ଜମ୍ମୁ-କାଶ୍ମୀରକୁ ନେଇ କାହିଁକି ତତ୍ପର କେନ୍ଦ୍ର ସରକାର । ବିଧାନସଭା ନିର୍ବାଚନ ନା ରାଜ୍ୟର ମାନ୍ୟତା ?

381

କନକ ବ୍ୟୁରୋ : କେନ୍ଦ୍ର ଶାସିତ ପ୍ରଦେଶ ଜମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନକୁ ନେଇ କେନ୍ଦ୍ର ସରକାର ତତ୍ପରତା ଦେଖାଇଛନ୍ତି ! ଜୁନ ୨୪ ତାରିଖରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଜମ୍ମୁ-କାଶ୍ମୀରର ସମସ୍ତ ରାଜନୈତିକ ଦଳଙ୍କ ସର୍ବଦଳୀୟ ବୈଠଳରେ ଏହି ମୁଦ୍ଦା ଉପରେ ଆଲୋଚନା ହୋଇପାରେ । ଅନ୍ୟପଟେ ଜମ୍ମୁ-କାଶ୍ମୀରବାସୀ ଦୀର୍ଘଦିନ ହେବ ରାଜ୍ୟ ପାହିଆ ଦାବି କରିଆସୁଥିବା ବେଳେ ଏହା ଉପରେ ବି ଆଲୋଚନା ହୋଇପାରେ ।

କହିରଖୁ କି ଶୁକ୍ରବାର ଦିନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଜମ୍ମୁ-କାଶ୍ମୀରର ବିକାଶ କାର୍ଯ୍ୟ ଓ ସୁରକ୍ଷାକୁ ନେଇ ଏକ ସମୀକ୍ଷା ବୈଠକ କରିଥିଲେ । ଏହି ବୈଠକରେ ଜମ୍ମୁ-କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା, ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ । ସେହିଦିନ ଅମିତ ଶାହାଙ୍କ ବୈଠକରେ ଯୋଗଦେଇଥିଲେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ ଓ କେନ୍ଦ୍ରୀୟ ଗୃହ ସଚିବ ଅଜୟ ଭଲ୍ଲା । ଏହାକୁ ନେଇ ରାଜନୀତି ସରଗରମ ହୋଇଛି । କାରଣ ଦୁଇ ସପ୍ତାହ ମଧ୍ୟରେ ଉପରାଜ୍ୟପାଳ ମନୋଜ ସିହ୍ନା ୨ ଥର ଦିଲ୍ଲୀ ଗସ୍ତ କରିସାରିଛନ୍ତି ।

ଅନ୍ୟପଟେ ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅମରନାଥ ଯାତ୍ରା ମୁଖ୍ୟ ଆଲୋଚନାର ବିଷୟବସ୍ତୁ ଥିଲା । ଏହାସହ ୨୦୨୧ ଶେଷ ସୁଦ୍ଧା ଜମ୍ମୁ-କାଶ୍ମୀରରେ ବିଧାନସଭା ନିର୍ବାଚନ କରାଇବାକୁ ୨୪ ତାରିଖ ବୈଠକରେ ଜମ୍ମୁ-କାଶ୍ମୀର ସମସ୍ତ ରାଜନୈତିକ ଦଳକୁ ଡକାଯାଇଛି ବୋଲି ଅନୁମାନ କରାଯାଉଛି । ଅନ୍ୟପଟେ ଏହି ବୈଠକରେ ଜମ୍ମୁ-କାଶ୍ମୀରକୁ ରାଜ୍ୟର ମାନ୍ୟତା ଦେବା ଉପରେ ବି ଆଲୋଚନା ହୋଇପାରେ ।