କନକ ବ୍ୟୁରୋ: ଲୋକସଭା ନିର୍ବାଚନ ନେଇ ତାରିଖ ଘୋଷଣା ପରେ ଏବେ ବିରୋଧୀ ଆଉ ଶାସକଙ୍କ ଭିତରେ ଚାଲିଛି ଆରୋପ ଆଉ ପ୍ରତ୍ୟାରୋପ ରାଜନୀତି । ଗୋଟିଏ ପଟେ ଶାସକ ବିରୋଧୀଙ୍କୁ ଆକ୍ରମଣ କରୁଥିବାବେଳେ, ଅନ୍ୟପଟେ ବିରୋଧୀ ଶାସକ ଦଳକୁ ଟାର୍ଗେଟ କରୁଛନ୍ତି । ଆଉ ଏହାରି ଭିତରେ ଗତକାଲି ଦିଲ୍ଲୀର ରାମଲୀଲ୍ଲା ମୈଦାନରେ ଇଣ୍ଡିଆ ମେଣ୍ଟର ସଦସ୍ୟମାନେ ଏକାଠି ହେଇ ଲୋକତନ୍ତ୍ର ବଞ୍ଚାଅ ରାଲି ଆୟୋଜିତ କରିଥିଲେ । ଆଉ ଏହି ସଭାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ମ୍ୟାଚ୍ ଫିକ୍ସିଂ ଅଭିଯୋଗ ଆଣିଥିଲେ । ହେଲେ ରାହୁଲଙ୍କ ଏହି ବୟାନ ଏବେ ତାଙ୍କୁ ପୁଣିଥରେ ଅସୁବିଧାରେ ପକାଇପାରେ ।

Advertisment

ରାହୁଲଙ୍କ ଏପରି ବୟାନକୁ ନେଇ ବିଜେପି ନିର୍ବାଚନ ଆୟୋଗଙ୍କ ପାଖରେ ଅଭିଯୋଗ କରିବ ବୋଲି କହିଛି । ରାହୁଲଙ୍କ ଏଭଳି ଟିପ୍ପଣୀ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ବିଜେପି ଦାବି କରିଛି ।

ସୂଚନାଯୋଗ୍ୟ ଯେ, ରାହୁଲ ଗାନ୍ଧୀ କହିଥିଲେ ଯେ, ଆମେ ସମ୍ବିଧାନ ବଞ୍ଚେଇବାକୁ ଲଢୁଛୁ । ହେଲେ ଯେତେବେଳେ ଅମ୍ପାୟାର ଆଉ କ୍ୟାପଟେନ୍ ଭିତରେ ଚାପ ପକାଇ ଖେଳାଳି କିଣି ନିଆଯାଏ, ଆଉ ମ୍ୟାଚ୍ ଜିତାଯାଏ । ସେତେବେଳେ କ୍ରିକେଟରେ ଏହାକୁ ମ୍ୟାଚ୍ ଫିକ୍ସିଂ କୁହାଯାଏ । ଏବେ ଲୋକସଭା ନିର୍ବାଚନରେ ମଧ୍ୟ ସେହି ସମାନ ଅବସ୍ଥା ବୋଲି ରାହୁଲ ଅଭିଯୋଗ କରିଛନ୍ତି ।

ରାହୁଲ କହିଥିଲେ ଯେ, ଅମ୍ପାୟାରଙ୍କ ଚୟନ ମ୍ୟାଚ୍ ଆରମ୍ଭ ପୂର୍ବରୁ ହେଲା । ଆମର ଦୁଇ ଖେଳାଳିଙ୍କୁ ମଧ୍ୟ ଗିରଫ କରିଦିଆଗଲା । ତେଣୁ ଏଥିରୁ ସ୍ପଷ୍ଟ ଯେ, ମୋଦୀ ଏ ନିର୍ବାଚନୀ ମ୍ୟାଚରେ ଫିକ୍ସିଂ କରି ନିର୍ବାଚନ ଜିତିବେ । ତେବେ ରାହୁଲଙ୍କ ଏହି ବୟାନ ପରେ ଏବେ ଏହାକୁ ନେଇ ତାତିଛି ବିଜେପି ।