କନକ ବ୍ୟୁରୋ : ବିଜେପି ରାଷ୍ଟ୍ରୀୟ ଜେ.ପି ନଡ୍ଡାଙ୍କ କାର୍ଯ୍ୟକାଳ ବୃଦ୍ଧି କରିଛି ଦଳ । ଏନେଇ ଆଜି ଗୃହମନ୍ତ୍ରୀ ଅମିତ୍ ଶାହା ଘୋଷଣା କରିଛନ୍ତି । ଶାହାଙ୍କ ଘୋଷଣା ମୁତାବକ ଆଗାମୀ ୧ବର୍ଷ ପାଇଁ ଜେ.ପି ନଡ୍ଡା ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରେ ରହିବେ । ସବୁଠାରୁ ବଡକଥା କି ଦଳ ୨୦୨୪ ନିର୍ବାଚନ ଜେ.ପି ନଡ୍ଡାଙ୍କ ନେତୃତ୍ୱରେ ଲଢିବ ।

Advertisment

ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀର ଦ୍ୱିତୀୟ ଦିନ ବୈଠକରେ ଜେପି ନଡ୍ଡାଙ୍କୁ ପୁଣିଥରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଚୟନ କରାଯାଇଛି । ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ତାଙ୍କ କାର୍ଯ୍ୟକାଳ ଗୋଟିଏବର୍ଷ ପାଇଁ ବୃଦ୍ଧି କରାଯାଇଛି । ଏହାକୁ ମିଶାଇ ନଡ୍ଡା ଦ୍ୱିତୀୟଥର ପାଇଁ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଚୟନ ହୋଇଛନ୍ତି । ବିଜେପିର କ୍ରମାଗତ ୨ଥର ପାଇଁ ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବାରେ ନଡ୍ଡା ହେଉଛନ୍ତି ତୃତୀୟ ନେତା । ଏହା ପୂର୍ବରୁ ରାଜନାଥ ସିଂ, ଲାଲକୃଷ୍ଣ ଆଡଭାନୀ ଦୁଇରୁ ଅଧିକ ଥର ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ ।

ମୋଦୀ ସରକାରରେ ସ୍ୱାସ୍ଥ୍ୟମନ୍ତ୍ରୀ ରହିସାରିଥିବା ଜେ.ପି ନଡ୍ଡା ଅଧ୍ୟକ୍ଷ ହେବା ପୂର୍ବରୁ ଜମ୍ମୁ-କାଶ୍ମୀର ଓ ଉତ୍ତର ପ୍ରଦେଶରେ ଦଳର ପ୍ରଭାରୀ ମହାସଚିବ ଭାବେ କାର୍ଯ୍ୟ କରିସାରିଛନ୍ତି । ନଡ୍ଡା ୨୦୧୦ ମସିହାରେ ରାଷ୍ଟ୍ର୍ରୀୟ ରାଜନୀତିରେ ପାଦ ରଖିଥିଲେ । ଏହି ସମୟରେ ନୀତିନ ଗଡକରୀ ନଡ୍ଡାଙ୍କୁ ଦଳର ସଚିବ ଭାବେ ନିଯୁକ୍ତି ଦେଇଥିଲେ ।

ଜେପି ନଡ୍ଡାଙ୍କ ଗୃହରାଜ୍ୟ ହେଉଛି ହିମାଚଳ ପ୍ରଦେଶ । ହେଲେ ଏବେ ସେଠାରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପି ପରାଜିତ ହୋଇଥିଲା । ଏହାପରେ ଜେପି ନଡ୍ଡାଙ୍କୁ ଦଳ ପୁଣିଥରେ ରାଷ୍ଟ୍ରୀୟ ଅଧ୍ୟକ୍ଷ କରିବ କି ନାହିଁ ତାକୁ ନେଇ ପ୍ରଶ୍ନ ଉଠିଥିଲା ।