କୃଷକ ଆନ୍ଦୋଳନ ଭିତରେ ଆଜି ପାଳିତ ହେଉଛି ଜାତୀୟ କୃଷକ ଦିବସ । କୃଷକ ନେତା ରାକେଶ ଟିକାୟତଙ୍କ ବୟାନ । ଅନ୍ନଦାତାଙ୍କୁ ଆଇନର ଛାଟ ଦେଖାଇବା ପୂର୍ବରୁ ସରକାର ଥରେ ଚୌଧୁରୀ ଚରଣ ସିଂ ଙ୍କୁ ମନେପକାନ୍ତୁ ।

336

କନକ ବ୍ୟୁରୋ : ଆଜି ସାରା ଦେଶରେ ପାଳନ କରାଯାଉଛି ଜାତୀୟ କୃଷକ ଦିବସ । ଭାରତର ପଞ୍ଚମ ପ୍ରଧାନମନ୍ତ୍ରୀ ତଥା ଜଣାଶୁଣା କୃଷକ ନେତା ଚୌଧୁରୀ ଚରଣ ସିଂଙ୍କ ଜନ୍ମ ଜୟନ୍ତି । ଏହି ଅବସରରେ ପ୍ରତିବର୍ଷ ଡିସେମ୍ବର ୨୩ କୁ ସାରା ଦେଶ ଜାତୀୟ କୃଷକ ଦିବସ ରୂପେ ପାଳନ କରିଥାଏ । ପ୍ରଧାନମନ୍ତ୍ରୀ ଚରଣ ସିଂ ନିଜ କାର୍ଯ୍ୟକାଳରେ ଦେଶର କୃଷକ ମାନଙ୍କର ରୋଜଗାର ବୃଦ୍ଧି, କୃଷି କ୍ଷେତ୍ରରେ ଆଧୁନିକ ଯନ୍ତ୍ରପାତିର ବ୍ୟବହାର, ଉନ୍ନତ ମାନର ବିହନ ଓ ଚାଷ ପ୍ରଣାଳୀର ପରିବର୍ତ୍ତନ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ମାନ ଗ୍ରହଣ କରିଥିଲେ । ସେ ଦେଶର ପ୍ରଧାନମନ୍ତ୍ରୀ ଭାବେ ବହୁତ୍ କମ ଦିନ କାର୍ଯ୍ୟ କରିଛନ୍ତି । ହେଲେ କୃଷକ ଓ କୃଷି କ୍ଷେତ୍ରରେ ସେ ଯେଭଳି ବୈପ୍ଳବିକ ପରିବର୍ତ୍ତନ ଆଣିଥିଲେ ତାହାକୁ ନଜରରେ ରଖିତ ୨୦୦୧ ମସିହା ଠାରୁ ଆଜିର ଦିନକୁ କୃଷକ ଦିବସ ଭାବେ ପାଳନ କରାଯାଉଛି । ହେଲେ ସବୁବର୍ଷ ଠାରୁ ଏବର୍ଷର ପରିସ୍ଥିତି ଭିନ୍ନ । ଯାହାଙ୍କ ପାଇଁ ଆଜି ଦେଶ ଏହି ଦିବସ ପାଳନ କରୁଛି ସେମାନେ ଆଜି ନିଜର ହକ୍ ଗଣ୍ଡାକ ପାଇଁ ବିଯୁକ୍ତ ତାପମାତ୍ରାରେ ଦିଲ୍ଲୀ ସୀମାରେ ପାଖା ପାଖି ଗୋଟିଏ ମାସ ହେବ ଆନ୍ଦୋଳନରେ ବସିଛନ୍ତି ।

ପେଟ ପୋଡି ଗଲେ ପାଠ କି କରିବ ପଣ୍ଡିତେ ପଡିବେ ଗଡି । ଏହା ଏକ ଓଡିଆ ଢଗ । ହେଲେ ଏହା ଯେ ଜୀବନ ସତ୍ତା ପାଇଁ ଏକ ନିଚ୍ଛକ ସତ ତାହା ସେତେବେଳେ ଅନୁମେୟ ହୋଇଥାଏ ଯେତେବେଳେ ଆମ ପାଖରେ ଖାଇବାକୁ ନଥାଏ କିନ୍ତୁ ପେଟରେ ଭୋକର ଜ୍ୱାଳା ଅନୁଭବ ହେଉଥାଏ । କାରଣ ଆପଣ ଯାହା ବି କରନ୍ତୁ ପ୍ରଥମେ ଆପଣ କିଛି କରିବାକୁ ଜୀବନ୍ତ ରହିବା ଦରକାର ଆଉ ଜୀବନ୍ତ ରହିବାକୁ ହେଲେ ଖାଦ୍ୟତ ନିଶ୍ଚିନ୍ତ ଆବଶ୍ୟକ । ହେଲେ ସେ ଖାଦ୍ୟ ଦେଶର କୃଷକ ଭାଇ ଯୋଗାଇ ଥାଏ । ଦେଶର ୭୦ ପ୍ରତିଶତ ଲୋକ ଏବେ ବି କୃଷି କ୍ଷେତ୍ରକୁ ଜୀବୀକା କରି ଜୀବନ ନିର୍ବାହ କରୁଛନ୍ତି । ହେଲେ ସ୍ୱାଧିନତାର ୭୦ ବର୍ଷ ପରେ ବି ସରକାର କୃକେ ମାନଙ୍କର ଆର୍ଥିକ ଓ ସାମାଜିକ ଉନ୍ନତି ପାଇଁ କିଛି ବଡ ପଦକ୍ଷେପ ନେଉ ନାହାନ୍ତି । ଯେମିତି କି ସରକାର ଶିଳ୍ପର ବିକାଶ ସହ ଶିଳ୍ପପତିଙ୍କର ବିକାଶକୁ ପ୍ରାଧାନ୍ୟ ଦେଇଛନ୍ତି ସେଭଳି କୃଷି କ୍ଷେତ୍ରରେ ବିଶେଷ କିଛି ପରିବର୍ତ୍ତନ ପାଇଁ କୌଣସି ବି ସରକାରଙ୍କ ଆନ୍ତରିକତା ଥିବା ଭଳି ମନେ ହେଉନାହିଁ ।

ଆଜିର ଏହି ଦିନଟି ବହୁତ ମହତ୍ୱପୂର୍ଣ୍ଣ ଅଟେ । କାରଣ ଆଜିର ଦିନଟି କୃଷି କ୍ଷେତ୍ରରେ ପରିବର୍ତ୍ତନ ସହ କୃଷକ ମାନଙ୍କୁ ସଶକ୍ତ କରିବାର ବିଚାର ଆମ ମାନଙ୍କ ମନକୁ ଆସିଥାଏ । ଏନେଇ ଆୟୋଜିତ ହେଉଥିବା ସମାରୋହ ମାନଙ୍କରେ କୃଷିକ୍ଷେତ୍ର ଓ କୃଷକ ମାନଙ୍କ ପାଇଁ ଥିବା ସଂକଟ ଉପରେ ଆଲୋଚନା କରାଯାଏ । ଏହା ସହ ସେମାନେ କିଭଳି ବିଭିନ୍ନ ସଂକଟରୁ ମୁକ୍ତି ପାଇବେ ସେନେଇ ସେମାନଙ୍କୁ ଶିକ୍ଷା ଦିଆଯାଇଥାଏ । ଏନେଇ ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂ ‘ଛୋଟୁରାମ ବିରାସତ’ ନାମରେ ଏକ ସଂଗଠନ ଗଠନ କରିଥିଲେ । ଏହାସହ ସେ ୨୩ ଡିସେମ୍ବର ୧୯୭୮ ମସିହାରେ କିଷାନ ଟ୍ରଷ୍ଟ ନାମରେ ଏକ ଟ୍ରଷ୍ଟ  କରିଥିଲେ । ଯେଉଁ ଟ୍ରଷ୍ଟ ଏବେ ବି କୃଷକ ମାନଙ୍କୁ ସେମାନଙ୍କ ଅଧିକାର ବିଷୟରେ ଅବଗତ କରାଇବା ସହ କୃଷକ ମାନଙ୍କର ବିଭିନ୍ନ ସମସ୍ୟା ନେଇ ସରକାରଙ୍କ ପାଖରେ ଉପସ୍ଥାପନ କରୁଛି ।

ହେଲେ କେନ୍ଦ୍ରସରକାରଙ୍କ ଦ୍ୱାରା ପାରିତ ୩ ଟି କୃଷି ଆଇନକୁ ବିରୋଧ କରି  ଏବେ ଦେଶର ଲକ୍ଷ ଲକ୍ଷ କୃଷକ ଦିଲ୍ଲୀରୁ ପଲ୍ଲୀଯାଏ ଧାରଣାରେ ବସିଛନ୍ତି । ପାଖା ପାଖି ଗୋଟିଏ ମାସ ଧରି ଦେଶର ଚାଷୀ ମାନେ ଆନ୍ଦୋଳନ ଚଳାଇଥିବା ବେଳେ ସରକାର ଏବେ ବି ଚୁପ୍ ରହିଛନ୍ତି । ଏନେଇ ସରକାର ଓ କୃଷକ ମାନଙ୍କ ମଧ୍ୟରେ ୫ ଥର ବୈଠକ ବସି ସାରିଥିଲେ ବି ସରକାର କି କୃଷକ ମାନେ ସେମାନଙ୍କ ଜିଦ୍ ରେ ଅଟଳ ରହିବା ହେତୁ ଏନେଇ କୌଣସି ନିଷ୍ପତ୍ତି ହୋଇପାରୁ ନାହିଁ । ଗୋଟେ ପଟେ ସରକାର ଆଇନର ସଂଶୋଧନ ପାଇଁ ରାଜି ହୋଇଥିଲେ ବି କୃଷକ ସଂଗଠନ ସମ୍ପୁର୍ଣ୍ଣ ଆଇନକୁ ପ୍ରତ୍ୟାହାର କରିବା ଦାବିରେ ଅଡି ବସିଛନ୍ତି । ଏହି ଆନ୍ଦୋଳନ ଭିତରେ ଆନ୍ଦୋଳନରେ ସାମିଲ ହୋଇଥିବା କୃଷକ ମାନଙ୍କ ମଧ୍ୟରୁ ୩୦ ରୁ ଅଧିକ କୃଷକଙ୍କ ଜୀବନ ଗଲାଣି ।

ଆଜିର କୃଷକ ଦିବସରେ କେନ୍ଦ୍ର ପ୍ରତିରକ୍ଷମନ୍ତ୍ରୀ ରାଜନାଥ ସିଂ ଏକ ଟ୍ୱିଟ ଯୋଗେ କୃଷକ ଦିବସରେ କୃଷକ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହାସହ ଖୁବ୍ ଶୀଘ୍ର କୃଷକ ମାନଙ୍କ ସହ ଆଲୋଚନା କରାଯାଇ ଏହାର ନିସ୍କର୍ଶ ବାହାର କରାଯିବ ବୋଲି ତାଙ୍କ ଟ୍ୱିଟର ହ୍ୟାଣ୍ଡଲରେ ଲେଖିଛନ୍ତି ।