ମରଣଯନ୍ତା ପାଲଟିଛି ୧୬ ନଂ ଜାତୀୟ ରାଜପଥ: ନେଉଛି ଗୋଟିଏ ପରେ ଗୋଟିଏ ମୁଣ୍ଡ; ରବିବାର ଦୁଇଟି ପୃଥକ ଦୁର୍ଘଟଣାରେ ୩ ମୃତ, ୬ଗୁରୁତର ।

151

କନକ ବ୍ୟୁରୋ: ମୃତ୍ୟୁଯନ୍ତା ପାଲଟିଛି ୧୬ ନଂ ଜାତୀୟ ରାଜପଥ, ନେଉଛି ଗୋଟିଏ ପରେ ଗୋଟିଏ ମୁଣ୍ଡ । ରବିବାର ପୃଥକ ପୃଥକ ଦୁର୍ଘଟଣାରେ ପାତ୍ରପଡା ଏବଂ ବରମୁଣ୍ଡାରେ ୩ଜଣଙ୍କ ଜୀବନ ଯାଇଛି । ଏହି ଦୁର୍ଘଟଣାରେ ୬ଜଣ ମେଡ଼ିକାଲରେ ଭର୍ତ୍ତି ହୋଇଥିବା ବେଳେ ୩ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।

ରବିବାର ରାତି ପ୍ରାୟ ସାଢେ ୯ଟା ସମୟରେ ରାଜଧାନୀର ତମାଣ୍ଡୋ ହୁଣ୍ଡାଇ ସୋରୁମ ନିକଟରେ ଘଟିଥିବା ସଡ଼କ ଦୁର୍ଘଟଣାରେ ବାଲିଅନ୍ତା ଅଞ୍ଚଳର ବିଶ୍ୱଜିତ ରାୟ ନାମକ ଯୁବକଙ୍କର ମୃତ୍ୟୁ ଘଟିଛି । ବିଶ୍ୱଜିତ୍ ନିଜର ଅନ୍ୟ ସାଙ୍ଗ ମାନଙ୍କ ସହ ମିଶି କାର ଯୋଗେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଡିଭାଇଡରେ ଡେଇଁ ଅପରପାଶ୍ୱର୍ରୁ ଆସୁଥିବା ଏକ ଟ୍ରକକୁ ଧକ୍କା ଦେଇଥିଲେ । ଫଳରେ କାରଟି ଟ୍ରକରେ ପିଟି ହୋଇ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ୫ଜଣ ଯାକ ଯୁବକ କାର ମଧ୍ୟରେ ଚାପି ହୋଇ ରହିଥିଲେ । ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ତମାଣ୍ଡୋ ପୋଲିସ ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତି କରିଥିବା ବେଳେ ବିଶ୍ୱଜିତଙ୍କୁ ମୃତ ଘୋଷଣା କରାଯାଇଥିଲା ।

ସେହିପରି ରାତି ପ୍ରାୟ ୧୧ଟା ସମୟରେ ବରମୁଣ୍ଡା ଓଭରବ୍ରିଜ୍ ନିକଟରେ ୩ଜଣ ବାଇକ ଆରୋହୀଙ୍କ ଉପରେ ଟ୍ରକ ମାଡ଼ିଯିବା ଫଳରେ ଘଟଣାସ୍ଥଳରେ ହିଁ ୨ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଏହି ଘଟଣାରେ ଟ୍ରକ ଚାଳକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

ଏହା ପୂର୍ବରୁ ୨୯ ତାରିଖ ରାତିରେ କାମ ସାରି ରୁମକୁ ଫେରୁଥିବା ସମୟରେ କଳିଙ୍ଗ ଷ୍ଟାଡିୟମ ସମ୍ମୁଖ ରାସ୍ତାରେ ଜଣେ ଟ୍ରାଫିକ୍ କନେଷ୍ଟବଳଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା । ଗତ କିଛି ଦିନ ହେବ ରାଜଧାନୀରେ ଏଭଳି ଦୁର୍ଘଟଣା ସଂଖ୍ୟା ବଢିଚାଲିଥିବା ବେଳେ ରାସ୍ତାକୁ ବାହାରିବାକୁ ମଧ୍ୟ ରାଜଧାନୀ ବାସୀଙ୍କୁ ଭୟ ଗ୍ରାସିଛି । ଦ୍ରୁତ ଗାଡ଼ି ଚାଳନା ପାଇଁ ଏହି ଦୁର୍ଘଟଣା ଘଟୁଥିବା ବେଳେ ଦୁର୍ଘଟଣା ଘଟାଇ ଭାରୀଯାନ ଗୁଡ଼ିକ ଖସିଯିବାରେ ମଧ୍ୟ ସକ୍ଷମ ହେଉଛନ୍ତି । ଦୁର୍ଘଟଣା ରୋକିବାକୁ ଜାତୀୟ ରାଜପଥରେ ପାଟ୍ରୋଲିଂ ଆହୁରି କଡାକଡି କରାଯିବା ସହ ଗାଡ଼ି ଚଳାଇବା ନେଇ ସ୍ୱତନ୍ତ୍ର ନିୟମ କାର୍ଯ୍ୟକାରୀ, ମଦୁଆ ଏବଂ ଅମାନିଆ ଗାଡ଼ି ଚାଳକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି ।