ମମିତା ହତ୍ୟାକାଣ୍ଡ ବିରୋଧରେ ଜାରି ରହିଛି ପ୍ରତିବାଦ । ମନ୍ତ୍ରୀଙ୍କ ଇସ୍ତଫା ଦାବି ଦୋହରାଇଲେ ବିରୋଧୀ ।

106

କନକ ବ୍ୟୁରୋ : ମମିତା ମେହେର ହତ୍ୟା ଘଟଣାରେ ରାଜରାସ୍ତାରେ ଜାରି ରହିଛି ପ୍ରତିବାଦ । ରାଜନୈତିକ ଆରୋପ ପ୍ରତ୍ୟାରୋପ ଆହୁରି ଜୋର ଧରିବାରେ ଲାଗିଛି । ମମିତା ମେହେର ହତ୍ୟାକାଣ୍ଡ ମାମଲା ଏବେ ରାଜ୍ୟର ସୀମା ଡେଇଁ ଜାତୀୟ ସ୍ତରରେ ଆଲୋଚନାର ପ୍ରସଙ୍ଗ ପାଲଟିଛି । ମୃତ ମମିତାଙ୍କ ପରିବାରକୁ ଭେଟିବାକୁ ବଲାଙ୍ଗୀର ତୁରେକେଲା ଝରଣି ଗାଁରେ ପହଁଚିଛନ୍ତି ଜାତୀୟ ସ୍ତରର ନେତା ।

ଜାତୀୟ କଂଗ୍ରେସ ମହିଳା ସଭାନେତ୍ରୀ ନିତା ଡିସୁଜା ମମିତାଙ୍କ ପରିବାରକୁ ଭେଟି ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି । ଆଉ ଭେଟିବା ପରେ ସମାନ କଥା ଦୋହରାଇଛନ୍ତି । ନିରପେକ୍ଷ ତଦନ୍ତ ପାଇଁ ଗୃହ ରାଷ୍ଟ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରିଛନ୍ତି ।

ମମିତା ହତ୍ୟାକାଣ୍ଡରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ସମ୍ପୃକ୍ତି ଅଭିଯୋଗ ଆଣିବା ସହ ତାଙ୍କ ଇସ୍ତଫା ଦାବିକୁ ଆହୁରି ଜୋର କରିବାକୁ ରଣନୀତି ପ୍ରସ୍ତୁତ କରୁଛନ୍ତି ବିରୋଧୀ । ଉଭୟ ବିଜେପି ଓ କଂଗ୍ରେସ ଓଡିଶାର କୋଣ ଅନୁକୋଣରେ ଏହାକୁ ନେଇ ପ୍ରତିବାଦ କରିବାକୁ ସଜ ହେଉଥିବା ସୂଚନା ମିଳିଛି । ବିଜେଡି କହିଛି ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ବିରୋଧୀ ଏମିତି କରୁଛନ୍ତି ।

କେବଳ ରାଜନୈତିକ ଦଳ ନୁହଁନ୍ତି ଆନ୍ଦୋଳନକୁ ଓହ୍ଲାଇଛନ୍ତି ମେହେର ସମାଜ । ନୂଆପଡା ଖଡିଆଳ ବ୍ଲକ ତୁକଳା ମେହେର ସମାଜ ପକ୍ଷରୁ ୧୦ କିଲୋମିଟର ପଦଯାତ୍ରା କରି ପ୍ରତିବାଦ ଜଣାଇଛନ୍ତି । ଦୋଷୀକୁ ଫାଶୀ ଏବଂ ମନ୍ତ୍ରୀଙ୍କ ବହିଷ୍କାର ଦାବି କରିଛନ୍ତି । ସେପଟେ କଂଗ୍ରେସ ପକ୍ଷରୁ କେସିଙ୍ଗା ଥାନା ସମ୍ମୁଖରେ ପ୍ରତିବାଦ କରାଯାଇଛି ।