ପରମାଣୁଠୁ ବଳିଗଲା ପ୍ଲାଷ୍ଟିକ । ବ୍ୟବହାର କମ ନକଲେ ଭୟଙ୍କର ହେବ ସ୍ଥିତି

ପ୍ଲାଷ୍ଟିକ ମୁଣ୍ଡବିନ୍ଧାର କାରଣ ସାଜିଛି

346

ପରମାଣୁଠୁ ବଳିଗଲା ପ୍ଲାଷ୍ଟିକ । ପରମାଣୁ ବୋମାର ଭୟଙ୍କର ବିପଦ ଠାରୁ ଅଧିକ ବିପଦ ସାଜିଛି ପ୍ଲାଷ୍ଟିକ । ପରିବେଶ ଉପରେ ପ୍ଲାଷ୍ଟିକର ପ୍ରଭାବ ଏତେ ମାତ୍ରାରେ ପଡୁଛି ଏହା ପରମାଣୁ ବୋମ ଠାରୁ ବି ବଡ ବିପଦ ସାଜିଛି ।
ଦିନ ଥିଲା ଦୈନନ୍ଦୀନ ଜୀବନର ବ୍ୟବହାରକୁ ସରଳ ଓ ସହଜ କରିବା ପାଇଁ ପ୍ଲାଷ୍ଟିକ ସାଜିଥିଲା ଏକମାତ୍ର ମାଧ୍ୟମ । କିନ୍ତୁ ଏବେ ଏହି ପ୍ଲାଷ୍ଟିକ ମୁଣ୍ଡବିନ୍ଧାର କାରଣ ସାଜିଛି । ପ୍ରତିବର୍ଷ ପ୍ରାୟ ୧୧ ଲକ୍ଷ୍ୟ ଜୀବ ପ୍ଲାଷ୍ଟିକ କାରଣରୁ ହିଁ ପ୍ରାଣ ହାରୁଛନ୍ତି ।
କ୍ୟାନ୍ସର ଭଳି ବ୍ୟାପିବାରେ ଲାଗିଛି ପ୍ଲାଷ୍ଟିକର ପ୍ରାଦୁରଭାବ । ପରିବେଶକୁ ଦୂଷିତ କରିବା ସହ ଏବେ ଜୀବଙ୍କ ଶରୀର ମଧ୍ୟକୁ ପ୍ରବେଶ କରୁଛି ପ୍ଲାଷ୍ଟିକ । ସାମୁଦ୍ରିକ ଜୀବଙ୍କ ପେଟରୁ ଅନେକବାର ପ୍ଲାଷ୍ଟିକ ବାହାରିଥିବା ନଜିର ରହିଛି । ସେହିଭଳି ମଣିଷ ବ୍ୟବହାର କରୁଥିବା ପାନୀୟ ଜଳରେ ମଧ୍ୟ ପ୍ଲାଷ୍ଟିକ କଣିକା ମିଳିଛି ।
ତେବେ ମିଳିଥିବା ସୂଚନା ଅନୁଯାୟୀ, ବର୍ଷକୁ ପ୍ରାୟ ୩୦ କୋଟି ଟନ୍ ପ୍ଲାଷ୍ଟିକ ଆବର୍ଜନା ବାହାରୁଛି । ଯାହାକି ଜୀବଜଗତକୁ ପ୍ରଭାବିତ କରୁଛି । ସମୁଦ୍ରରେ ପ୍ରବେଶ କରୁଥିବା ପ୍ଲାଷ୍ଟିକ କାରଣରୁ ଅନେକ ବିରଳ ମାଛ ଏବଂ ଅନେକ ସାମୁଦ୍ରିକ ଜୀବଙ୍କ ଜୀବନ ଯାଉଛି । କେବଳ ସମୁଦ୍ର ନୁହେଁ ମଣିଷ ଭସାଇ ଦେଉଥିବା ଅଳିଆ ଆବର୍ଜନା ପାଇଁ ମଧ୍ୟ ନଦୀଗୁଡିକ ପ୍ରଦୂଷଣ ହେଉଛି ।
କୁଢ କୁଢ ଅଳିଆରେ ସବୁଠାରୁ ଅଧିକ ପ୍ରଭାବିତ ହେଉଛି ଗଙ୍ଗା ନଦୀ । ଯେଉଁଥିରେ ୯୦ ପ୍ରତିଶତ ପ୍ଲାଷ୍ଟିକ ରହିଛି । ଏପଟେ ଚାଷ ଜମିରେ ପୋତି ହୋଇଥିବା ପଲିଥିନ, ପ୍ଲାଷ୍ଟିକ ବୋତଲ ପାଇଁ ଫସଲ ଠିକ ଭାବରେ ହୋଇପାରୁନି । ସହର ମାନଙ୍କରେ ଡ୍ରେନରେ ପ୍ଲାଷ୍ଟିକ ଜାମ ହେବା କାରଣରୁ ବର୍ଷା ଦିନେ ନାହିଁନଥିବା ଅସୁବିଧା ଭୋଗିବାକୁ ପଡୁଛି ।
ତେବେ ପ୍ରଶ୍ନ ଉଠୁଛି କେବେ ଚେତିବେ ସରକାର? ସ୍ୱଚ୍ଛତାର ଡିଣ୍ଡିମ ପିଟୁଥିବା ସରକାର ପ୍ଲାଷ୍ଟିକ ବନ୍ଦ କରିବା ପାଇଁ ଅନେକ ଥର ଘୋଷଣା କରିଛନ୍ତି । ଆସନ୍ତା ଅକ୍ଟୋବର ୨ରୁ ପ୍ଲାଷ୍ଟିକ ଉପରେ ସରକାର କଟକଣା ଲଗାଇବାକୁ ଥିବା ବେଳେ ଏହା ପୂର୍ବରୁ ଅନେକ ଦୋକନ ବଜାରରେ ଖୁଲମ ଖୁଲା ପଲିଥିନର ବ୍ୟବହାର ଚାଲିଛି । ତେବେ କେବଳ ସରକାର ନୁହଁନ୍ତି, ସାଧାରଣ ଲୋକଙ୍କୁ ମଧ୍ୟ ଏଥିପ୍ରତି ସାବଧାନ ହେବାକୁ ପଡିବ । କାରଣ ଲୋକ ସଚେତନ ହେଲେ ସମାଜ ସୁଧୁରିବ । ପରିବେଶ ସୁରକ୍ଷିତ ରହିବ ।