ଗୋଡ କଟିଯିବା ପରେ… ବର୍ଷେ ହେଲା ଜୀବନ ବିତୁଛି ବିଛଣାରେ । ପଇସା ନାହିଁ ବୋଲି ଔଷଧ ମିଳୁନି, ପେଟ ବି ପୂରୁନି… ଟ୍ରେନ ଦୁର୍ଘଟଣା ପରେ ଦୁର୍ଦ୍ଦିନରେ କଟୁଛି ନଟବରଙ୍କ ଦିନ

373

କନକ ବ୍ୟୁରୋ: ସେ ଚାଲୁଥିଲେ ବୋଲି ଚଳୁଥିଲା ପରିବାର । ଥାନାରେ ଗୃହରକ୍ଷୀ ଭାବେ କାମ କରି କଷ୍ଟେମଷ୍ଟେ ନିଜ ସଂସାର ଚଳାଉଥିଲେ । ହେଲେ ଦୁର୍ଘଟଣାରେ ଦୁଇ ଗୋଡ ହରାଇବା ପରେ ଏବେ ବେସାହାରା ଜୀବନ, ଭାରାକ୍ରାନ୍ତ ଦୋଛକିରେ ଭାଗ୍ୟ । ବିନା ଗୋଡରେ ସେ ବିଛଣାରେ ଯେମିତି ପଡିଛନ୍ତି ତାଙ୍କ ପରିବାର ବି ସେମିତି ବିନା ସାହାରାରେ ସଙ୍ଘର୍ଷ କରୁଛି ।

ନଟବର ନାୟକ । ଦିନ ଥିଲା ସୋର ଥାନାରେ ସେ ଗୃହରକ୍ଷୀ ଭାବେ କାମ କରି ସମସ୍ତଙ୍କ ପ୍ରିୟପାତ୍ର ବନିଥିଲେ । ହେଲେ ୨୦୧୯ ଫେବୃୟାରୀ ୧୩ରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପାଇଁ ବାଲେଶ୍ୱର ଯାଉଥିବା ବେଳେ ନୀଳଗିରି ଷ୍ଟେସନରେ ଟ୍ରେନରୁ ଖସି ପଡିଥିଲେ । ଆଉ ଉକ୍ତ ଦୁର୍ଘଟଣାରେ ନଟବର ନିଜର ଦୁଇ ଗୋଡ ସବୁଦିନ ପାଇଁ ହରାଇ ବସିଥିଲେ ।

ଅବଶ୍ୟ ଦୁର୍ଘଟଣା ପରେ ସରକାରଙ୍କ ପକ୍ଷରୁ ନଟବରଙ୍କୁ ଲକ୍ଷେ ଟଙ୍କା ସହାୟତା ଦିଆଯାଇଥିଲା । ହେଲେ ତାଙ୍କ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଚିକିତ୍ସା ଖର୍ଚ୍ଚରେ ପାଖାପାଖି ୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଗଲାଣି । ବର୍ଷେ ହେବ ବିଛଣାରେ ପଡିଥିବା ନଟବରଙ୍କ କୌଣସି ରୋଜଗାର ନଥିବାରୁ ଔଷଧ ଖର୍ଚ୍ଚ ଏବଂ ପ୍ରତି ମାସ କଟକ ଯାଇ ଡାକ୍ତର ଦେଖାଇବା ଅସମ୍ଭବ ହୋଇପଡୁଛି ।

ସେପଟେ ନଟବରଙ୍କ ଏଭଳି ଅବସ୍ଥା ପରେ ଘରର ମେରୁଦଣ୍ଡ ଦୋହଲି ଯାଇଛି । ମୁଣ୍ଡ ଗୁଞ୍ଜିବାକୁ ଥିବା ଖଣ୍ଡେ ଚାଳଘର ଭାଙ୍ଗି ଯାଇଛି । ପାଠ ପଢି ମଣିଷଟେ ହେବାର ସ୍ୱପ୍ନ ଦେଖୁଥିବା ଝିଅ ବି ପାଠ ଛାଡିଛି । ନଟବରଙ୍କ ଦୁଇ ଗୋଡ ଯିବା ପରେ ଏବେ ପୂରା ପରିବାର ଅକର୍ମଣ୍ୟ ହୋଇ ପଡିଛି । କେବେ ଖାଇବାକୁ ମିଳୁଛି ତ ପୁଣି କେବେ ଉପାସ ଶୋଇ ପଡୁଛନ୍ତି ନଟବରଙ୍କ ସ୍ତ୍ରୀ ।

ତେବେ ଗାଁର ଭଙ୍ଗା ଚାଳଘରେ ରହିଲେ ନଟବରଙ୍କ କଟିଯାଇଥିବା ଗୋଡ ସଂକ୍ରମିତ ହେବାର ଆଶଙ୍କା ରହିଛି । ତେଣୁ ବାଧ୍ୟ ହୋଇ ବାପ ଝିଅ ଘରଠୁ ଦୂରରେ ଭଡା ନେଇ ରହୁଛନ୍ତି । ଗୋଟିଏ ପଟେ ନଟବରଙ୍କ ଔଷଧ, ଘର ଭଡା ଆଉ ଅନ୍ୟ ପଟେ ପରିବାର ପେଟରେ ଦାନା ଦେବାର ଚିନ୍ତା ତାଙ୍କୁ ବିଚଳିତ କରିଛି ।