କନକ ବ୍ୟୁରୋ : ଅସୁରକ୍ଷିତ ସମ୍ବଲପୁର-ବରଗଡ଼ ଜାତୀୟ ରାଜପଥ । ସମ୍ବଲପୁର ବୁର୍ଲା ନିକଟସ୍ଥ ଲକ୍ଷ୍ମୀ ଡୁଙ୍ଗୁରୀରୁ ମାଟି ଅତଡ଼ା ଖସିବା ସହ ବଡ଼ ବଡ଼ ପଥର ଖସୁଛି । ସପ୍ତାହରେ ୨ ଦିନ ମାଟି ଅତଡା ଖସିବା ପରେ ବନ୍ଦ ହୋଇଛି ଗୋଟିଏ ଲେନ୍ । ଅନ୍ୟ ଏକ ଲେନରେ ଯିବା ପାଇଁ ଅନୁମତି ମିଳିଛି । ବାରମ୍ବାର ଏପରି ହେଉଥିଲେ ମଧ୍ୟ ଏନ୍ଏଚ୍ଆଇ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି ।

Advertisment

ପ୍ରତିବର୍ଷ ଦୁର୍ଘଟଣା ପରେ ଏଠାରେ ଟନେଲ କରାଯିବ ବୋଲି ପ୍ରସ୍ତାବ ଦିଆଯାଇଥିଲା । ଏହି ପ୍ରସ୍ତାବ କୁଆଡେ ଗଲା ବୋଲି ଲୋକେ ପ୍ରଶ୍ନ କରିଛନ୍ତି । ସେପଟେ ଜିଲ୍ଲାପାଳ କହିଛନ୍ତି ଆସନ୍ତା ଡିସେମ୍ବର ସୁଦ୍ଧା ଟନେଲ କାମ ଶେଷ ହେବ । ଏହି ଟନେଲ ପାଇଁ ୩୮ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଥିବା ସେ ସୂଚନା ଦେଇଛନ୍ତି । ଏହା ବାଦ୍ ମାଟି ସର୍ଭେ ପାଇଁ ଆଇଆଇଟି ଭୁବନେଶ୍ୱରକୁ ଦାୟିତ୍ୱ ଦିଆଯାଇଥିବା ଜିଲ୍ଲାପାଳ କହିଛନ୍ତି ।

ବର୍ଷାଋତୁରେ ଲକ୍ଷ୍ମୀ ଡୁଙ୍ଗୁରୀରୁ ଅତଡ଼ା ସାଧାରଣ ଘଟଣା ହୋଇଯାଇଛି। ସାମ୍ଭାବ୍ୟ ବିପଦକୁ ଏଡ଼ାଇବା ପାଇଁ ଜାତୀୟ ରାଜପଥର ଲକ୍ଷ୍ମୀ ଡୁଙ୍ଗୁରୀ ପାର୍ଶ୍ବରେ ଯାତାୟାତ ବନ୍ଦ କରାଯାଇଛି । ବ୍ୟସ୍ତତମ ସମ୍ବଲପୁର-ବରଗଡ଼ ଜାତୀୟ ରାଜପଥର ଗୋଟିଏ ପାର୍ଶ୍ବରେ ଯାନବାହନ ଯାତାୟାତ କରୁଥିବାରୁ ଅନେକ ସମୟରେ ଦୁର୍ଘଟଣା ଘଟୁଛି। ଏଥିରେ ଅନେକ ଲୋକ ମୃତାହତ ହେ‌ଉଛନ୍ତି।