କନକ ବ୍ୟୁରୋ: ଦିଲ୍ଲୀର ବିଜ୍ଞାନ ଭବନରେ ଗତକାଲି ଆୟୋଜିତ ୬୫ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିତରଣ ଉତ୍ସବ ବିବାଦୀୟ ହୋଇପଡ଼ିଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବଦଳରେ କେନ୍ଦମନ୍ତ୍ରୀ ସ୍ମୃତି ଇରାନି ପୁରସ୍କାର ବିତରଣ କରିବେ ବୋଲି ଘୋଷଣା ହେବା ପରେ ଏହାକୁ ନେଇ ପୁରସ୍କାର ବିଜେତାଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା। ସେମାନେ ଚଳଚ୍ଚିତ୍ର ବୋର୍ଡକୁ ମଧ୍ୟ ଚିଠି ଲେଖି ପୁରସ୍କାର ଉତ୍ସବ ବର୍ଜନ କରିବେ ବୋଲି ଚେତାବନୀ ଦେଇଥିଲେ। ତଥାପି ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ କୌଣସି ସନ୍ତୋଷଜନକ ଉତ୍ତର ନମିଳିବାରୁ ୬୫ ଜଣ ବିଜେତା ପୁରସ୍କାର ଗ୍ରହଣ କରିବାକୁ ଆସିନଥିଲେ ।
ଉଲ୍ଳେଖଯୋଗ୍ୟ, ଦୀର୍ଘ ୬୪ ବର୍ଷ ଧରି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ରାଷ୍ଟ୍ରପତି ହିଁ ବିଜେତାଙ୍କୁ ପରସ୍କୃତ କରି ଆସିଛନ୍ତି । କିନ୍ତୁ ସାଧାରଣରେ ଦେଖାଦେଇଥିବା ଏହି ଅସନ୍ତୋଷକୁ ନେଇ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ରାଷ୍ଟ୍ରପତି କୌଣସି ବି ପୁରସ୍କାର ଉତ୍ସବ ପାଇଁ ଅତିବେଶୀରେ ଗୋଟିଏ ଘଣ୍ଟା ସମୟ ଦେଇଥାନ୍ତି। ରାଷ୍ଟ୍ରପତି ଭାବେ ଶ୍ରୀ କୋବିନ୍ଦ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ଏହି ପ୍ରୋଟୋକଲ କାର୍ଯ୍ୟକାରୀ ହେଉଛି । ଏନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟକୁ ମଧ୍ୟ ଅବଗତ କରାଯାଇଥିଲା ବୋଲି ରାଷ୍ଟ୍ରପତି ଭବନ ପ୍ରେସ୍ ସଚିବ ଅଶୋକ ମଲିକ କହିଛନ୍ତି।
ସେପଟେ କଂଗ୍ରେସ ନେତା ତଥା ପୂର୍ବ ସୂଚନା ପ୍ରସାରଣ ମନ୍ତ୍ରୀ ମନିଷ ତିଓ୍ଵାରୀ କହିଛନ୍ତି ଯେ, ରାଷ୍ଟ୍ରପତି ୭୦ବର୍ଷର ଇତିହାସ ଓ ପରମ୍ପରାକୁ ଭାଙ୍ଗିବା ଦୁର୍ଭାଗ୍ୟଜନକ। ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ ଅଧ୍ୟକ୍ଷ ପ୍ରସୂନ ଯୋଶୀ ଏହି ଉତ୍ସବରେ ଯୋଗଦେଇ କହିଥିଲେ ଯେ, ପୁରସ୍କାର ସର୍ବଦା ପୁରସ୍କାର। ଏହାକୁ କୌଣସି ବିବାଦ ଘେରକୁ ଟାଣିବା ଉଚିତ ନୁହେଁ। ଓଡ଼ିଆ ଚଳଚ୍ଚିତ୍ର ‘ହ୍ୟାଲୋ ଆର୍ସି’କୁ ମଧ୍ୟ ଶ୍ରେଷ୍ଠ ଆଞ୍ଚଳିକ ଚଳଚ୍ଚିତ୍ର ଭାବେ ସମ୍ମାନିତ କରାଯାଇଛି। ଗତ ମାସରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଥିବା ବେଳେ ଗତକାଲି ଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ପୁରସ୍କାର ବିତରଣ କରାଯାଇଛି।
ଅପରାହ୍ନ ୩ଟା ୩୦ ମିନିଟରୁ ୫ଟା ୩୦ ମିନିଟ ଯାଏଁ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନି ଏହି ପୁରସ୍କାର ବିତରଣ କରିଥିଲେ। ତେବେ ୫ଟା ୩୦ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପହଞ୍ଚି ତାଙ୍କ ବକ୍ତବ୍ୟ ରଖିବା ପରେ ବଛାବଛା ୧୧ଜଣଙ୍କୁ ପୁରସ୍କୃତ କରାଯାଇଛି। ବିନୋଦ ଖନ୍ନାଙ୍କୁ ମରଣୋତ୍ତର ଦାଦା ସାହେବ ଫାଲକେ ସମ୍ମାନ ପ୍ରଦାନ କରାଯାଇଥିଲା। ବିନୋଦଙ୍କ ପୁଅ ତଥା ଅଭିନେତା ଅକ୍ଷୟ ଖାନ୍ନା ସମ୍ମାନ ଗ୍ରହଣ କରିଥିଲେ। ଦିବଂଗତ ଶ୍ରୀଦେବୀଙ୍କୁ ସର୍ବଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଥିବା ବେଳେ ତାଙ୍କ ସ୍ୱାମୀ ବୋନି କପୁର ଓ ଦୁଇ ଝିଅ ଏହି ସମ୍ମାନ ଗ୍ରହଣ କରିଥିଲେ। ସର୍ବଶ୍ରେଷ୍ଠ ଫିଚର ଫିଲ୍ମ ‘ଭିଲେଜ ରକଷ୍ଟାର’, ସର୍ବଶ୍ରେଷ୍ଠ ଅଭିନେତା ରିଦ୍ଧି ସେନ( ନଗର କୀର୍ତ୍ତନ), ସର୍ବଶ୍ରେଷ୍ଠ ନିର୍ଦ୍ଦେଶକ ନାଗରାଜ ମଞ୍ଜୁଲେ, ସର୍ବଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଏ.ଆର. ରେହମାନ, ରାଷ୍ଟ୍ରୀୟ ଏକତା ଅଧାରିତ ଚଳଚ୍ଚିତ୍ର ‘ଧପ୍ପା’କୁ ନର୍ଗିସ ଦତ୍ତ ସମ୍ମାନ, ଚଳଚ୍ଚିତ୍ର ପୁସ୍ତକ ସର୍ବଶ୍ରେଷ୍ଠ ପୁସ୍ତକ ମାତାମଗି ମଣିପୁର, ଶ୍ରେଷ୍ଠ ନିର୍ଦ୍ଦେଶକ ଜୟରାଜ ଏବଂ ଶ୍ରେଷ୍ଠ ପୁରୁଷ ପ୍ଲେ-ବ୍ୟାକ୍ ସିଙ୍ଗର ଭାବେ କେ.ଜେ.ୟେସୁଦାସ ପୁରସ୍କାର ଗ୍ରହଣ କରିଛନ୍ତି। ଉତ୍ସବରେ ମୋଟ ୧୩୭ ଜଣ ବିଜେତାଙ୍କ ମଧ୍ୟରୁ ୧୧ ଜଣଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୁରସ୍କାର ପ୍ରଦାନ କରିଥିବା ବେଳେ ଅନ୍ୟମାନଙ୍କୁ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ, ରାଜ୍ୟବର୍ଦ୍ଧନ ସିଂହ ରାଥୋଡ ଓ ନରେନ୍ଦ୍ର କୁମାର ସିହ୍ନା ପ୍ରଦାନ କରିଥିଲେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/05/5-3.jpg)
/kanak/media/post_attachments/wp-content/uploads/2018/05/4-2-300x167.jpg)
/kanak/media/post_attachments/wp-content/uploads/2018/05/NationalFilmAwards-300x200.jpg)
/kanak/media/post_attachments/wp-content/uploads/2018/05/3-4-300x185.jpg)