ଅନୁଗୁଳ ପାଇଁ ବିପଦ ପାଲଟିଛି ୫୫ ନମ୍ବର ଜାତୀୟ ରାଜପଥ । ଭୟ ବଢାଉଛି ଖାଲଖମା ଭର୍ତ୍ତି ରାସ୍ତା ।

153

କନକ ବ୍ୟୁରୋ: ଯଦି ଆପଣ ଅନୁଗୁଳ ଦେଇ ଲମ୍ବିଥିବା ୫୫ ନମ୍ବର ଜାତୀୟ ରାଜପଥରେ ଯାତାୟାତ କରୁଛନ୍ତି, ତେବେ ସାବଧାନ । ଖାଲଖମାରେ ଭର୍ତ୍ତି  ହୋଇଛି ଜାତୀୟ ରାଜପଥ, ଅବସ୍ଥା ଏମିତି ଯେ ପ୍ରତି ମୂହୁର୍ତ୍ତରେ ବାଜିରେ ଲାଗୁଛି ଜୀବନ ।

  • ବିପଦ ପାଲଟିଛି ଜାତୀୟ ରାଜପଥ !
  • ସଂପ୍ରସାରଣ ଆଳରେ ଦୁର୍ଘଟଣାକୁ ନିମନ୍ତ୍ରଣ!

ଅନୁଗୁଳ ଦେଇ ଆଗକୁ ବଢିଛି କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥ । ୨୦୧୭ ମସିହାରୁ ଏହି ରାସ୍ତାର ସଂପ୍ରସାରଣ କାମ ଚାଲିଛି ଯେ ସରୁନି । କାମ ଠିକା ନେଇ ଥିବା ସଂସ୍ଥା ମନ୍ଥର ଗତିରେ କାମ କରୁଥିବାରୁ ଦୁଇ ଦୁଇ ଥର ଅବଧି ସରିଥିଲେ ବି ସଂପ୍ରସାରଣ କାମ ଏଯାଏଁ ଅଧା ହୋଇନାହିଁ । କେଉଁଠି ରାସ୍ତା ଖୋଳି ପକାଇ ଦିଆଯାଇଛି ତ କେଉଁଠି ପୋଲ ତିଆରି କାମ ସରୁନାହିଁ । ଫଳରେ ଜାତୀୟ ରାଜପଥରେ ଗମନାଗମନ କରିବା କଷ୍ଟକର ହୋଇ ପଡିଛି । ପ୍ରତିଦିନ ଶହ ଶହ କାର, ବାଇକ୍ ଓ ଭାରି ଯାନ ଚଳାଚଳ କରୁଥିବାରୁ ଦୁର୍ଘଟଣା ଘଟୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ରାଜ୍ୟ ବାଣିଜ୍ୟ ଓ ସଡକ ପରିବହନ ବିଭାଗର ସୂଚନା ଅନୁସାରେ, ୨୦୨୦ ଜାନୁଆରୀରୁ  ଏପ୍ରିଲ ଭିତରେ ୧୦୭ଟି ଦୁର୍ଘଟଣାରେ ୫୪ ଜଣଙ୍କ ଜୀବନ ଯାଇଛି ୫୫ ନମ୍ବର ଜାତୀୟ ରାଜପଥରେ । ସେହିଭଳି ୨୦୨୧ ଜାନୁଆରୀରୁ ଏପ୍ରିଲ ମଧ୍ୟରେ ଏହି ରାସ୍ତାରେ ୧୬୨ଟି ସଡ଼କ ଦୁର୍ଘଟଣା ଘଟିଛି । ଅକାଳରେ ୬୭ ଜଣଙ୍କ ଜୀବନ ଦୀପ ଲିଭି ଯାଇଛି ।  ଅନୁଗୁଳ ସହର ଠାରୁ ଜରପଡା ଛକରେ ଫେବୃଆରୀରେ ୪ଟି, ମାର୍ଚ୍ଚରେ ୩ଟି ଓ ଏପ୍ରିଲରେ ୨ଟି ବଡ ଧରଣର ଦୁର୍ଘଟଣା ଘଟିଛି ।

ଏଥିରେ ଅନେକ ପରିବାର ଉଜୁଡି ଯାଇଛି । ଦୁର୍ଘଟଣାର ଶିକାର ହୋଇ ଅନେକ ସାରା ଜୀବନ ଦିବ୍ୟାଙ୍ଗ ପାଲଟି ଯାଇଛନ୍ତି । ଆଉ ଏସବୁ ପାଇଁ ଜାତୀୟ ରାଜପଥ ସଂପ୍ରସାରଣ କାମ ହିଁ ଦାୟୀ ବୋଲି କୁହନ୍ତି ଗାଡି ଚାଳକ ଓ ମାଲିକ ।   ଜାତୀୟ ରାଜପଥ ସଂପ୍ରସାରଣ କାମରେ ବିଳମ୍ବ ଯୋଗୁଁ ଦୁର୍ଘଟଣା ବଢୁଛି । ତେଣୁ ପ୍ରଶାସନ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।