କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଦେଶରେ ୩ଲକ୍ଷରୁ ଅଧିକା କରୋନା ଆକ୍ରାନ୍ତ ଚିହ୍ନଟ । ସେପଟେ ରାଜ୍ୟରେ ୨୪ଘଂଟାରେ  ୬ହଜାରରୁ ଅଧିକା ସଂକ୍ରମିତ, ଖୋର୍ଦ୍ଧା ଜିଲ୍ଳାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ 

275
କନକ ବ୍ୟୁରୋ:  କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଦେଶରେ ୩ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ଗୋଟିଏ ଦିନରେ ୩ ଲକ୍ଷ ୧୪ ହଜାର ୮୩୫ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଜି ପୁଣି ସଂଖ୍ୟା ବଢିଛି । ୨୪ ଘଂଟା ଭିତରେ ସାରାଦେଶରୁ ୩ ଲକ୍ଷ ୩୨ ହଜାର ୭୩୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ସମୟ ମଧ୍ୟରେ ୨ ହଜାର ୨୬୩ ଜଣଙ୍କ ମୃତ୍ୟୁ ହୋଇଛି । ଗତକାଲି ୨ହଜାର ୧୦୪ ଜଣଙ୍କ ମୃତ୍ୟୁ ହୋଇଥିଲା । ଗତବର୍ଷ ସେପ୍ଟେମ୍ବରରେ ଦେଶ ଦେଖିଥିବା କରୋନାର ସର୍ବୋଚ୍ଚ ସଂକ୍ରମଣଠାରୁ ଏହା ଢେର ଅଧିକ । ବିଶେଷଜ୍ଞଙ୍କ ମତରେ ମେ’ ୧୧ରୁ ୧୫ ମଧ୍ୟରେ କରୋନାର ଦ୍ୱିତୀୟ ଲହର ଏହାର ପିକ୍ ଅର୍ଥାତ ସର୍ବୋଚ୍ଚ ସଂକ୍ରମଣରେ ପହଂଚିବ । ସେତେବେଳେକୁ ଦୈନିକ ସଂକ୍ରମଣ ସାଢେ ୩ ଲକ୍ଷରୁ ୫ ଲକ୍ଷ ପର୍ଯ୍ୟନ୍ତ ରହିବ । ତେବେ ଗତ ୨୪ ଘଂଟାରେ ଦେଶରେ ୧ ଲକ୍ଷ ୯୩ ହଜାର ୨୭୯ଜଣ କରୋନାରୁ ସୁସ୍ଥ ମଧ୍ୟ ହଇଛନ୍ତି । ଫଳରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୪ ଲକ୍ଷ ୨୮ ହଜାର ୬୧୬ରେ ପହଂଚିଛି । ଦେଶରେ ମୃତ୍ୟୁ ସଂଖ୍ୟା ମଧ୍ୟ ୧ ଲକ୍ଷ ୮୬ ହଜାର ୯୨୦ ହୋଇଛି ।
ଏପଟେ ରାଜ୍ୟରେ ମଧ୍ୟ କରୋନା ସ୍ଥିତି ଦିନକୁ ଦିନ ବଢିଚାଲିଛି । କ୍ରମାଗତ ଭାବେ ଦ୍ୱିତୀୟ ଦିନ ପାଇଁ ୬ହଜାରରୁ ଅଧିକା କରୋନା ଆକ୍ରାନ୍ତ ଚିହ୍ନଟ । ୨୪ଘଂଟା ଭିତରେ ରାଜ୍ୟରୁ ୬ହଜାର ୨ଶହ ୧୫ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୩ହଜାର ୬ଶହ ୪ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୨ହଜାର ୬ଶହ ୧୧ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସର୍ବାଧିକ ସଂକ୍ରମିତ ଚିହ୍ନଟ ତାଲିକାରେ ଆଜି ଖୋର୍ଦ୍ଧା ଜିଲ୍ଲା ରହିଛି ସବୁଠୁ ଆଗରେ ।