ଲୀରେ ଏହି ରାଜନୀତି ଚର୍ଚାର ବିଷୟ ପାଲଟିଥିବା ବେଳେ ଜାତୀୟ ଗଣମାଧ୍ୟମ ଏନଡିଟିଭି କହିଛି, ଟଲମ୍ୟାନ୍ ପୁସ୍ତକ ଉନ୍ମୋଚନ ସମୟରେ ନବୀନ ନିବାସରେ ଆଡଭାନୀ, ଦେବେଗୌଡା, ପ୍ରଣବ ମୁଖାର୍ଜୀ, ସୀତାରାମ ୟେଚୁରୀ ଓ ମ୍ରୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୃତୀୟ ସାମ୍ମୁଖ୍ୟ ନେଇ ଆଲୋଚନା କରିଥିଲେ । ଏବଂ ପ୍ରଣବ ମୁଖାର୍ଜୀ ଆରଏସଏସର କାର୍ଯ୍ୟକ୍ରମରେ ଯୋଗ ଦେବା ସେହି ରଣନୀତିର ଏକ ଅଂଶବିଶେଷ ।


ଗତ ଜାନୁଆରୀ ୨୭ ତାରିଖ ଦିନ ବିଜୁବାବୁଙ୍କ ଜୀବନୀ ପୁସ୍ତକ ‘ଦ ଟଲ୍ ମ୍ୟାନ୍’ ଉନ୍ମୋଚନ ଅବସରରେ ନବୀନ ନିବାସରେ ଉଠାଯାଇଥିବା ଫଟୋ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଟୁଇଟର୍ ପେଜରେ ସେୟାର କରିଥିଲେ । ଓଡ଼ିଶା ବାସୀଙ୍କ ପସନ୍ଦର ମେନ୍ୟୁ ପଖାଳ ନବୀନ ନିବାସର ଡ଼ାଇନିଂ ଟେବୁଲ ଉପରେ ଶୋଭା ପାଉଥିଲା । ସେତେବେଳେ ଲାଗୁଥିଲା, ନବୀନ ଆତିଥ୍ୟ ପ୍ରଦାନ କରୁଛନ୍ତି ଏବଂ ଓଡ଼ିଶାର ଲୋକପ୍ରିୟ ଖାଦ୍ୟ ପଖାଳର ମଜା ନେଉଛନ୍ତି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜି, ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ, ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡିଏସ୍ ମୁଖ୍ୟ ଏଚ୍ ଡି ଦେବେଗୌଡ଼ା ଓ ବରିଷ୍ଠ ବାମପନ୍ଥୀ ନେତା ସୀତାରାମ ୟେଚୁରୀଙ୍କ ଭଳି ଦେଶର ତୁଙ୍ଗ ନେତାମାନେ ।

ତେବେ ଜାତୀୟ ଗଣମାଧ୍ୟମ ଏନଡିଟିଭି ଏଥିରେ ଆଣିଛି ବଡ଼ ଧରଣର ଟୁଇଷ୍ଟ । ପଖାଳ କଂସାରେ ବଡ଼ ପଲିଟିକ୍ସ ରହିଛି ବୋଲି ଏନଡିଟିଭି ରିପୋର୍ଟ ପ୍ରକାଶ କରିଛି । ବିଭିନ୍ନ ସୂତ୍ରକୁ ଆଧାର କରି ଏହି ଘରୋଇ ଟିଭି, ଉଲ୍ଲେଖ କରିଛି ଯେ ଏହା ସାଧାରଣ ଲଂଚ ନଥିଲା, ଏହି ପଖାଳ ଖାଇବା ଭିତରେ ଅଣକଂଗ୍ରେସ ଓ ଅଣବିଜେପି ଫ୍ରଣ୍ଟର ପରିକଳ୍ପନା ନେଇ ପଡିଥିଲା ମୂଳଦୁଆ ।

ପ୍ରଣବ ମୁଖାର୍ଜୀଙ୍କୁ ନେଇ ଚର୍ଚ୍ଚା ସେତେବେଳେ ଜୋର ଧରିଛି ଯେତେବେଳେ ଆରଏସଏସର ଏକ ବଡ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ପାଇଁ ରାଜି ହୋଇଛନ୍ତି ପୂର୍ବତନ ରାଷ୍ଟ୍ରପତି । ୫୦ ବର୍ଷ ଧରି କଂଗ୍ରେସ ରାଜନୀତିରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ପ୍ରଣବ ମୁଖାର୍ଜି, ଆରଏସଏସ୍ କାର୍ଯ୍ୟକ୍ରମରେ ଯୋଗ ଦେବା ନେଇ ଖବର ଆସିବା ପରେ ଦେଶର ରାଜନୈତିକ ମହଲରେ ହଲଚଲ ସୃଷ୍ଟି ହୋଇଛି । କଂଗ୍ରେସ ନେତାମାନେ ମଧ୍ୟ ଏଥିରେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ତେବେ ଗୋଟିଏ କଥା ସ୍ପଷ୍ଟ ହୋଇଛି ଏହି ୮୨ ବର୍ଷୀୟ ଭେଟେରାନ୍ ରାଜନେତାଙ୍କର ଶେଷ ହୋଇନାହିଁ ରାଜନୀତି ।

ଆହୁରି ଗୋଟିଏ କଥା ମଧ୍ୟ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଗତବର୍ଷ ରାଷ୍ଟ୍ରପତି ଭବନରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଣବ ମୁଖାର୍ଜିଙ୍କୁ ଭେଟିଥିଲେ । ସେଠାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କୁ ସେମାନେ ଫୋନରେ କଥା ହୋଇଥିଲେ । ମମତାଙ୍କ ସହ ପ୍ରଣବଙ୍କ ଘନିଷ୍ଠ ସଂପର୍କ ଥିବାରୁ ତୃତୀୟ ସାମ୍ମୁଖ୍ୟ ନେଇ କଥା ହୋଇଥିବା ଅନୁମାନ କରାଯାଉଛି । ଏପରି ଆକଳନର କାରଣ ହେଉଛି ।
– ମୋଦିଙ୍କ ଭଳି ପ୍ରଭାବଶାଳୀ ନେତାଙ୍କୁ ଟକ୍କର ଦେଇପାରିବେ ପ୍ରଣବ
– ଅନେକ ଥର ସୁଯୋଗ ଆସିଥିଲେ ବି ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରଣବଙ୍କୁ କରାଯାଇଛି ଅଣଦେଖା
– ତୃତୀୟ ସାମୁଖ୍ୟ ନେତା ଭାବେ ପ୍ରଣବ ହୋଇପାରିବେ ଗ୍ରହଣୀୟ
– ଶିବସେନା, ଆଡଭାନୀଙ୍କ ଭଳି ବିଜେପିରେ ଅସନ୍ତୁଷ୍ଟ ନେତାମାନଙ୍କ ସହ ପ୍ରଣବଙ୍କର ନିବିଡ଼ ସର୍ମ୍ପକ ରହିଛି
– ବାମପନ୍ଥୀ ନେତାଙ୍କ ସହ ମଧ୍ୟ ପ୍ରଣବଙ୍କ ରହିଛି ଘନିଷ୍ଠ ସଂପର୍କ

ତେଣୁ ଏସବୁ ଭିତରେ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ହୋଇଥିବା ରିପୋର୍ଟ ଯଦି ସତ୍ୟ ହୁଏ ତେବେ ୨୦୧୯ରେ ଏକ ଭିନ୍ନ ଧରଣର ରାଜନୈତିକ ବାତାବରଣ ଦେଶରେ ସୃଷ୍ଟି ହେବ । ଖାସକରି ପ୍ରଣବଙ୍କ ନେତୃତ୍ୱରେ ତୃତୀୟ ସାମ୍ମୁଖ୍ୟକୁ ନେଇ ହେଉଥିବା ଚର୍ଚ୍ଚା ଉପରୁ ପରଦା ଉଠିବ ଓ ପ୍ରଣବ ପୁଣିଥରେ ରାଜନୀତିରେ ଆଉ ଏକ ବଡ଼ ଇନିଂସ ଖେଳି ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଅଣକଂଗ୍ରେସ ଓ ଅଣବିଜେପି ମେଂଟ ପାଇଁ ଯେଉଁ ଉଦ୍ୟମ ଚାଲିଛି, ସେଥିରେ ବିଜେଡି, ତୃଣମୂଳ କଂଗ୍ରେସ ଓ ଟିଆରଏସ ପ୍ରମୁଖ ଭୂମିକା ତୁଲାଇବେ ବୋଲି ଚର୍ଚ୍ଚା ହେଉଛି । ତେବେ ଆରଏସଏସ କ୍ାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ସ୍ୱୀକୃତି ଦେଇ ପ୍ରଣବ, କଂଗ୍ରେସ ରାଜନୀତିଠାରୁ ଦୂରରେ ଅଛନ୍ତି ବୋଲି ସଂକେତ ଦେଇଛନ୍ତି ।