ଗୁଜୁରାଟ ରାଜ୍ୟପାଳଙ୍କ ବିବାଦୀୟ ବୟାନ, “ଇଂଜେକ୍ସନ ଓ ଔଷଧ ଚୋରି କରୁଛନ୍ତି ଡାକ୍ତର”

140

କନକ ବ୍ୟୁରୋ : ଆଜି ସାରା ଦେଶରେ ପାଳନ କରାଯାଉଛି ଜାତୀୟ ଡାକ୍ତର ଦିବସ । ଏହି ଅବସରରେ ଇଣ୍ଡିଆନ ମେଡିକାଲ ଆସୋସିଏସନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ଏହି ଅବସରରେ ମେଡିକାଲ ସହିତ ଜଡିତ କର୍ମଚାରୀଙ୍କୁ ସମ୍ବୋର୍ଦ୍ଧିତ କରିବେ । ହେଲେ ଗୁଜୁରାଟର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଡାକ୍ତରଙ୍କ ଉପରେ ବିବାଦୀୟ ବୟାନ ଦେଇଛନ୍ତି । ସେ ଡାକ୍ତରଙ୍କ ଉପରେ ଇଂଜେକ୍ସନ ଓ ଔଷଧ ଚୋରି ଭଳି ସଂଗୀନ ଅଭିଯୋଗ ଆଣିଛନ୍ତି । ଏହାସହ ଦେଶର ଶିକ୍ଷା ବ୍ୟବସ୍ଥାକୁ ନେଇ ବି ପ୍ରଶ୍ନ ଉଠାଇଛନ୍ତି ।

ଏକ ଜାତୀୟ ଗଣମାଧ୍ୟମର ଖବର ମୁତାବକ ଆଚାର୍ଯ୍ୟ ଦେବବ୍ରତ କହିଛନ୍ତି କି କରୋନା କାଳରେ ନକଲି ଇଂଜେକ୍ସନ ଓ ଔଷଧ ବିକ୍ରି ଚାଲିଛି । ଏସବୁ କାମ ଅଶିକ୍ଷିତ କୃଷକ କିମ୍ବା ଶ୍ରମିକ ମାନଙ୍କ ଦ୍ୱାରା ହେଉ ନାହିଁ , ବରଂ ଦେଶର ଶିକ୍ଷିତ ଲୋକ ଯେଭଳି କି ଡାକ୍ତର ଇଂଜିନିୟର ଓ ଡିଗ୍ରୀଧାରୀ ଲୋକମାନଙ୍କ ଦ୍ୱାରା ହେଉଛି ବୋଲି ସେ ଅଭିଯୋଗ କରିଛନ୍ତି । ସେ ଆହୁରି କହିଛନ୍ତି କି ପାପ, ଭ୍ରଷ୍ଟାଚାର କେବଳ ଶିକ୍ଷିତ ଲୋକମାନଙ୍କ ଦ୍ୱାରା କରାଯାଉଛି । ଏଭଳି ଅଭିଯୋଗ ଆଣି ସେ କହିଛନ୍ତି କି ତେବେ ଶିକ୍ଷିତ ଲୋକଙ୍କର ମାନେ କଣ ରହିଛି ।

କହିରଖୁ କି ୨୦୧୯ ରେ ଆଚାର୍ଯ୍ୟ ଦେବବ୍ରତ ଗୁଜୁରାଟର ରାଜ୍ୟପାଳ ଭାବେ ଦାୟୀତ୍ୱ ନେଇଥିଲେ । ତା ପୂର୍ବରୁ ସେ ୪ ବର୍ଷ କାଳ ହିମାଚଳ ପ୍ରଦେଶର ରାଜ୍ୟପାଳ ଥିଲେ ।

ଅନ୍ୟପଟେ ୧୯୯୧ ମସିହାରୁ କେନ୍ଦ୍ର ସରକାର ଜୁଲାଇ ପହିଲାକୁ ଜାତୀୟ ଡାକ୍ତର ଦିବସ ଭାବେ ପାଳନ କରିଆସୁଛନ୍ତି । ଦେଶର ମହାନ ଚିକିତ୍ସକ ତଥା ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଧାନଚନ୍ଦ୍ର ରାୟଙ୍କ ସ୍ମୃତିରେ ଏହି ଦିବସ ପାଳନ କରାଯାଇଥାଏ ।