କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ସୂଚନା, ଅଭିନେତ୍ରୀ ଆଶା ପାରେଖଙ୍କୁ ଦାଦା ସାହେବ ଫାଲକେ ସମ୍ମାନ

151

କନକ ବ୍ୟୁରୋ : ବଲିଉଡର ଚର୍ଚ୍ଚିତ ଅଭିନେତ୍ରୀ ଆଶା ପାରେଖଙ୍କୁ ଚଳିତ ବର୍ଷ ପାଇଁ ଦାଦା ସାହେବ ଫାଲକେ ପୁରସ୍କାର ପ୍ରଦାନ କରାଯିବ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର । ରାଷ୍ଟ୍ରୀୟ ଚଳଚିତ୍ର ପୁରସ୍କାର ସମାରୋହରେ ଆଶା ପାରେଖଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ ।

୧୯୪୨ ଅକ୍ଟୋବର ୨ ତାରିଖରେ ବେଙ୍ଗାଲୋରର ଏକ ଗୁଜୁରାତି ପରିବାରରେ ଜନ୍ମଗ୍ରହଣ କରିଥିଲେ ଆଶା ପାରେଖ । ସେ ୧୦ ବର୍ଷ ବୟସରୁ ବଲିଉଡରେ ପାଦ ଦେଇଥିଲେ । ତାଙ୍କ ସିନେ କ୍ୟାରିଅର ମଧ୍ୟରେ ସେ ଦେବାନନ୍ଦ, ରାଜେଶ ଖାନ୍ନା, ଶଶି କପୁର, ଜିତେନ୍ଦ୍ର, ମନୋଜ କୁମାର ଓ ଧର୍ମେନ୍ଦ୍ରଙ୍କ ଭଳି ଅଭିନେତାଙ୍କ ସହ ଅଭିନୟ କରିଛନ୍ତି । ଏହାସହ ସେ ଜଣେ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ମଧ୍ୟ । ସେ ୧୯୫୨ ମସିହାରେ ଆସମାନ ସିନେମାରେ ଜଣେ ଛୋଟ ପିଲା ଚରିତ୍ରରେ ଅଭିନୟ କରିଥିଲେ । ଏହାପରେ ସେ କେବେ ପଛକୁ ଫେରି ଚାହିଁ ନାହାଁନ୍ତି । ଗୋଟିଏ ପରେ ଗୋଟିଏ ହିଟ୍ ସିନେମାରେ ଅଭିନୟ କରି ସେ ତାଙ୍କ ଅଭିନୟର ଯାଦୁ ଦେଖାଇଥିଲେ ।

ଆଶା ପାରେଖ ୧୯୯୨ ରେ ପଦ୍ମଶ୍ରୀ ପୁରସ୍କାର ପାଇଥିଲେ । ଏହାପରେ ୨୦୦୧ ରେ ଫିଲ୍ମ ଫେୟାର ତରଫରୁ ତାଙ୍କୁ ଲାଇଫଟାଇମ୍ ଆଚିଭମେଣ୍ଟ ପାଇଁ ମଧ୍ୟ ପୁରସ୍କୃତ କରାଯାଇଥିଲା । ଏହାସହ ୨୦୦୬ ମସିହାରେ ତାଙ୍କୁ ଫିଲ୍ମ ଏକାଡେମୀ ପୁରସ୍କାରରେ ମଧ୍ୟ ସମ୍ମାନୀତ କରାଯାଇଥିଲା । ସେ ୧୯୯୮ ରୁ ୨୦୦୧ ପର୍ଯ୍ୟନ୍ତ ସେନ୍ସର ବୋର୍ଡର ପ୍ରଥମ ମହିଳା ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଛନ୍ତି ।