କନକ ବ୍ୟୁରୋ : କର୍ଣ୍ଣାଟକ ବର୍ତ୍ତମାନ ପ୍ରଯୁକ୍ତି ଓ ଶିଳ୍ପର ପେଣ୍ଠସ୍ଥଳୀ ପାଲଟିଛି । ହେଲେ ନିଯୁକ୍ତି କ୍ଷେତ୍ରରେ ଦେଖିବାକୁ ଗଲେ ସ୍ଥାନୀୟ ଲୋକଙ୍କ ତୁଳନାରେ ଅନ୍ୟ ରାଜ୍ୟର ଲୋକଙ୍କୁ ଅଧିକ ଦେଖିବାକୁ ମିଳୁଛି । ସିଦ୍ଦରମୈୟା ସରକାର ଏବେ ରାଜ୍ୟବାସୀଙ୍କ ଅର୍ଥନୈତିକ ଉନ୍ନତି ପାଇଁ ଓ ଜୀବନ ଶୈଳୀର ମାନଦଣ୍ଡରେ ସୁଧାର ଆଣିବା ପାଇଁ ଅଣ-ସରକାରୀ କ୍ଷେତ୍ରରେ ସଂରକ୍ଷଣ ବଢାଇ ଦେଇଛନ୍ତି ।

Advertisment

ଗତ ଦୁଇ ଦିନ ତଳେ କର୍ଣ୍ଣାଟକ କ୍ୟାବିନେଟରେ ମଞ୍ଜୁର ହୋଇଥିବା ବିଲ ଅନୁଯାୟୀ କର୍ଣ୍ଣାଟକରେ ଜନ୍ମିତ କିମ୍ବା ୧୫  ବର୍ଷରୁ ଉର୍ଦ୍ଧ୍ୱ ରହି ଆସିଥିବା ବ୍ୟକ୍ତି ଯଦି କର୍ନ୍ନଡ କହି ଓ ଲେଖି ପାରୁଥିବେ ତେବେ ସେ ଏହି ବିଲ ଅନୁଯାୟୀ ନିଯୁକ୍ତି ପାଇବା ପାଇଁ ଯୋଗ୍ୟ । ଯଦି କର୍ନ୍ନଡ ଭାଷାରେ ପାସ କରିଥିବା ହାଇସ୍କୁଲ ପ୍ରମାଣପତ୍ର ନାହିଁ , ଏଥି ପାଇଁ ଆଗ୍ରହୀ ବ୍ୟକ୍ତିଙ୍କୁ ଏକ ଭାଷା ଭିତ୍ତିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଡିବ ।

ଅଣ-ସରକାରୀ କ୍ଷେତ୍ରଗୁଡିକରେ ନିଯୁକ୍ତି ସମୟରେ ମଧ୍ୟ ପ୍ରଥମେ ସଂରକ୍ଷଣ ଅନୁଯାୟୀ ପ୍ରାର୍ଥୀ ମାନଙ୍କୁ ପ୍ରାଥମିକତା ଦେବା ପାଇଁ ନିର୍ଦେଶ ଦିଆଯାଇଛି । ଯଦି ଆବଶ୍ୟକ ସ୍ଥାନୀୟ ପ୍ରାର୍ଥୀ ନ ମିଳନ୍ତି ତେବେ ଅନ୍ୟ ମାନଙ୍କୁ ସେ ସ୍ଥାନରେ ସୁଯୋଗ ଦିଆଯିବ । କେବଳ ଏତିକି ନୁହେଁ ଅନ୍ୟୂନ ଭାବେ ସ୍ଥାନୀୟ ପ୍ରାର୍ଥୀଙ୍କ ସଂଖ୍ୟା ମ୍ୟାନେଜମେଣ୍ଟ ପଦବୀରେ ୨୫ ପ୍ରତିଶତ ଓ ନନ୍ ମ୍ୟାନେଜମେଣ୍ଟ ପଦବୀରେ ୫୦ ପ୍ରତିଶତ ରହିବା ଆବଶ୍ୟକ ।

ହେଲେ ନ୍ୟାସନାଲ ଆସୋସିଏସନ ଅଫ୍ ସଫ୍ଟୱେର ଆଣ୍ଡ କମ୍ପାନୀ (ନାସକମ) ତରଫରୁ ଏହି ବିଲକୁ ଖାରଜ କରିବା ପାଇଁ ଅବେଦନ କରାଯାଇଛି । ଏହିପରି ସଂରକ୍ଷଣ ବ୍ୟବସ୍ଥା ରାଜ୍ୟରେ ଥିବା କମ୍ପାନୀ ତଥା ନୂଆ ଆସୁଥିବା ଶିଳ୍ପମାନଙ୍କ ଆଗ୍ରହରେ ବାଧା ସୃଷ୍ଟି କରିପାରେ । ଏତେ ପରିମାଣରେ ସଂରକ୍ଷଣ ବ୍ୟବସ୍ଥାକୁ ବଢାଇବା ନେଇ ନାସକମ ସଂସ୍ଥାର ବିଭାଗୀୟ ଅଧିକାରୀ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।   ଏପରି କଟକଣା ଶିଳ୍ପ ତଥା ପ୍ରଯୁକ୍ତି କ୍ଷେତ୍ରରେ ସଂସ୍ଥା ମୁଖ୍ୟ ମାନଙ୍କୁ ଅସୁବିଧାରେ ପକାଇ ପାରେ । ସାଧାରଣତଃ କମ୍ପାନୀ ଗୁଡିକ କୁଶଳୀ ତଥା ଅଧିକ ଶିକ୍ଷିତ କର୍ମଚାରୀ ସନ୍ଧାନରେ ଥାନ୍ତି । ସ୍ଥାନୀୟ ଲୋକଙ୍କ ନିୟୋଜନ ବାଧ୍ୟତାମୂଳକ ହେଲେ ଆବଶ୍ୟକ କୁଶଳୀ ଲୋକ ଅଭାବରେ କମ୍ପାନୀ ଗୁଡିକ ଏଠାରେ କାମ କରିବା ଦିଗରେ ପଛ ଘୁଂଚା ଦେଇ ପାରନ୍ତି । ଯାହାକି ରାଜ୍ୟର ଅର୍ଥନୈ÷ତିକ ଭବିଷ୍ୟତ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ  ।

ବିଲକୁ ନେଇ ବିଭିନ୍ନ କମ୍ପାନୀ ମୁଖ୍ୟ ମାନେ ମଧ୍ୟ ପ୍ରତିକୂଳ ପ୍ରତିକ୍ରିୟା ରଖିଛନ୍ତି । ତେବେ ଏପରି ସଂରକ୍ଷଣ ବିଲ କରି ସାଧାରଣ ଲୋକଙ୍କୁ ଅଧିକ ନିଯୁକ୍ତି ସୁଯୋଗ ଦେବାରେ କର୍ଣ୍ଣାଟକ ପ୍ରଥମ ରାଜ୍ୟ ନୁହେଁ । ଆଗରୁ ହରିଆଣା ଓ ପଞ୍ଜାବ ମଧ୍ୟ ୭୫ ପ୍ରତିଶତ ସଂରକ୍ଷଣ ବିଲ ଆଣିଥିଲେ । ଯାହାକୁ ୨୦୨୩ରେ ହାଇକୋର୍ଟ ଖାରଜ କରିଥିଲେ ।