କରୋନା ଭାଇରସକୁ ନେଇ ଖୁସି ଖବର : ଦେଶରେ କମୁଛି ସଂକ୍ରମଣ; ୧ ତଳେ ଆର ଭାଲ୍ୟୁ

କେରଳ, ମହାରାଷ୍ଟ୍ରରେ ସ୍ଥିତି ନିୟନ୍ତ୍ରଣାଧୀନ; ୮୮ ଦିନ ଧରି ପଜିଟିଭ ହାର ରହିଛି ୩ ପ୍ରତିଶତ ତଳେ

143

କନକ ବ୍ୟୁରୋ : ଜନଜୀବନକୁ ବ୍ୟତିବ୍ୟସ୍ତ କରିପକାଇଥିବା କରୋନା ଭାଇରସକୁ ନେଇ ଆସିଛି ଖୁସି ଖବର । ଦେଶରେ କରୋନା ସଂକ୍ରମଣର ଆର-ଭାଲ୍ୟୁ ୧ ତଳକୁ ଖସି ଆସିଯାଇଛି । ସଂକ୍ରମଣର ତୀବ୍ରତାକୁ ଦର୍ଶାଉଥିବା ଆର-ଭାଲ୍ୟୁ କମିବା ଯୋଗୁ ଆଗାମୀ ଦିନରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିବାର ସମ୍ଭବନା ରହିଛି । ଗତ ଅଗଷ୍ଟ ମାସରେ ଆର-ଭାଲ୍ୟୁ ୧.୧୭ ରହିଥିବା ବେଳେ ଚଳିତ ସେପ୍ଟେମ୍ବର ମଧ୍ୟଭାଗରେ ୦.୯୨ ରହିଛି । ସଂକ୍ରମଣ ଅଧିକ ଥିବା କେରଳ ଓ ମହାରାଷ୍ଟ୍ରରେ ବି ସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ସଂକ୍ରମଣ ହାର ଏଭଳି କମିବା ଦ୍ୱାରା ତୃତୀୟ ଲହରୀକୁ ନେଇ ଥବା ଆଶଙ୍କା ଟଳି ଯାଇପାରେ ବୋଲି ବିଶେଷଜ୍ଞମାନେ କହିଛନ୍ତି ।

କିନ୍ତୁ କିଛି ପ୍ରମୁଖ ସହର ତଥା ମୁମ୍ବାଇ, କୋଲକାତା, ଚେନ୍ନାଇ, ବେଙ୍ଗାଲୁରୁରେ ଆର୍‌ ଭାଲ୍ୟୁ ୧ ଉପରେ ରହିଛି । ଦିଲ୍ଲୀ ଏବଂ ପୁନେର ଆର୍‌ ଭାଲ୍ୟୁ ୧ ତଳେ ରହିଛି । ମହାରାଷ୍ଟ୍ର ଏବଂ କେରଳରେ ଆର୍‌ ଭାଲ୍ୟୁ ୧ ତଳେ ରହିବା କରୋନା ପ୍ରକୋପ ଥମି ଯାଇଥିବା ଦର୍ଶାଉଛି। ଦେଶରେ ସର୍ବାଧିକ ସଂକ୍ରମଣ ମାମଲା ଏହି ୨ଟି ରାଜ୍ୟରେ ଥିବାବେଳେ ଆର୍‌ ଭାଲ୍ୟୁ ୧ ତଳେ ରହିବା ଆଶ୍ବସ୍ତି ପ୍ରଦାନ କରିଛି । ଉଲ୍ଲେଖଯୋଗ୍ୟ, ଅଗଷ୍ଟ ଶେଷରେ ଦେଶରେ ଆର୍‌ ଭାଲ୍ୟୁ ୧.୧୭ ଥିଲା। ସେପ୍ଟେମ୍ବର ୪-୭ରେ ଆର୍‌ ଭାଲ୍ୟୁ ୧.୧୧ କୁ କମିଥିବା ବେଳେ ଏହା ପରଠାରୁ ଆର୍‌ ଭାଲ୍ୟୁ ୧ ତଳେ ରହିଛି । ମୁମ୍ବାଇରେ ଆର୍‌ ଭାଲ୍ୟୁ ୧.୦୯ ଥିବାବେଳେ ‌ଚେନ୍ନାଇରେ ୧.୧୧ , କୋଲକାତାରେ ୧.୦୪ ଏବଂ ବେଙ୍ଗାଲୁରୁରେ ଆର୍ ଭାଲ୍ୟୁ ୧.୦୬ ରହିଛି। ମାର୍ଚ୍ଚ-ମେ ମଧ୍ୟରେ କରୋନା ବଡ଼ ବିପର୍ଯ୍ୟୟ ଆଣିଥିଲା ଏବଂ ଅନେକ ଲୋକଙ୍କ ସଂକ୍ରମଣରେ ମୃତ୍ୟୁ ହୋଇଥିଲା ।

କରୋନା ଦ୍ବିତୀୟ ଲହର ଦେଶରେ ଶୀର୍ଷରେ ଥିବା ସମୟରେ ଆର୍‌ ଭାଲ୍ୟୁ ମାର୍ଚ୍ଚ ୯ରୁ ଏପ୍ରିଲ ୨୧ ମଧ୍ୟରେ ୧.୩୭ ଥିଲା । ଏପ୍ରିଲ ୨୪ରୁ ମେ’ ୧ ମଧ୍ୟରେ ଏହା ୧.୧୮କୁ କମିଗଲା ଏବଂ ଏପ୍ରିଲ ୨୯ରୁ ମେ’ ୭ ମଧ୍ୟରେ ଏହା ପୁଣି ୧.୧୦କୁ କମିଗଲା । ସେପ୍ଟେମ୍ବର ୪-୭ ମଧ୍ୟରେ ଦେଶରେ ଆର୍‌ ଭାଲ୍ୟୁ ୦.୯୪ , ସେପ୍ଟେମ୍ବର ୧୧ରୁ ୧୫ ମଧ୍ୟରେ ୦.୯୨ ଏବଂ ‌ସେ‌ପ୍ଟେମ୍ବର ୧୪-୧୯ ମଧ୍ୟରେ ଆର୍‌ ଭାଲ୍ୟୁ ୦.୯୨ ଥିଲା। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ ଦେଶରେ କୋଭିଡ୍‌ ଆରୋଗ୍ୟ ହାର ଏବେ ୯୭.୭୫ ପ୍ରତିଶତ ରହିଛି । ସାପ୍ତାହିକ ପଜିଟିଭ୍‌ ହାର ୨.୦୮ ପ୍ରତିଶତ ଥିବାବେଳେ ୮୮ ଦିନ ଧରି ଦେଶରେ ସାପ୍ତାହିକ ପଜିଟିଭ୍‌ ହାର ୩ ପ୍ରତିଶତ ତଳେ ରହିଛି ।