କନକ ବ୍ୟୁରୋ : ମହାକାଶ ବିଜ୍ଞାନ କ୍ଷେତ୍ରରେ ପୃଥିବୀର ସବୁ ରାଷ୍ଟ୍ର ପାଦେ ଆଗେଇବାକୁ ଚେଷ୍ଟା ଚଳେଇଛନ୍ତି । କିଛି ମିସନ ଫେଲ ହେଇଥିବା ବେଳେ କିଛି ଇତିହାସ ରଚୁଛି । ଦୁନିଆର ବିଭିନ୍ନ ଦେଶ ଟେକ୍ନୋଲୋଜିର ବ୍ୟବହାର କରି ଏପରି ନୂଆ ନୂଆ ଉପକରଣ ଉଦ୍ଭାବନ କରୁଛନ୍ତି ତାହା ଦେଖିବା ଓ ଶୁଣିବାକୁ ଯେତିକି ମଜାଳିଆ ସେତିକି ଉପଯୋଗୀ ମଧ୍ୟ । ଆମେରିକା ମହାକାଶ ସଂସ୍ଥା ‘ନାସା’ନିକଟରେ ଏକ ଭିନ୍ନ କିସମର ସାପ ସଦୃଶ୍ୟ ରୋବୋଟ ତିଆରି କରିଛି ଯାହା ଭବିଷ୍ୟତରେ ଚନ୍ଦ୍ର ଓ ମଙ୍ଗଳ ଗ୍ରହର ଅନାବିଷ୍କୃତ ସ୍ଥାନ ଗୁଡିକୁ ଯାଇ ଅଧିକ ଗବେଷଣା କରିପାରିବ । ଭାରତୀୟ ଅଜଗର ପ୍ରଜାତିର ଶୈଳୀକୁ ଅନୁଧ୍ୟାନରେ ରଖି ଟେଷ୍ଟିଂ ପାଇଁ ତିଆରି ହୋଇଥିବା ରୋବୋଟର ନିର୍ମାତା ମଧ୍ୟ ହେଉଛନ୍ତି ଜଣେ ଭାରତୀୟ ମହାକାଶ ବିଜ୍ଞାନୀ ।

Advertisment

ତେବେ ଏହି ନିର୍ମାତା ଜଣକ ହେଉଛନ୍ତି ନାଗପୁରର ରୋହନ ଠାକରେ । ସେ ନାସାର ଜେଟ୍ ପ୍ରପୋଲସନ ଲାବୋରୋଟୋରୀରେ କାର୍ଯ୍ୟରତ । ସେ ତିଆରି କରିଥିବା ଏହି ସାପ ସଦୃଶ୍ୟ ରୋବୋଟର ନାମ ଇଇଏଲଏସ (ଏକ୍ସବାୟୋଲୋଜି ଏସ୍କାଂଟ ଲାଇଫ ସର୍ଭେୟର ) ରଖିଛନ୍ତି ।

ଇଇଏଲଏସ ଏକ ସୁପରିକଳ୍ପିତ ସ୍ମାର୍ଟ ରୋବୋଟ, ଯାହା ସମସ୍ତ ପ୍ରତିକୂଳ ପରିସ୍ଥିତିର ସମ୍ନା କରି ମଧ୍ୟ ନିର୍ଭୁଲ ଭାବେ ଅନୁଧ୍ୟାନ ଓ ଗବେଷଣା କରିପାରେ । ବିଭିନ୍ନ ସୁଡଙ୍ଗ ଓ ଗୁମ୍ଫା ଖୋଜିବା ସହ ଦରକାର ପଡିଲେ ସନ୍ତରଣ ମଧ୍ୟ କରିପାରେ । ଏହା ଅନ୍ୟ ଗ୍ରହରେ ଜୀବନର ସୁରାକ ମଧ୍ୟ ଖୋଜିବାରେ ସମର୍ଥ ।

ଗ୍ଲେସିୟର ତଥା କୃତ୍ରିମ ଖାଲଢିପ ଭୁମିରେ ଏହାର ସଫଳ ପରୀକ୍ଷଣ ସରିଥିବା ବେଳେ ଏହା ପ୍ରାକୃତିକ ଦୁର୍ବିପାକ ସମୟରେ କରାଯାଉଥିବା ବିଭିନ୍ନ ରେସ୍କ୍ୟୁ ମିଶନ ଓ ଅପରେସନେରେ ଅନେକ ମାତ୍ରାରେ ସହାୟକ ହୋଇପାରିବ ବୋଲି ଜଣାଇଛନ୍ତି ରୋହନ । ଏକଦା ଆଇଆଇଆଟିରେ ଆଡମିଶନ ନେଇପାରିନଥିବା ରୋହନ ଆଜି ନାସାରେ ସଫଳ ମହାକାଶ ଇଂଜିନିୟର ଭାବେ କାମ କରୁଛନ୍ତି । ନାଗପୁରର ଭିସେସ୍ୱରାୟ ନ୍ୟାସନାଲ ଇନଷ୍ଟିଚ୍ୟୁଟରୁ ମେକାନିକାଲ ପଢିଥିବା ରୋହନ ନାସାର ମାରର୍ଟିଆନ ହେଲିକପ୍ଟର ତିଆରି କରିଥିବା ବବ ବଳରାମଙ୍କଠୁ ଅନେକ ମାତ୍ରାରେ ଅନୁପ୍ରାଣିତ । ଭାରତୀୟ ବଂଶୋଦ୍ଭବ ଭାବରେ ଚନ୍ଦ୍ରଯାନ ୩ର ସହଜ ଅବତରଣ ତାଙ୍କ ପାଇଁ ଖୁସିର ମୂହୁର୍ତ ଥିଲା । ଭାରତର ଏହି ସଫଳତା ପାଇଁ ସେ ଗର୍ବିତ ବୋଲି ମଧ୍ୟ କହିଥିଲେ ।