ଲାଲଗଡରେ ଉଡିଲା ତ୍ରିରଙ୍ଗା । କରୋନା କଟକଣା ଭିତରେ ମାଲକାନଗିରିରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ

58

କନକ ବ୍ୟୁରୋ: କୋଭିଡ କଟକଣା ଭିତରେ ମାଲକାନଗିରି ଜିଲ୍ଲାରେ ମଧ୍ୟ ପାଳିତ ହୋଇ ଯାଇଛି ୭୨ ତମ ସାଧାରଣତନ୍ତ୍ର ଦିବସ । ମନ୍ତ୍ରୀ ତୁଷାର କାନ୍ତି ବେହେରା ଜିଲ୍ଲା ସ୍ତରୀୟ କାର୍ଜ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାମ କରି ଥିବା ବିଭିନ୍ନ ସରକାରୀ କର୍ମଚାରୀ, ସ୍ୱାସ୍ଥ୍ୟ କର୍ମୀ ଓ ପୁଲିସ କର୍ମଚାରୀଙ୍କୁ ମଧ୍ୟ ସମ୍ମାନୀତ କରିଥିଲେ ମନ୍ତ୍ରୀ ତୁଷାର କାନ୍ତି ବେହେରା । ଏବେ ନଜର ପକାନ୍ତୁ କେଉଁଠି କିଏ କଲେ ପତାକା ଉତ୍ତୋଳନ ।

କୁଚିଣ୍ଡାରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ

ସମ୍ବଲପୁର ଜିଲ୍ଲା କୁଚିଣ୍ଡା ମୁକୁନ୍ଦି ଷ୍ଟାଡିୟମଠାରେ ୭୨ତମ ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ କୋଭିଡ କଟକଣା ଯୋଗୁଁ ନିରାଡମ୍ବର ଭାବେ ପାଳିତ ହୋଇଯାଇଛି । ଭାରପ୍ରାପ୍ତ ଉପଜିଲ୍ଲାପାଳ ପବିତ୍ର ବେହେରା ଜାତୀୟ ପତାକା ଉତ୍ତୋଳନ କରି ସମବେତ ଜନତାଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇଥିଲେ । ଏହି ଅବସରରେ ସହକାରୀ ଉପଜିଲ୍ଲାପାଳ ହେମେନ୍ଦ୍ର ଭୋଇ, ଏସଡିପିଓ ରାଜକିଶୋର ମିଶ୍ର, ଥାନା ଅଧିକାରୀ କମଳ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ଏଥିସହ କୋଭିଡ ଯୋଦ୍ଧାଙ୍କୁ ମଧ୍ୟ ସମ୍ମାନୀତ କରାଯାଇଛି ।

ଜଗତସିଂହପୁରରେ ୭୨ତମ ସାଧାରଣତନ୍ତ୍ର ଦିବସ

ଜଗତସିଂହପୁରରେ ଜିଲ୍ଲାସ୍ତରୀୟ ୭୨ତମ ସାଧାରଣତନ୍ତ୍ର ଦିବସ ସ୍ଥାନୀୟ ନବକୃଷ୍ଣଚୌଧୁରୀ ଷ୍ଟାଡିୟମ ପଡିଆରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଯୋଗଦେଇ ପତାକା ଉତ୍ତୋଳନ କରିବା ସହ ସହରରେ ଥିବା ବରପୁତ୍ରମାନଙ୍କୁ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ । କୋଭିଡ କଟକଣା ଯୋଗୁ ଏଥର ସ୍କୁଲ ପିଲା ଓ ଜନସାଧାରଣଙ୍କୁ ପ୍ରବେଶ କରାଯାଇ ନଥିଲା। ଏହି ଅବସରରେ କୋଭିଡ ଯୋଦ୍ଧାଙ୍କୁ ଜିଲ୍ଲାପାଳ ସମ୍ବର୍ଦ୍ଧିତ କରିଥିଲେ । ଷ୍ଟାଡିୟମରେ ବୃକ୍ଷରୋପଣ କରାଯାଇଥିଲା।

ସୁବର୍ଣ୍ଣପୁରରେ ୭୨ତମ ସାଧାରଣତନ୍ତ୍ର ଦିବସ

ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ପଡିଆଠାରେ ୭୨ ତମ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ମନୀଷା ବାନାର୍ଜୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ମିଳିତ ପରେଡର ଅଭିବାଦନ ଗ୍ରହଣ କରିଥିଲେ । ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇ ଏକ ସମୃଦ୍ଧ ସୁବର୍ଣ୍ଣପୁରରେ ପରିଣତ କରିବାକୁ ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ ଜିଲ୍ଲାପାଳ । ଚଳିତ ବର୍ଷ କରୋନା କଟକଣା ଯୋଗୁଁ କେବଳ ପୁଲିସବାହନୀ ଓ ହୋମଗାର୍ଡ ପରେଡରେ ଅଂଶଗ୍ରହଣ କରିଥିଲେ । ସାଧାରଣ ଲୋକ ତଥା ସ୍କୁଲ କଲେଜର ଛାତ୍ରଛାତ୍ରୀମାନଙ୍କୁ ବାରଣ କରାଯାଇଥିଲା । ଏହି ଅବସରରେ ଜିଲ୍ଲାର କରୋନା ଯୋଦ୍ଧାମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ମାନୀତ କରାଯାଇଥିଲା ।