‘ଆଇପିଏଲ ପାଇଁ ରଦ୍ଦ ହେଲା ଶେଷ ଟେଷ୍ଟ’ । ବିସିସିଆଇ ଉପରେ ବର୍ଷିଲେ ଇଂଲଣ୍ଡର ପୂର୍ବତନ ଅଧିନାୟକ । 

340

କନକ ବ୍ୟୁରୋ : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜର ଶେଷ ମ୍ୟାଚ୍ ରଦ୍ଦ ହୋଇଛି । ଉଭୟ ବିସିସିଆଇ ଓ ଇଂଲଣ୍ଡ କ୍ରିକେଟ ବୋର୍ଡର ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି । ଶେଷ ମ୍ୟାଚ୍ ହେବାକୁ ଆଉ କିଛି ଘଣ୍ଟା ଥିବା ବେଳେ ଏଭଳି ନିଷ୍ପତ୍ତି ନିଆଯାଇଥିଲା । ଭାରତୀୟ ଟିମର ମୁଖ୍ୟ କୋଚଙ୍କ ସମେତ ଦୁଇ ବୋଲିଂ କୋଚ ଏବଂ ଫିଜିଓ କରୋନାରେ ସଂକ୍ରମିତ ହେବା ପରେ ଟିମ୍ ଇଣ୍ଡିଆର ଶିବିର ଭିତରେ ଭୟର ବାତାବରଣ ଖେଳିଯାଇଥିଲେ । ଏଭଳି ସ୍ଥଳେ ସଂକ୍ରମଣ ଆଶଙ୍କା କରି ପଞ୍ଚମ ଟେଷ୍ଟ ମ୍ୟାଚକୁ ରଦ୍ଦ କରାଯାଇଥିଲା । ଆଉ ଭାରତୀୟ ଖେଳାଳୀ ମାନେ ମାଞ୍ଚେଷ୍ଟରରୁ ସିଧା ୟୁଏଇ  ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । କାରଣ ଆସନ୍ତା ୧୯ରୁ ୟୁଏଇରେ ଖେଳାଯିବ ଆଇପିଏଲର ବଳକା ମ୍ୟାଚ୍ ।

ତେବେ ପଞ୍ଚମ ମ୍ୟାଚ ରଦ୍ଦକୁ ନେଇ ବଡ ଅଭିଯୋଗ ଆଣିଛନ୍ତି ଇଂଲଣ୍ଡର ପୂର୍ବତନ ଅଧିନାୟକ ନାସିର ହୁସେନ । ନାସିର କହିଛନ୍ତି, ବ୍ୟସ୍ତ କାର୍ଯ୍ୟସୂଚୀ ଭାରତ-ଇଂଲଣ୍ଡ ଶେଷ ଟେଷ୍ଟ ମ୍ୟାଚ ରଦ୍ଦ ହେବା ପଛର ମୁଖ୍ୟ କାରଣ  । ମ୍ୟାଚ୍ ରଦ୍ଦ ହେବା ପୂର୍ବରୁ ଉଭୟ ବୋର୍ଡ ମଧ୍ୟରେ ବେଶ କିଛି ଘଣ୍ଟା ଧରି ଆଲୋଚନା ହୋଇଥିଲା । କିନ୍ତୁ ଭାରତୀୟ ଟିମ୍ ଖେଳିବାକୁ ମନା କରିବା ପରେ ମ୍ୟାଚକୁ ରଦ୍ଦ କରାଯାଇଛି । ଏହି ମ୍ୟାଚ୍ ରଦ୍ଦ ହେବା ଦ୍ୱାରା ଦର୍ଶକ ମାନେ ନିଜର ଟିକେଟ ପଇସା ଫେରି ପାଇବେ ସତ କିନ୍ତୁ ସିରିଜର ଶେଷ ତଥା ସବୁଠୁ ମହତ୍ତ୍ୱପୂର୍ଣ୍ଣ ମ୍ୟାଚକୁ ମିସ୍ କରିବେ । ଭାରତୀୟ କ୍ରିକେଟର ଏବେ ଏକ ବ୍ୟସ୍ତ କାର୍ଯ୍ୟସୂଚୀ ଦେଇ ଗତି କରୁଛି, ଆଗକୁ ଆଇପିଏଲ ସହ ଟି-୨୦ ବିଶ୍ୱକପ ରହିଛି । ତେଣୁ ଯେତେବେଳେ ଭାରତୀୟ କ୍ୟାମ୍ପରୁ କରୋନା ସଂକ୍ରମଣର ଖବର ଆସିଲା ସେତେବେଳେ ଆଇପିଏଲକୁ ନେଇ ମଧ୍ୟ ଚିନ୍ତା କରାଯାଇଥିଲା ।

ହୁସେନ କହିବା ଅନୁଯାୟୀ, ବିସିସିଆଇ ପାଇଁ ଆଇପିଏଲ ବେଶ ମହତ୍ତ୍ୱପୂର୍ଣ୍ଣ । ଆଇପିଏଲ ପୂର୍ବରୁ ୫ଟି ଟେଷ୍ଟ ମ୍ୟାଚର କାର୍ଯ୍ୟସୂଚୀକୁ ନେଇ ବିସିସିଆଇ ପୂର୍ବରୁ ମଧ୍ୟ ଏତେଟା ଖୁସି ନଥିଲା । ଏଥିପାଇଁ ସିରିଜକୁ ଘୁଞ୍ଚାଇବାକୁ ମଧ୍ୟ ପ୍ରୟାସ କରାଯାଇଥିଲା । ବାସ୍ତବରେ ଆଇପିଏଲ ହିଁ ବିସିସିଆଇ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ଏଭଳି ହଠାତ୍ କୌଣସି ଟିମ୍ ନ ଖେଳିବାକୁ ନିଷ୍ପତ୍ତି ନେବା ଟେଷ୍ଟ କ୍ରିକେଟ ପାଇଁ ବେଶ ଦୁଃଖଦାୟକ ।