କେନ୍ଦ୍ର ସରକାର ଜାରି କଲେ ନୂଆ ଟିକାକରଣ ପଲିସି । ଲୋକ ସଂଖ୍ୟା ଓ ସଂକ୍ରମିତଙ୍କ ସଂଖ୍ୟା ଆଧାରରେ ରାଜ୍ୟକୁ ଯୋଗାଇବେ ଟିକା ।

240

କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର କମୁଥିବା ବେଳେ କେନ୍ଦ୍ର ସରକାର ଟିକାକରଣର ନୂଆ ପଲିସି ନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି । ନୂଆ ଟିକାକରଣ ନୀତିକୁ ନେଇ କେନ୍ଦ୍ର ସରକାର କହିଛନ୍ତି ଯେ, ରାଜ୍ୟ ମାନଙ୍କର ଲୋକସଂଖ୍ୟା, ସଂକ୍ରମିତଙ୍କ ସଂଖ୍ୟା ଓ ଟିକାକରଣ ନୀତି ଆଧାରରେ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଟିକା ଯୋଗାଇ ଦେବେ । ପ୍ରଧାନମନ୍ତ୍ରୀଙ୍କ ଘୋଷଣାର ଗୋଟିଏ ଦିନ ପରେ ଏଭଳି ନିଦ୍ଦେଶନାମା ଜାରି କରାଯାଇଛି । ସୋମବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ କି ଦେଶର ସମସ୍ତ ଲୋକଙ୍କୁ କେନ୍ଦ୍ର ସରକାର ମାଗଣାରେ ଟିକା ଯୋଗାଇ ଦେବେ ଓ ଏହି କାର୍ଯ୍ୟକ୍ରମ ଜୁନ ୨୧ ତାରିଖ ଠାରୁ ଆରମ୍ଭ ହେବ । ଟିକା ନଷ୍ଟ କରିବା ନେଇ କିଛି ରାଜ୍ୟ ସରକାର ଓ କେନ୍ଦ୍ର ମଧ୍ୟରେ କଥା କଟା କଟି ହୋଇଛି । ମେ ମାସରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟର ସୂଚନା ମୁତାବକ ଝାଡଖଣ୍ଡ ୩୭ ପ୍ରତିଶତ, ଛତିଶଗଡ ୩୦ ପ୍ରତିଶତ,ତାମିଲନାଡୁ ୧୫.୫ ପ୍ରତିଶତ, ଜମ୍ମୁ-କାଶ୍ମୀର ୧୦.୮ ପ୍ରତିଶତ, ମଧ୍ୟପ୍ରଦେଶ ୧୦.୭ ପ୍ରତିଶତ ଟିକା ନଷ୍ଟ କରିଦେଇଥିଲେ ।

ଟିକାକରଣକୁ ନେଇ କେନ୍ଦ୍ର ସରକାର ଜାରି କରିଥିବା ନୂଆ ପଲିସି ମୁତବକ , ୧୮ ବର୍ଷରୁ ଅଧିକ ବୟସ୍କ ନାଗରିକଙ୍କ ଜନସଂଖ୍ୟା ସମୁହ ମଧ୍ୟରେ କିମ୍ବା ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଆବଶ୍ୟକତା ଆଧାରରେ ସେମାନେ କେନ୍ଦ୍ରକୁ ଟିକା ମାଗି ପାରିବେ ।

ଘରୋଇ ହସ୍ପିଟାଲ ପାଇଁ ଟିକାର ପ୍ରତି ଖୋରାକର ମୂଲ୍ୟ ଟିକା ନିର୍ମାତା କମ୍ପାନୀମାନେ ସ୍ଥିର କରିବେ । ଏହାସହ ଘରୋଇ ହସ୍ପିଟାଲମାନେ ଯେତିକି ଦାମରେ ଟିକା କିଣିବେ ତା ଉପରେ ଅଧିକ ୧୫୦ ଟଙ୍କା ସେବା ଶ୍ଳୁକ ବାବଦରେ ନେଇ ପାରିବେ । ଏହା ଉପରେ କେନ୍ଦ୍ର ସରକାର ନଜର ରଖିବେ ।

ଅନ୍ୟପଟେ ଟିକା ନିର୍ମାତାଙ୍କ ଉତ୍ପାଦନ ଓ ନୂଆ ଟିକାକୁ ପ୍ରୋତ୍ସାହିତ କରିବା ପାଇଁ ଘରୋଇ ହସ୍ପିଟାଲ ମାନଙ୍କୁ ଟିକା କମ୍ପାନୀମାନେ ସିଧାସଳଖ ଟିକା ଉପଲବ୍ଧ କରାଇବାକୁ କେନ୍ଦ୍ର ସରକାର ବିକଳ୍ପ ଦେଇଛନ୍ତି ।