ମିଥୁନ ଚକ୍ରବର୍ତ୍ତୀଙ୍କ ପାଇଁ ଭାରି ପଡିଲା ନିର୍ବାଚନୀ ସଭାରେ ବିବାଦୀୟ ବୟାନ । ଥାନାକୁ ଡାକି ପଚରା ଉଚରା କଲା କୋଲକତା ପୋଲିସ ।

247

କନକ ବ୍ୟୁରୋ : ଅଭିନେତା ତଥା ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ କୋଲକତା ପୋଲିସ ଥାନାକୁ ଡାକି ପଚରା ଉଚରା କରିଛି । ସୂଚନା ମୁତାବକ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସମୟରେ ଏକ ସଭାରେ ଦେଇଥିବା ବିବାଦୀୟ ବୟାନକୁ ନେଇ ପୋଲିସ ତାଙ୍କୁ ନୋଟିସ୍ କରିଥିଲା । ତାଙ୍କ ଭାଷଣ ହିଂସା ଉଦ୍ରେକକାରୀ ବୋଲି ଅଭିଯୋଗ କରି ମାଣିକତାଲା ପୋଲିସ ଷ୍ଟେସନରେ ତାଙ୍କ ନାମରେ ଅଭିଯୋଗ ହୋଇଥିଲା ।

ମାଣିକତାଲା ଥାନାରେ ଦାଖଲ ହୋଇଥିବା ଅଭିଯୋଗରେ ଦାବି କରାଯାଇଥିଲା ଯେ ମାର୍ଚ୍ଚ ୭ ତାରିଖରେ ମିଥୁନ ବିଜେପିରେ ସାମିଲ ହେବା ପରେ ଆୟୋଜିତ ସଭାରେ କହିଥିଲେ କି ‘ମାରବୋ ଏଖାନା, ଲାସ ପୋରବେ ସେଖାନେ’ ଅର୍ଥାତ ଏଠାରେ ତୁମକୁ ମାରିଲେ ସେଠାରେ ତୁମର ଲାସ ପଡିବ । ଏହାସହ ସାପର ଗୋଟିଏ ଦଂଶନରେ ତୁମେ ଫଟୋ ହୋଇଯିବ ବୋଲି ସେ କହିଥିଲେ । ଏହାକୁ ନେଇ ନିର୍ବାଚନ ପରେ ରାଜ୍ୟରେ ହିଂସା ଦେଖିବାକୁ ମିଳିଥିଲା ।

କହିରଖୁ କି ଯେଉଁ ସଭାରେ ମିଥୁନ ଏଭଳି ବିବାଦୀୟ ବୟାନ ଦେଇଥିଲେ ସେହି ସଭାରେ ଖୋଦ ପ୍ରଧାନମନ୍ତ୍ରୀ ଉପସ୍ଥିତ ଥିଲେ । ଏନେଇ ଅଭିଯୋଗ ହେବା ପରେ ଅଭିଯୋଗକୁ ଖାରଜ କରିବାକୁ ମିଥୁନ ହାଇକୋର୍ଟରେ ମାମଲା ଦାୟର କରିଥିଲେ । ସେ କହିଥିଲେ କି ସଭାରେ ସେ କେବଳ ତାଙ୍କ ସିନେମାର ସଂଳାପ କହିଥିଲେ । ଏହା କାହାକୁ ଆକ୍ଷେପ କରି ସେ କହି ନଥିଲେ ।

ଏହି ମାମଲାର ଶୁଣାଣି କରି କୋଲକତା ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ କି ମିଥୁନ ଚଳ୍ରବର୍ତ୍ତୀଙ୍କୁ ଥାନାରେ ହାଜର ହେବାକୁ ପଡିବ ।