ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ରିପୋର୍ଟ ୨୦୧୯ । ଗତବର୍ଷ ଦେଶରେ ଆତ୍ମହତ୍ୟା କରିଛନ୍ତି ୧ ଲକ୍ଷ ୩୯ ହଜାରରୁ ଅଧିକ ଯୁବକ , ୧୮ରୁ ୪୫ ବର୍ଷ ମଧ୍ୟରେ ସର୍ବାଧିକ ୬୭ ପ୍ରତିଶତ କରିଛନ୍ତି ଆତ୍ମହତ୍ୟା

131

କନକ ବ୍ୟୁରୋ : ମୁମ୍ବାଇରେ ସୁଶାନ୍ତ ସିଂରାଜପୁତଙ୍କ ମୃତ୍ୟୁ ହେଉ କି ରାଜଧାନୀ ଭୁବନେଶ୍ୱରରେ ଆଦିତ୍ୟ ଦାସଙ୍କ ମୃତ୍ୟୁ ହେଉ, ଏସବୁକୁ ନେଇ ବିଭିନ୍ନ କଥା ଶୁଣାଯାଉଛି ଏବଂ ମାମଲାଗୁଡିକ ତଦନ୍ତ ଜୋରଦାର ଭାବେ ଚାଲିଛି । ଅନ୍ୟପଟେ ଏହି ଘଟଣା ଦୁଇଟି ପ୍ରାଥମିକ ଭାବେ ଆତ୍ମହତ୍ୟା ବୋଲି କୁହାଯାଇଥିଲା । ଏହା ପରେ ଆତ୍ମହତ୍ୟାକୁ ନେଇ ବିଭିନ୍ନ ତତ୍ୱ ଓ ତଥ୍ୟକୁ ନେଇ ଆଲୋଚନା ବି ହୋଇଛି । ଏହି ସମୟରେ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ-ଏନସିଆରବିର ପ୍ରକାଶିତ ରିପୋର୍ଟକୁ ନେଇ ଚର୍ଚ୍ଚା ବଢିଛି ।

୨୦୧୯ ମସିହା ତଥ୍ୟ ଅନୁସାରେ ଭାରତରେ ୧ ଲକ୍ଷ ୩୯ ହଜାରରୁ ଅଧିକ ଯୁବକ ଆତ୍ମହତ୍ୟା କରି ମୃତ୍ୟୁ ବରଣ କରିଛନ୍ତି । ସେମାନଙ୍କ ମଧ୍ୟରୁ ୧୮ରୁ ୪୫ ବର୍ଷ ବୟସ୍କ ଯୁବକଙ୍କ ସଂଖ୍ୟା ସର୍ବାଧିକ ଏବଂ ଏହା ମୋଟ ଆତ୍ମହତ୍ୟା ମାମଲାର ୬୭ ପ୍ରତିଶତ । ଅର୍ଥାତ ଏହି ବୟସ ସୀମାର ଯୁବକ ସବୁଠାରୁ ଅଧିକ ଆତ୍ମହତ୍ୟା କରୁଛନ୍ତି  । ମଙ୍ଗଳବାର ପ୍ରକାଶ ପାଇଥିବା  ଦୁର୍ଘଟଣା ଜନିତ ମୃତ୍ୟୁ ଓ ଆତ୍ମହତ୍ୟା -୨୦୧୯ ରିପୋର୍ଟ ଅନୁସାରେ ଆତ୍ମହତ୍ୟାକରୀଙ୍କ ମଧ୍ୟରୁ ୯୩ ହଜାର ୬୧ ଜଣ ଯୁବ ବୟସର ଥିଲେ । ୨୦୧୮ରେ ଏହି ସଂଖ୍ୟା ୮୯ ହଜାର ୪୦୭ ଥିଲା । ତେଣୁ ୨୦୧୮ ତୁଳନାର ଦେଶରେ ଯୁବ ଆତ୍ମହତ୍ୟା ୪ ପ୍ରତିଶତ ବଢିଛି ।

ସମାନ ସମୟରେ ଆତ୍ମହତ୍ୟା ସଂଖ୍ୟା ୩.୪ ପ୍ରତିଶତ ବଢିଛି । ରିପୋର୍ଟ ଅନୁସାରେ ପାରିବାରିକ ସମସ୍ୟା ଯୋଗୁଁ ୩୪ ପ୍ରତିଶତ ଯୁବକ ଆତ୍ମହତ୍ୟା କରିଥିବା ବେଳେ ବିବାହ ସମ୍ବନ୍ଧୀୟ ସମସ୍ୟାରୁ ୭.୩ ପ୍ରତିଶତ ଲୋକ ଆତ୍ମହତ୍ୟା କରିଛନ୍ତି । ମାନସିକ ରୋଗ କାରଣରୁ ୭ ପ୍ରତିଶତ ଓ ଡ୍ରଗ୍ସ ଅପବ୍ୟବାହର ବା ମଦ୍ୟପାନ ନିଶା କାରଣରୁ ୫.୬ ପ୍ରତିଶତ ଜୀବନ ହାରିଛନ୍ତି । ସେହିପରି ୫.୨ ପ୍ରତିଶତ ଯୁବକ ପ୍ରେମ ବ୍ୟାପାରରୁ ଆତ୍ମହତ୍ୟା କରିଛନ୍ତି । ଏହା ସହ ମାନସିକ ରୋଗ ଜନିତ ଆତ୍ମହତ୍ୟା ୨୦୧୮ ତୁଳନାରେ ୮.୫ ପ୍ରତିଶତ ବଢିଛି ।