ଗାନ୍ଧୀ ହତ୍ୟାକାରୀଙ୍କ ପ୍ରତିମୂର୍ତ୍ତି ତିଆରି କରିବ ହିନ୍ଦୁ ମହାସଭା, ଫାଶୀ ପାଇଥିବା ଜେଲରୁ ମାଟି ଆଣିବାକୁ ନିଷ୍ପତ୍ତି

655

କନକ ବ୍ୟୁରୋ : ସାବରକରଙ୍କୁ ନେଇ ଲାଗିଥିବା ବିବାଦ ଭିତରେ ହିନ୍ଦୁମହାସଭା ପୁଣି ଏକ ବିବାଦ ଠିଆ କରିଛି । ଗାନ୍ଧୀ ହତ୍ୟାକାରୀ ନାଥରାମ ଗଡସେଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିବାକୁ ଯାଉଛି ହିନ୍ଦୁ ମହାସଭା । ଏହି କ୍ରମରେ କୁହାଯାଇଛି କି ଯେଉଁ ଜେଲରେ ନାଥୁରାମଙ୍କୁ ଫାଶୀ ଦିଆଯାଇଥିଲା ସେହିଠାରୁ ମାଟି ଆଣି ତାଙ୍କର ପ୍ରତିମୂର୍ତ୍ତି ନିର୍ମାଣ କରାଯିବ । ଅର୍ଥାତ ହରିଆଣାର ଆମ୍ବାଲା ଠାରେ ଥିବା କେନ୍ଦ୍ରୀୟ ଜେଲରୁ ମାଟି ଆଣି ପ୍ରତିମୂର୍ତ୍ତି ନିର୍ମାଣ କରିବ ବୋଲି ହିନ୍ଦୁ ମହାସଭା ନିଷ୍ପତ୍ତି ନେଇଛି । କେବଳ ନିଷ୍ପତ୍ତି ନେଇ ନାହିଁ ହିନ୍ଦୁ ମହାସଭାର କାର୍ଯ୍ୟକର୍ତ୍ତାମାନେ ଗତ ସପ୍ତାହରେ ଆମ୍ବଲା ଜେଲରୁ ମାଟି ଆଣିଛନ୍ତି । କହିରଖୁ କି ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଗୁଳିକରି ହତ୍ୟା କରିବା ପରେ ୧୯୪୯ ନଭେମ୍ବର ୧୫ ତାରିଖରେ ଗଡସେ ଏବଂ ନାରାୟଣ ଆପ୍ତେଙ୍କୁ ଅମ୍ବାଲା ଜେଲରେ ଫାଶୀ ଦିଆଯାଇଥିଲା ।

ଗଣମାଧ୍ୟମକୁ ସୂଚନା ଦେଇ ହିନ୍ଦୁ ମହାସଭାର ରାଷ୍ଟ୍ରୀୟ ଉପସଭାପତି ଡକ୍ଟର ଜୟବୀର ଭରଦ୍ୱାଜ କହିଛନ୍ତି କି ଗଡସେ ଓ ଆପ୍ତେଙ୍କ ପ୍ରତିମୂର୍ତ୍ତି ସେହି ଜେଲର ମାଟିରୁ ତିଆରି ହେବ ଓ ଏହାକୁ ମହାସଭାର ଗ୍ୱାଲିଅର କାର୍ଯ୍ୟାଳୟରେ ସ୍ଥାପନା କରାଯିବ । ଭରଦ୍ୱାଜଙ୍କ କହିବା ମୁତାବକ ମହାସଭାର କାର୍ଯ୍ୟକର୍ତ୍ତାମାନେ ସୋମବାର ଦିନ ଉତ୍ତର ପ୍ରଦେଶ ମେରଟରେ ଥିବା ‘ବଳିଦାନ ଧାମରେ’ ଗଡସେ ଓ ଆପ୍ତେଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିଛନ୍ତି । ସେ କହିଛନ୍ତି କି ମହାସଭା ପକ୍ଷରୁ ପ୍ରତ୍ୟେକ ରାଜ୍ୟରେ ଏଭଳି ‘ବଳିଦାନ ଧାମ’ ନିର୍ମାଣ କରାଯିବ । ଅନ୍ୟପଟେ ୨୦୧୭ ରେ ମହାସଭାର କାର୍ଯ୍ୟାଳୟରେ ଥିବା ଗଡସେଙ୍କ ପ୍ରତିମୂର୍ତ୍ତିକୁ ଗ୍ୱାଲିଅର ଜିଲ୍ଲା ପ୍ରଶାସନ ଜବତ କରିଥିଲା, ଯାହାକି ଏପର୍ଯ୍ୟନ୍ତ ଫେରସ୍ତ ହୋଇ ନାହିଁ ।

କହିରଖୁ କି ୧୯୪୭ ମସିହାରେ ଦେଶ ବିଭାଜନ ପାଇଁ କଂଗ୍ରେସ ଉତ୍ତରଦାୟୀ ବୋଲି ଅଭିଯୋଗ କରିଛନ୍ତି ଡକ୍ଟର ଭରଦ୍ୱାଜ । ଅନ୍ୟପଟେ ଗ୍ୱାଲିଅର ଅତିରିକ୍ତ ପୋଲିସ ଅଧୀକ୍ଷକ ସତ୍ୟେନ୍ଦ୍ର ସିଂ ତୋମର କହିଛନ୍ତି କି ସୋମବାର ଦିନ ଏଠାରେ ହିନ୍ଦୁ ମହାସଭାର କୌଣସି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇନାହିଁ କି କୌଣସି ପ୍ରତିମୂର୍ତ୍ତି ସ୍ଥାପନ କରାଯାଇ ନାହିଁ ।