ଦେଶରେ ପେଟ୍ରୋଲ ୫୫ ଓ ଡିଜେଲ ୫୦ ଟଙ୍କାରେ ମିଳିବ : ନୀତିନ ଗଡକରୀ

47

କନକ ବ୍ୟୁରୋ : ଗତକାଲି କେନ୍ଦ୍ର ପରିବହନମନ୍ତ୍ରୀ ନୀତିନ ଗଡକରୀ ଛତିଶଗଡ ଗସ୍ତରେ ଥିଲେ । ତେବେ ସେଠାରେ ଗଡକରି ସଡକ ବିକାଶ କାମରେ ଯୋଗ ଦେବା ପାଇଁ ଯାଇଥିଲେ । ତେବେ ସେଠାରେ ଗଡକରି ଭାରତରେ ବଢୁଥିବା ତୈଳଦର ବୃଦ୍ଧି କଥା କହିବା ସହ ଛତିଶଗଡ କିପରି ତାହାର ସଠିକ ମୁକାବିଲା କରୁଛି ତାହା କହିଥିଲେ । ଗଡକରୀ କହିଛନ୍ତି ଯେ, ପେଟ୍ରୋଲିୟମ ମନ୍ତ୍ରଣାଳୟ ଦେଶରେ ୫ଟି ଇଥେନାଲ ପ୍ଲାଣ୍ଟ ନିର୍ମାଣ କରିବାର ଯୋଜନା କରାଯାଇଛି । ଯାହାଦ୍ୱାରା କାଠ ଓ ଅଳିଆଆବର୍ଜନାରୁ ଇନ୍ଧନ ବାହାର କରାଯାଇପାରିବ । ଏହା ହେବା ପରେ ଦେଶରେ ପ୍ରାୟ ୫୫ଟଙ୍କାରେ ପେଟ୍ରୋଲ ଓ ୫୦ ଟଙ୍କାରେ ଡିଜେଲ ମିଳିପାରିବ ବୋଲି ଗଡକରୀ କହିଛନ୍ତି ।

 

ଏହାସହ ସେ କହିଛନ୍ତି ଯେ, ଦେଶର ଚାଷୀମାନଙ୍କୁ ବର୍ତ୍ତମାନ ସମୟରେ ବାୟୋ ଫୁଏଲ ଲାଗି ଆକର୍ଷିତ କରିବାର ଆବଶ୍ୟକତା ରହିଛି । ଚାଷୀମାନଙ୍କ ବିକାଶ ହେଲେ ଦେଶର ବିକାଶ ହେବ ବୋଲି ସେ କହିଛନ୍ତି । ଦେଶ ବର୍ତ୍ତମାନ ସମୟରେ ନୂତନ ଟେକ୍ନୋଲୋଜିରେ ବିକାଶ କରୁଛି । ତେବେ ଏପରି କହିବା ଦ୍ୱାରା ବିରୋଧୀମାନେ ମଧ୍ୟ ସମାଲୋଚନା କରିବା ସହ ତେଲ ନିଆଁରେ ଗଡକରୀ ଘିଅ ଢାଳୁଥିବା କହିଛନ୍ତି । ବର୍ତ୍ତମାନ ସାରା ଦେଶରେ ଲଗାତାର ଭାବରେ ତୈଳଦର ବୃଦ୍ଧି ହେଉଛି । ଦର ଆୟତ୍ତ କରିବା ପାଇଁ ଅନେକ ଆନ୍ଦୋଳନ ମଧ୍ୟ ହେଉଛି । ତେବେ ଏହି ସମୟରେ ଗଡକରୀ ତେଲଦର ୫୦ ହୋଇଯିବ କହିବାରୁ ରାଜନୀତି ଜୋର ଧରିଛି ।