କନକ ବ୍ୟୁରୋ : ୩୬ ବର୍ଷରେ ୫୦୦ରୁ ଅଧିକ ଚୋରି କରିଛି ହେମନ୍ତ ଦାସ । ଜାଣିଲେ ଆଶ୍ଚର୍ଯ୍ୟ ହେବେ ୧୯୮୬ ମସିହାରେ ସେ ଅପରାଧ ଦୁନିଆକୁ ପ୍ରବେଶ କରିଥିଲା । ଭୁବନେଶ୍ୱର ଲିଙ୍ଗରାଜ ଥାନା ହାଟସାହିର ୫୯ ବର୍ଷୀୟ ହେମନ୍ତକୁ ଗିରଫ କରିଛି କଟକ ବାଦାମବାଡି ଥାନା ପୋଲିସ । ତା ନାଁରେ କେବଳ ଓଡିଶାରେ ୧୧୦ଟି ଚୋରି ମାମଲା ରହିଛି । ହେଲେ ସେ ୫୦୦ରୁ ଅଧିକ ଚୋରି କରିଥିବା ପୋଲିସକୁ କହିଛି । ଏକୁଟିଆ ସେ ଚୋରି ଓ ସନ୍ଧିଚୋରି ଭଳି ଅପରାଧ କରୁଥିଲା । ଫାଙ୍କା ଘର ଓ ଗଳି ଉପରେ ତାର ନଜର ଥାଏ ।

Advertisment

ଓଡିଶା ବାହାରେ ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗରେ ମଧ୍ୟ ତା ନାଁରେ ମାମଲା ରହିଛି । ଚୋରି ଟଙ୍କାରେ ବେଶ ଅୟସ ଆରାମ କରୁଥିଲା ହେମନ୍ତ । ବିମାନରେ ଯାଇ ମୁମ୍ବାଇର ତାଜ ହୋଟଲରେ ରହୁଥିଲା । ପଶ୍ଚିମବଙ୍ଗ ସୋନାଗାଛିରେ ଦେହଜିବୀଙ୍କ ସହ ରାତି ବିତାଉଥିଲା । ମୁମ୍ବାଇ କିମ୍ବା କୋଲକାତାରେ ଚୋରି କରିବାକୁ ବିମାନରେ ଯାଉଥଲା, ଦାମୀ ହୋଟଲରେ ରୁମ ବୁକ କରୁଥିଲା । ଓଡିଶା ଭିତରେ ବିଭିନ୍ନ ଜିଲ୍ଲାକୁ ଯିବା ପାଇଁ ଟ୍ରାଭେଲ୍ସରୁ କାର ବୁକ କରୁଥିଲା । ଚୋରି କରିବା ପୂର୍ବରୁ ଆଖାପାଖରେ ରେକି କରେ ।

ଟାର୍ଗେଟରେ ଥିବା ଘର ଫାଙ୍କା ସ୍ଥାନରେ କିମ୍ବା ଗଳି ଅଂଚଳରେ ହୋଇଥିଲେ ସେଠାରେ ପୋଲିସ ପିସିଆର ଭ୍ୟାନ ପହଂଚି ପାରିବ ନାହିଁ । ତେଣୁ ସେହି ସ୍ଥାନରେ ଚୋରି କରିବାକୁ ନିଷ୍ପତି କରେ । ଲୁହାର ସେଣିରେ ଘରର ତାଲା ଭାଙ୍ଗି ଚୋରି କରେ । ତେବେ ଚୋରି ଟଙ୍କା ଓ ସୁନା ଧରି କେବଳ ବସରେ ହିଁ ଘରକୁ ଫେରେ । ଚୋରି ସୁନାକୁ କଟକର ବାରଙ୍ଗ, ଅନୁଗୁଳ, ପୁରୀରେ ଥିବା ନିର୍ଦ୍ଦିଷ୍ଟ କେତେକ ବଣିଆଙ୍କ ପାଖରେ ବିକ୍ରି କରେ । ଏବେ ପୋଲିସ ପଂଝାକୁ ଆସିବା ପରେ ରାଜ୍ୟ ବାହାରେ ତାର ଅପରାଧ ସଂପର୍କରେ ଖୋଳତାଡ ଆରମ୍ଭ କରିଛି କମିଶନରେଟ ପୋଲିସ ।